Unknown

 

 

 

 

 

 

 

 

 

 

 

ଫୁଲ ଓ ସ୍ଫୁଲିଂଗ

ଅନୁବାଦକ

ରମେଶ ଚନ୍ଦ୍ର ଧଳ

 

 

 

 

 

 

 

 

 

ଉତ୍ସର୍ଗ

 

ବୋଉ ଓ ବାପାଙ୍କ......

ରମେଶ

 

ସୂଚନା

 

କ୍ରିସନ୍‌ ଚନ୍ଦର୍‌ଙ୍କ କେତେକ ସୁପରିଚିତ ଗଳ୍ପରୁ ଫୁଲ ଓ ସ୍ଫୁଲିଙ୍ଗର ଗଳ୍ପଗୁଡ଼ିକ ଅନୁବାଦ କରାଯାଇଛି । ସେ ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ଏକ ବିଶିଷ୍ଟ କଥାଶିଳ୍ପୀ ତଥା ଔପନ୍ୟାସିକ । ତାଙ୍କର ଅଧିକାଂଶ ବହି ଆମ ଦେଶର ବିଭିନ୍ନ ପ୍ରାଦେଶିକ ଭାଷା ବ୍ୟତୀତ ବିଦେଶୀ ଭାଷାରେ ମଧ୍ୟ ଭାଷାନ୍ତରିତ ହୋଇଅଛି । ଗଳ୍ପ ଗୁଡ଼ିକରେ ଲେଖକଙ୍କର ମୌଳିକତା, ବଳିଷ୍ଠ ବ୍ୟକ୍ତିତ୍ୱ, ସ୍ୱାଧୀନ ମନୋବୃତ୍ତି ତଥା ବୈପ୍ଳବିକ ଚିନ୍ତାଧାରାର ସୂଚନା ମିଳେ ।

 

ପ୍ରଥମ ଗଳ୍ପ ‘ପେଶୱାର ଏକ୍‌ସପ୍ରେସ’ରେ ଆମେ ଦେଖୁ ଭାରତ ଭାଗ ଭାଗ ହେବା ପୂର୍ବରୁ ହିନ୍ଦୁ ଆଉ ମୁସଲମାନ ପରସ୍ପର ଉପରେ କରିଥିବା ଅତ୍ୟାଚାରର ଏକ ହୃଦୟ ବିଦାରକ ଚିତ୍ର । ଜଡ଼ ଲୌହ ଓ କାଠରେ ନିର୍ମିତ ‘ପେଶୱାର ଏକ୍‌ସପ୍ରେସ୍‌’ ନିଜ ମୁହଁରେ ତାହା ହିଁ ବର୍ଣ୍ଣନା କରିଛି ।

 

‘ମହାଲକ୍ଷ୍ମୀ ବ୍ରିଜ୍‌’ ଗଳ୍ପରେ ଫୁଟି ଉଠିଛି କେତେଗୋଟି ହତଭାଗିନୀଙ୍କ ହା ହତାଶିଆ ବ୍ୟର୍ଥ ଜୀବନର ଅଶ୍ରୁଳ ଆଲେଖ୍ୟ । ସେଇମାନେହିଁ ଆମର ଦରିଦ୍ର, ନିରନ୍ନ ଭାରତୀୟ ନାରୀର ପ୍ରତିନିଧିତ୍ୱ କରିଛନ୍ତି । ‘ଲାଲଫୁଲ’ ଗଳ୍ପରେ ପଢ଼ିବାକୁ ମିଳେ ଶ୍ରମିକ ଏବଂ ମିଲମାଲିକମାନଙ୍କ ମଧ୍ୟରେ ଚାଲିଥିବା ସଂଗ୍ରାମର ଏକ ବାସ୍ତବ ଚିତ୍ର । ଆଜି ଯନ୍ତ୍ର ଯୁଗରେ ଏହା ଏକ ଉତ୍କଟ ସମସ୍ୟାରୂପେ ମୁଣ୍ଡ ଟେକି ଉଠୁଛି । ପୁଞ୍ଜିବାଦର ତୀବ୍ର ସମାଲୋଚନା କରିବାକୁ ଯାଇ ଲେଖକ ବେକାର ସମାସ୍ୟାର ସୃଷ୍ଟି, ଶ୍ରମିକ ସମାଜର ବୌଦ୍ଧିକ ତଥା ଭୌତିକ ଅଧୋପତନର ହେତୁ ବୋଲି ଦର୍ଶାଇଛନ୍ତି । ଶେଷ ଗଳ୍ପ ଦୁଇଟି ‘ମୃତ ମାର୍କିନ ସୈନିକ ଉଦ୍ଦେଶ୍ୟରେ’ ଓ ‘ବିବି’ରେ ଲେଖକ ସାମ୍ରାଜ୍ୟବାଦ ମନୋବୃତ୍ତିର ଦୃଢ଼ ପ୍ରତିବାଦ ଜଣାଇଛନ୍ତି । ସାମ୍ରାଜ୍ୟ ବିସ୍ତାର ପାଇଁ ମାର୍କିନ ଶାସକବୃନ୍ଦ ଯେପରି ମାନବିକତାର ବଳି ଦେଇଛନ୍ତି ତାହା ବାସ୍ତବରେ ଲଜ୍ଜାର କଥା । ଗଣତନ୍ତ୍ରର ଦ୍ୱାହୀ ଦେଇ ଅନ୍ୟ ଦେଶଲୋକଙ୍କ ମଧ୍ୟରେ କଳହ ସୃଷ୍ଟି କରିବା, କୁଚକ୍ରାନ୍ତ କରି ତାକୁ କରଗତ କରିବାର ଯେ ହୀନ ପ୍ରଚେଷ୍ଟା ଡଲେସ୍‌, ମ୍ୟାକ୍‌ଆର୍ଥର ପ୍ରଭୃତି କରିଛନ୍ତି ସେ ତାହାର ଦୃଢ଼ ପ୍ରତିବାଦ ଜଣାଇଛନ୍ତି ।

 

‘ବିବି’ ଗଳ୍ପରେ କୋରିଆ ଯୁଦ୍ଧରେ ବନ୍ଦିନୀ କୋରିଆ ଯୁବତୀମାନଙ୍କ ପ୍ରତି ମାର୍କିନ ସୈନିକଗଣ ଯେପରି ବର୍ବରୋଚିତ ବ୍ୟବହାର କରିଛନ୍ତି ତାହା କେବଳ କୋରିଆର ଯୁବତୀ ପ୍ରତି ନୁହେଁ, ସମୂହ ଭାବେ ଏସିଆ ନାରୀମାନଙ୍କୁ ଏକ ଅପମାନ । ଅପମାନର ଠିକଣା ଜବାବ ଦେବା ପାଇଁ ଲେଖକ ଆହ୍ୱାନ କରିଛନ୍ତି । ପ୍ରାଚ୍ୟ ପ୍ରାଚ୍ୟ, ପାଶ୍ଚାତ୍ୟ ପାଶ୍ଚତ୍ୟ । ପ୍ରାଚ୍ୟବାସୀଙ୍କ ପାଇଁ ପାଶ୍ଚାତ୍ୟବାସୀ କିମ୍ବା ପାଶ୍ଚାତ୍ୟବାସୀଙ୍କ ପାଇଁ ପ୍ରାଚ୍ୟବାସୀ ମୁଣ୍ଡ ଘୂରାଇବା ଅନୁଚିତ । ଚାଲବାଜ ମୁନାଫାଖୋର ପାଶ୍ଚାତ୍ୟ ଶାସକଗୋଷ୍ଠି ଯେତେଶୀଘ୍ର ଏସିଆ ସମ୍ପୂର୍ଣ୍ଣରୂପେ ତ୍ୟାଗକରି ଯାଆନ୍ତି ଆମର ସେତିକି ମଙ୍ଗଳ ବୋଲି ସେ ଚେତାବନି ଶୁଣାଇଛନ୍ତି ।

 

ଏହି ଗଳ୍ପ ଗୁଡ଼ିକ ଅନୁବାଦ କରିବା ପାଇଁ ଶ୍ରୀଯୁକ୍ତ କ୍ରିସନ ଚନ୍ଦର୍‌ଙ୍କଠାରୁ ଅନେକ ଦିନୁ ଅନୁମତି ପାଇ ସାରିଥିଲେ ମଧ୍ୟ କେତେକ ଅସୁବିଧା ହେତୁ ତାହା ପ୍ରକାଶିତ ହୋଇ ପାରି ନଥିଲା । ଏହି ବହିଟି ଅନୁବାଦ କରିବାରେ ମୋର କକା ଅଧ୍ୟାପକ ଶ୍ରୀଯୁକ୍ତ ଗୋଲକ ବିହାରୀ ଧଳ, ଏମ୍‌. ଏ. (ଲଣ୍ଡନ), ଏମ. ଏ. (ପାଟନା) ମୋତେ ବିଶେଷ ସାହାଯ୍ୟ କରିଛନ୍ତି । ତା ବ୍ୟତୀତ ଢେଙ୍କାନାଳର ସବ୍‌ଇନ୍‌ସପେକ୍ଟର ଅଫ୍‌ ସ୍କୁଲସ୍‌ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ମହୋଦୟ ମୋତେ ଏ ଦିଗରେ ବିଶେଷ ଉତ୍ସାହିତ କରିଛନ୍ତି । ଏମାନଙ୍କ ନିକଟରେ ମୁଁ ମୋର କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପ୍ରଚ୍ଛଦପଟର ପରିକଳ୍ପନା ଲାଗି ମୋର ଭାଇ ଶିଳ୍ପୀ ଶ୍ରୀମାନ ସୁରେଶ ଚନ୍ଦ୍ର ଧଳଙ୍କୁ ଧନ୍ୟବାଦ ଜଣାଉଛି । ଇତି ।

 

ଗଞ୍ଜେଇ ଡିହ, ଢେଙ୍କାନାଳ

ରମେଶ ଚନ୍ଦ୍ର ଧଳ

ପ୍ରଥମାଷ୍ଟମୀ

 

ତା ୧୨ । ୧୧ । ୧୯୬୦

 

Image

 

ସୂଚୀପତ୍ର

 

୧.

ପେଶୱାର ଏକ୍‌ସପ୍ରେସ୍‌

୨.

ମହାଲକ୍ଷ୍ମୀ ବ୍ରିଜ୍‌

୩.

ଲାଲ ଫୁଲ

୪.

ମୃତ ମାର୍କିନ ସୈନିକ ଉଦ୍ଦେଶ୍ୟରେ

୫.

ବିବି

Image

 

ପେଶୱାର ଏକ୍‌ସପ୍ରେସ୍‌

 

ପେଶୱାର ଷ୍ଟେସନ ଛାଡ଼ିବା ପରେ ମୁଁ ଶାନ୍ତିରେ ନିଶ୍ୱାସ ମାରି ଆଗକୁ ଚାଲିଲି । ମୋର ଯାନ୍ତ୍ରୀମାନେ ପ୍ରାୟ ସମସ୍ତେ ହିନ୍ଦୁ ଓ ଶିଖ । ପେଶୱାର, ହତିମହାନ, କୋହାଟ, ଚାରଶରା, ଖାଇବର୍‌, ଲାଣ୍ଡିକୋଟାଲ, ବାନୁ, ନାଓଶେରା ପ୍ରଭୃତି ସୀମାନ୍ତ ପ୍ରଦେଶର ବିଭିନ୍ନ ସ୍ଥାନରୁ ଏମାନେ ଆସିଛନ୍ତି । ପଞ୍ଜାବରେ ପହଞ୍ଚିବା ପୂର୍ବରୁ କୌଣସି ଅସୁବିଧା ହୋଇନାହିଁ । ଅନ୍ୟାନ୍ୟ ପଠାଣମାନଙ୍କ ପରି ଏମାନେ କୌଣସି ପ୍ରକାର ଗୋଳମାଳ କରି ନାହାନ୍ତି । ଏଠିକା ଲୋକମାନେ ବେଶ୍‌ ସୁସ୍ଥ ସବଳ । ପରିଚ୍ଛଦ ସେମାନଙ୍କର ଲୁଂଗି ଓ ଶାଲୁୱାର । ସେମାନଙ୍କ ଭାଷା ଭାରି ରୁକ୍ଷ । ସାଦା ପୋଷାକ ପିନ୍ଧି ସବୁ ଡବା ଆଗରେ ଦୁଇଜଣ ଲେଖାଏଁ ବେଲୁଚି ସୈନ୍ୟ ପହରା ଦେଉଥାନ୍ତି-। ହାତରେ ସେମାନଙ୍କର ଥାଏ ରାଇଫଲ୍‌ ।

 

ସାତ ପୁରୁଷର ଗାଁ ମାଟି ଛାଡ଼ି ଏମାନେ ଆଜି କୌଣସି ଏକ ଅପରିଚିତ ସ୍ଥାନକୁ ଚାଲି ଯାଉଛନ୍ତି । ଏଇ ମାଟିରେ ଖେଳିବୁଲି, ଏଇ ମାଟିର ଝରଣାରୁ ପାଣି ପିଇ, ଗଛର ଫଳ ଖାଇ ଏମାନେ ମଣିଷ ହୋଇଥିଲେ । ସେମାନଙ୍କର ଜନ୍ମଭୂମି ଆଜି ଅଚାନକ ବିଦେଶରେ ପରିଣତ ହେଲା । ସେମାନେ ହେଲେ ପଳାତକ । ଯାହା ହେଉନା କାହିଁକି ଏମାନେ ଭାରି ଭାଗ୍ୟବାନ୍‌ । କାରଣ ଏମାନେ ହାତରେ କିଛି ଧନ ସଂପତ୍ତି ଧରି, ଜୀବନ ନେଇ ପଳାଇ ଆସିଛନ୍ତି । ଏମାନଙ୍କ ମା’ ଭଉଣୀଙ୍କ ସମ୍ମାନରେ କେହି କଳଙ୍କ ଲଗାଇ ନାହିଁ । ଏମାନଙ୍କ ହୃଦୟ ଆଜି ବ୍ୟଥାରେ ଫାଟି ପଡ଼ୁଛି । ଆପଣାର ଜନ୍ମମାଟି, ବନଗିରି, ଝରଣା ଓ ଦ୍ରାକ୍ଷାକୁଞ୍ଜକୁ ଚାହିଁ ଏମାନେ ଆଜି ଆଖି ପୋଛୁଛନ୍ତି ।

 

ଉପତ୍ୟକା ଉପରେ ମୁଁ ଧାଇଁ ଚାଲିଛି । ମୋର ଯାତ୍ରୀମାନେ ଅତି ଦୁଃଖରେ ପଦାକୁ ଚାହିଁ ରହିଛନ୍ତି । ପ୍ରତି ମୁହୂର୍ତ୍ତରେ ମାଳଭୂମି, ନିମ୍ନଭୂମି, ଗିରିସଂକଟ, ଅଙ୍କା ବଙ୍କା ନଈଧାର ପଛରେ ରହିଯାଉଛି । ପରିଚିତ ମାଟିରେ ସାମାନ୍ୟ ଜିନିଷଟିଏ ମଧ୍ୟ ମୋର ଯାତ୍ରୀମାନଙ୍କୁ ଅସ୍ଥିର କରି ପକାଉଛି । ଏସବୁ ଦେଖି ମୁଁ ଲଜ୍ଜିତ ଓ ଅପମାନିତ ବୋଧ କରୁଛି । ମୋ ପଦଚକ୍ରଗୁଡ଼ା ଏତେ ଭାରି ଜଣା ପଡ଼ୁଛି ଯେ ମୋର ମନେ ହେଉଛି ସତେ ଯେମିତି ମୁଁ ଆଉ ଚାଲି ନାହିଁ ଚାଲି ପାରିବି ନାହିଁ ।

 

ହାସନବାଦଲ ଷ୍ଟେସନରେ ଆସି ଠିଆ ହେଲି । ଏଠି ପଳାତକମାନଙ୍କ ଭୀଷଣ ଭିଡ଼ । ଏହି ଶିଖ ପଳାତକମାନେ ସମସ୍ତେ ପଞ୍ଜା-ସାହେବରୁ ପଳାଇ ଆସିଛନ୍ତି । କମରରେ ସେମାନଙ୍କର ଲମ୍ବା କିରିପାନ ଝୁଲୁଛି । ଭୟରେ ସେମାନଙ୍କର ମୁହଁ ଶୁଖି ଯାଇଛି । ଅଜଣା ଭୟର ଆଶଂକାରେ ସେମାନଙ୍କ ଛୋଟ ଛୋଟ ପିଲାଗୁଡ଼ିକ କାବା ହୋଇ ଚାରି ଦିଗକୁ ଚାହିଁଛନ୍ତି । ମୋତେ ଦେଖି ଦୀର୍ଘ ନିଶ୍ୱାସ ମାରି ସେମାନେ ମୋର ବିଭିନ୍ନ ଡବାରେ ଉଠିଲେ । ଏଇ ପଳାତକମାନଙ୍କର ଘରବାଡ଼ି ଧନସଂପତ୍ତି ସବୁ କିଛି ଯାଇଛି । କୋଣରେ ଯେଉଁ ଲୋକଟି ବସିଛି ପିନ୍ଧା ଲୁଗା କାମିଜ ଦୁଇଖଣ୍ଡକୁ ଛାଡ଼ିଦେଲେ ସେ ଆଉ କିଛି ଆଣି ପାରିଲା ନାହିଁ । ଏ ଯେଉଁ ଲୋକଟି ବସିଛି ସତରେ ସେ ଭାଗ୍ୟବାନ ! ସେ ତାର ସବୁ ଜିନିଷ ଏପରିକି ଭଙ୍ଗା ଖଟିଆ ଖଣ୍ଡକୁ ବି ସାଙ୍ଗରେ ନେଇ ଆସିଛି । ଏ ଚତୁର୍ଥ ଲୋକଟି ମୁହଁରେ ସତେ ଯେପରି କିଏ ତାଲା ପକାଇ ଦେଇଛି । ପଥର ପରି ସେ ଗମ୍ଭୀର ହୋଇ ଯାଇଛି । ଗୋଳମାଳରେ ସେ ସବୁ ହରାଇଛି । ପଞ୍ଚମ ଲୋକଟି କଥା କଥାକେ ଖଇ ଫୁଟାଉଛି ଓ ମୁସଲମାନଙ୍କୁ ଗାଳି ଦେଉଛି । ତାର ପଇସାଟାକର ସମ୍ପତ୍ତି ଅବଶ୍ୟ ନ ଥିଲା । ସେ ଗୋଟିଏ ପୁରା ଫକଡ଼ । ଦ୍ୱାରଦେଶରେ ବେଲୁଚି ସୈନ୍ୟମାନେ ପୂର୍ବପରି ପହରା ଦେଉଥାନ୍ତି । ମୁହଁରେ ତାଙ୍କର ଶୁଖିଲା ହସ ।

 

ତକ୍ଷଶିଳାରେ ମୋତେ ବହୁତ ସମୟ ଠିଆ ହେବାକୁ ପଡ଼ିଥିଲା । ମୋତେ ଛାଡ଼ିବା ପାଇଁ ମୋ ଗାର୍ଡ଼ ଷ୍ଟେସନ ମାଷ୍ଟରଙ୍କୁ କହିବାରୁ ସେ କହିଲେ ଆଉ ଟିକେ ଅପେକ୍ଷା କର । ପାଖ ପୁଖା ଗାଁର ଲୋକମାନେ ଆସି ଯାଆନ୍ତୁ । ତେଣୁ ପୂରା ଘଣ୍ଟାଏ ଅପେକ୍ଷା କରିବାକୁ ହେଲା । ଏ ଅବସରରେ ଯାତ୍ରୀମାନେ ସାଙ୍ଗରେ ଆଣିଥିବା ଖାଦ୍ୟ ପଦାର୍ଥକୁ ଡବା ଭିତରେ ଖାଇବାପାଇଁ ଆରମ୍ଭ କରି ଦେଲେ । ଛୋଟ ଛୋଟ ପିଲାଙ୍କ ଶୁଖିଲା ମୁହଁରେ ହସ ଫୁଟି ଉଠିଲା । ମହିଳା ଏବଂ କିଶୋରୀ କନ୍ୟାମାନେ ଲଜ୍ଜାବିନମ୍ର ଚକ୍ଷୁରେ ପଦାକୁ ଚାହିଁଲେ । ହଠାତ୍‌ ଢୋଲ ଶବ୍ଦ ଶୁଭିଲା । ମୁଁ ଅନୁମାନ କରିନେଲି ଯେ ଗୋଟାଏ ପଳାତକ ଦଳ ଗାଡ଼ିରେ ଯିବାପାଇଁ ଆସୁଛନ୍ତି । ସେମାନେ ଷ୍ଟେସନର ଯେତିକି ପାଖକୁ ଆସୁଥାନ୍ତି ଢୋଲର ଶବ୍ଦ ସେତିକି ସେତିକି ଅଧିକ ଶୁଭୁଥାଏ । ହଠାତ୍‌ଗୁଳି ଫୁଟିବାର ଶବ୍ଦ ଶୁଣି ନାରୀ ଏବଂ କିଶୋରୀମାନେ ଝରକା ବନ୍ଦ କରିଦେଇ ଡବାର ଅନ୍ଧକାର ମଧ୍ୟରେ ଚୁପ୍‌ଚୁପ୍‌ ବସି ରହିଲେ । ଏମାନେ ହେଲେ ଗୋଟିଏ ମୁସଲମାନ ଦଳ । କାନ୍ଧରେ ସେମାନେ କେଇଟି କାଫେରଙ୍କ ଶବ ବୋହି ଆଣିଥିଲେ । ସସମ୍ମାନେ ଶବଗୁଡ଼ିକୁ ହିନ୍ଦୁସ୍ଥାନରେ ପହଞ୍ଚାଇ ଦେବାପାଇଁ ଗାଡ଼ିରେ ନେବାଲାଗି ବେଲୁଚି ସୈନ୍ୟମାନଙ୍କୁ ହୁକୁମ ଦେଲେ-। ସୈନ୍ୟମାନେ ହୁକୁମ ଅନୁସାରେ ପ୍ରତି ଡବାରେ କେଇଟି ଲେଖାଏଁ ଶୁଆଇ ଦେଲେ ତା ପରେ ପାଟି ତୁଣ୍ଡ କରି ଆଉଥରେ ଗୁଳି ଫୁଟାଇ ମୁସଲମାନ ଦଳ ଫେରି ଆସିଲେ । ଗାଡ଼ି ଛାଡ଼ିବା ପାଇଁ ଷ୍ଟେସନ ମାଷ୍ଟର ଆଦେଶ ଦେଲେ ମୁଁ ଆଗେଇଲି ।

 

କିଛି ବାଟ ଯାଇଛି ହଠାତ୍‌ ଜଣେ କିଏ ମୋର ଚେନ୍‌ ଟାଣିଲେ । ମୁଁ ରହିବା ସଙ୍ଗେ ସଙ୍ଗେ ସେ ଅଞ୍ଚଳର ଜଣେ ମୁସଲମାନ ଜମିଦାର କେତେକ ଲୋକଧରି ଆସି ମୋର ଗୋଟିଏ ଡବା ପାଖରେ ଠିଆ ହେଲେ । ସେ କହିଲେ ଏଇ ଗୋଳମାଳରେ ତାଙ୍କ ଅଞ୍ଚଳରୁ ଦୁଇଶହ ଲୋକ କେଉଁଆଡ଼େ ପଳାଇ ଯାଇଛନ୍ତି । ଏହା କିଛି ସାମାନ୍ୟ କ୍ଷତି ନୁହେଁ । ଏହି କ୍ଷତି ପୂରଣ ପାଇଁ ତାଙ୍କୁ ଦୁଇଶହ ଜଣ ହିନ୍ଦୁ ଓ ଶିଖଙ୍କୁ ଦେବାକୁ ହେବ । ବାସ୍ତବରେ ବଡ଼ ବିଚିତ୍ର ଏ ଦେଶପ୍ରେମ । ଶେଷରେ ବିଭିନ୍ନ ଡବାରୁ ଦୁଇଶହ ଜଣ ହିନ୍ଦୁଙ୍କୁ ନେଇ ଜମିଦାର ତାଙ୍କ ଲୋକଙ୍କ ଜିମା କରିଦେଲେ-

 

ଜମିଦାର ପାଟିକରି ନିର୍ଦ୍ଦେଶ ଦେଲେ—ଏ ଧର୍ମ୍ମଦ୍ରୋହୀ ଗୁଡ଼ାଙ୍କୁ ଗୋଟାଏ ଧାଡ଼ିରେ ଠିଆ କରାଇ ଦିଅ ।

 

ଭୟରେ ଲୋକଗୁଡ଼ା କାଠ ହୋଇଗଲେ । ସତେ ଯେପରି ମୃତ୍ୟୁର ହିମ-ଶୀତଳ ସ୍ପର୍ଶ ହଠାତ୍‌ ତାଙ୍କ ଦେହରେ ଲାଗିଲା । ଜମିଦାରଙ୍କ ଲୋକମାନେ ଧରାଧରି କରି କୌଣସି ମତେ ସେ ଲୋକମାନଙ୍କୁ ଗୋଟିଏ ଧାଡ଼ିରେ ଠିଆ କରାଇ ଦେଲେ । ଦୁଇଶଟି ପଥରର ମଣିଷ.....ସ୍ପନ୍ଦନ ଶୂନ୍ୟ....ମୃତ୍ୟୁ ଭୟରେ ମୁହଁ ସେମାନଙ୍କର ବିବର୍ଣ୍ଣ ହୋଇ ଉଠିଛି । ଚକ୍ଷୁର ମଣିରେ ରକ୍ତ ପିପାସୁର ଶରାଘାତ ସତେ ଯେପରି ଲାଗିଛି ।

 

ବେଲୁଚି ସୈନ୍ୟମାନେ ଆରମ୍ଭ କରିଦେଲେ......

 

ପନ୍ଦର ଜଣ ପଳାତକ ଭୟରେ ଥରିଥରି ଶେଷ ନିଶ୍ୱାସ ତ୍ୟାଗ କରି ଭୂଇଁରେ ପଡ଼ିଗଲେ ।

 

ତକ୍ଷଣିଳା.....

 

ଆଉ କୋଡ଼ିଏ ଜଣ ଭୂଇଁରେ ଲୋଟି ପଡ଼ିଲେ ।

 

ଏସିଆର ସବୁଠୁ ବଡ଼ ବିଶ୍ୱବିଦ୍ୟାଳୟ ଦିନେ ଏଇ ତକ୍ଷଶିଳାରେ ଥିଲା । ଏହି ଶିକ୍ଷାନୁଷ୍ଠାନରେ ଅଗଣିତ ଛାତ୍ର ମାନବସଭ୍ୟତାର ପ୍ରଥମ ପାଠ ଶିକ୍ଷା କରିଥିଲେ ।

 

ଆଉ ପଚାଶ ଜଣ ପଡ଼ିଗଲେ.....

 

ଏଡି ତକ୍ଷଶିଳାର ଯାଦୁଘରେ ପୃଥିବୀର ସର୍ବଶ୍ରେଷ୍ଠ ଶିଳ୍ପ ଓ ଭାସ୍କର୍ଯ୍ୟର ନମୁନା ଯତ୍ନର ସହିତ ସାଇତା ହୋଥ ରଖାଯାଇଛି । ଗୋଟାଏ ଦୃଷ୍ଟିରୁ ଏଇ ତକ୍ଷଶିଳା ଆମ ମହାନ୍‌ ସଭ୍ୟତାର ପ୍ରଜ୍ୱଳିତ ପ୍ରଦୀପ । ତାର ଏଇ ଐତିହ୍ୟର ଆଲୋକ ପାଇଁ ଆମେମାନେ ଗର୍ବ କରୁ ।

 

ଆଉ ପଚାଶ ଜଣ ମାଟିର ମାୟାମମତା କାଟି ଆଖି ବୁଜିଲେ......

 

ଏଇ ତକ୍ଷଶିଳାରେ ଥିଲା ଶିରକପରଙ୍କର ବିରାଟ ରାଜ ପ୍ରାସାଦ.....ଗୋଟାଏ ସୁନ୍ଦର ପାର୍କ...ଗୋଟାଏ ପ୍ରାଚୀନ ନଗରୀର ଧ୍ୱଂସାବଶେଷ ।

 

ଆଉ ତିରିଶ ଜଣ.....

 

ଏଇ ତକ୍ଷଶିଳାରେ ଥିଲା କନିଷ୍କଙ୍କର ରାଜଧାନୀ । ଶାନ୍ତି, ସମୃଦ୍ଧି ଓ ଭାତୃତ୍ୱବୋଧର ମହାନ୍‌ ଶିକ୍ଷା ଏଠି ସେ ଲୋକଙ୍କୁ ଶିଖାଇ ଥିଲେ ।

 

ପୁଣି କୋଡ଼ିଏ ଜଣ......

 

ଆଖପାଖ ଗାଁମାନଙ୍କରେ ବୃଦ୍ଧବାଣୀ ଆଜି ବି ପ୍ରତିଧ୍ୱନିତ ହୋଇ ଉଠୁଛି । ସତ୍ୟ, ସୁନ୍ଦର ଓ ମାନବ ପ୍ରେମର ମହାଶିକ୍ଷା ବୌଦ୍ଧ ଭିକ୍ଷୁମାନେ ବୁଲି ବୁଲି ଏଠି ଲୋକଙ୍କୁ ଶିଖାଉଥିଲେ । ଏଇଠି ପ୍ରଥମେ ଇସ୍‌ଲାମ ଧର୍ମ ଭାତୃତ୍ୱ ଓ ମାନବିକତା ଶିକ୍ଷା ଦେଇଥିଲା ।

 

ଧାଡ଼ିରେ ଠିଆ ହୋଇଥିବା ଅବଶିଷ୍ଟ ଲୋକଙ୍କ ଜୀବନ ପ୍ରଦୀପ ଲିଭିଗଲା ।

 

ପାଟି ଶୁଭିଲା....‘ଆଲ୍ଲାହୋ’ ଆକବର ।

 

ରକ୍ତାକ୍ତ ପ୍ଳାଟଫର୍ମ ଛାଡ଼ି ଶେଷରେ ମୋତେ ଆସିବାକୁ ହେଲା । ପ୍ରତି ପଦେ ପଦେ ମୁଁ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲି । ସତେ ଯେମିତି ମୁଁ ଅଚଳ ହୋଇ ପଡ଼ିଛି....ଚାଲି ପାରୁ ନାହିଁ.....ଆଉ ଚାଲି ବି ପାରିବି ନାହିଁ ।

 

ପ୍ରତି ଡବା ମଝିରେ ଶବ ପଡ଼ିଛି । ତାକୁ ଘେରି ଲୋକେ ବସିଛନ୍ତି । କେଉଁଠି ବିକଳ ହୋଇ ଛୋଟ ପିଲାଟି କାନ୍ଦୁଛି । କେଉଁଠି ବା କ୍ଷତବିକ୍ଷତ ମୃତ ସ୍ୱାମୀକୁ ଜାବୁଡ଼ି ଧରି ସ୍ତ୍ରୀ ଆଖି ପୋଛୁଛି । ଅତି କଷ୍ଟରେ ମୁଁ ଆଗେଇ ଚାଲିଲି । ଆସି ଶେଷରେ ରାଓଲପିଣ୍ଡି ଷ୍ଟେସନରେ ଠିଆ ହେଲି ।

 

ରାଓଲପିଣ୍ଡି ଷ୍ଟେସନ....କୌଣସି ପଳାତକ ଏଠି ମୋର ପ୍ରତୀକ୍ଷାରେ ନାହାଁନ୍ତି । ଖୋଦ୍‌ କେଇଜଣ ମୁସଲମାନ ଯୁବକ ପ୍ରାୟ କୋଡ଼ିଏ ଜଣ ପରଦାପକା ମହିଳାଙ୍କୁ ଧରି ମୋର ଗୋଟାଏ ଡବାରେ ଉଠିଲେ । ଏଇ ଯୁବକମାନେ ସେମାନଙ୍କ ସାଙ୍ଗରେ ରାଇଫଲ୍‌ ଓ ଗୁଳାଗୁଳିରେ କେଇଟି ବାକ୍‌ସ ଆଣିଥିଲେ । ଝେଲମ୍‌ ଓ ଗୁଜୁରଖାନ ମଝିରେ ଶିଂକୁଳି ଟାଣି ସେମାନେ ମୋତେ ଠିଆ କରାଇଲେ । ପରଦା ପକାଇଥିବା ମହିଳାମାନେ ପରଦା ପକାଇ ଦେଇ ହଠାତ୍‌ ଜୋର୍‌ରେ କାନ୍ଦି ଉଠିଲେ—ଆମେମାନେ ସମସ୍ତେ ହିନ୍ଦୁଶିଖ । ଜବରଦସ୍ତ ଏମାନେ ଆମକୁ ଧରି ଆଣିଛନ୍ତି । ପଠାଣ ଯୁବକମାନେ ଅତି ବେଖାତିରିରେ କହିଲେ—ହଁ ଏମାନଙ୍କୁ ଆମେ ଧରି ଆଣିଛୁ । ଯଦି କାର ବଳ ଅଛି ତେବେ ଆସୁ......ସେମାନଙ୍କୁ ରକ୍ଷା କରିବା ପାଇଁ ଗାଡ଼ିରୁ କେଇଜଣ ଯୁବକ ଡେଇଁ ପଡ଼ିଲେ । ସେମାନେ କିଛି କରିବା ପୂର୍ବରୁ ବେଲୁଚି ସୈନ୍ୟମାନେ ତାଙ୍କୁ ଚୁପ୍‌ଚାପ୍‌ ଖତମ କରିଦେଲେ । ତାପରେ ମୁସଲମାନ ଯୁବକମାନେ ଏଇ ଯୁବତୀମାନଙ୍କୁ ଲାଇନ୍‌ପାଖ ଜଙ୍ଗଲକୁ ଜବରଦସ୍ତ ଟାଣି ଟାଣି ନେଇଗଲେ । ଲଜ୍ଜାର କଳାଧୂଆଁ ଛାଡ଼ି ମୁଁ ଆଗେଇଲି । ମୋର ମନେହେଲା ଅପମାନରେ ସତେ ଯେମିତି ମୋର ଲୁହାରେ ଛାତି ମଧ୍ୟ ଫାଟିଯିବ । ମୋ ଆଖି ଆଗରେ ଯୁବତୀମାନଙ୍କ ପ୍ରତି ଯେ ଚରମ ଅପମାନ ଦିଆଗଲା ମୂକ ପାହାଡ଼ ପର୍ବତ ତାର ସାକ୍ଷ୍ୟ ଦେବେ ।

 

ଲାଲମୂଷା ଅଭିମୁଖରେ ମୁଁ ଚାଲିଲି । ମୋ ଡବାରେ ଥିବା ଶବ ଗୁଡ଼ିକ ପଚି ଗଲାଣି । ଦୁର୍ଗନ୍ଧରେ ଆଉ ସମ୍ଭାଳି ହେଉ ନାହିଁ । ଏଥିରୁ ରକ୍ଷା ପାଇବାର ଅନ୍ୟ ଉପାୟ ନ ଦେଖି ବେଲୁଚି ସୈନ୍ୟମାନେ ତାଙ୍କ ଇଚ୍ଛା ଯାହାକୁ ତାକୁ ଶବ ଗୁଡ଼ିକୁ ଟାଣି ତଳକୁ ପକାଇ ଦେବା ପାଇଁ ଆଦେଶ ଦେଲେ । ସେହି ଅନୁସାରେ ଡବାରେ ଏଠି ସେଠି ପଡ଼ିଥିବା ଶବଗୁଡ଼ିକୁ ସେମାନେ କବାଟ ପାଖକୁ ନେଇ ଆସିଲେ । ଶବଗୁଡ଼ିକ ପକାଇ ସାରିବା ପରେ ଶବପକାଳିମାନଙ୍କୁ ବେଲୁଚି ସୈନ୍ୟମାନେ ଧକ୍‌କାଦେଇ ତଳକୁ ଠେଲିଦେଲେ ।

 

ଲାଲମୂଷା ଅତିକ୍ରମ କରି ମୁଁ ଆସି ପଞ୍ଜାବର ବିଖ୍ୟାତ ସହର ଓୟାଜିବାଦରେ ପହଞ୍ଚିଲି-। ଭାରତ ଭାଗ ଭାଗ ହେବା ପୂର୍ବରୁ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଲାଗିଥିବା ଦଙ୍ଗାହେଙ୍ଗାମାରେ ଯେଉଁ ଗୁଳିଗୁଳା ବ୍ୟବହାର ହୋଇଥିଲା ତାହା ସବୁ ଏହିଠାରୁ ଚାଲଣ ହୋଇଥିଲା-। ଓୟାଜିବାଦରେ ପହଞ୍ଚି ମୋର ବୈଶାଖୀ ମେଳା କଥା ମନେ ପଡ଼ିଲା । ହିନ୍ଦୁ ମୁସଲମାନ ମିଳିମିଶି ଅତି ଆନନ୍ଦରେ ଏ ଉତ୍ସବ ପାଳନ କରନ୍ତି । ଏ ମେଳା ସାଧାରଣତଃ ଧାନ ଅମଳ ସମୟରେ ହୋଇଥାଏ । ଓୟାଜିବାଦରେ ପହଞ୍ଚି ଯୁଆଡ଼େ ଚାହିଁଲି ଦେଖିଲି ଖାଲି ମଣିଷର ଶବ-। ଦୂରରେ ସହର ଉପରେ କଳାଧୂଆଁ ଉଠୁଛି । ଷ୍ଟେସନ ପାଖରେ ଦଳେ ଲୋକ ହସ ଖୁସିରେ ଗୀତଗାଇ ତାଳି ମାରୁଥିବାର ଶୁଣିଲି । ମନେ ମନେ ଭାବିଲି ବୋଧହୁଏ ବୈଶାଖୀ ଉତ୍ସବ ଚାଲିଛି-? କିନ୍ତୁ ଠିକ୍‌ପର ମୁହୃର୍ତ୍ତରେ ଜାଣିଲି, ନା ସେସବୁ କିଛି ନୁହେଁ । ଦଳେ ଲୋକ ଷ୍ଟେସନରେ ପହଞ୍ଚି ତାଳିମାରି ଗୀତଗାଇ ନାଚୁଛନ୍ତି । ସେମାନଙ୍କ ମଝିରେ ଦଳେ ଝିଅଙ୍କୁ ଉଲଗ୍ନ ଦଳରେ ବୃଦ୍ଧା, ଯୁବତୀ, କିଶୋରୀ ଏପରିକି ଲଜ୍ଜାର ଗନ୍ଧ ଜାଣି ନ ଥିବା ସାନ ସାନ ବାଳିକାମାନେ ମଧ୍ୟ ଅଛନ୍ତି-। ଏଠି ମହିଳାମାନେ ସମସ୍ତେ ହିନ୍ଦୁ ଓ ଶିଖ୍‌ । ପୁରୁଷମାନେ କେବଳ ମୁସଲମାନ । ଏ ତିନିହେଁ ଏକାଠି ମିଳି ବାସ୍ତବରେ ବିଚିତ୍ର ଉତ୍ସବ ପାଳନ କରୁଛନ୍ତି । ସେମାନଙ୍କ ସୁନ୍ଦର ସରସ ମୁହଁ ଗୁଡ଼ିକ ମଉଳି ପଡ଼ିଛି । ମୁଣ୍ଡର ବାଳ ଫିଟି ଯାଇଛି । ଅଙ୍ଗସାରା ଅପମାନର ଚିହ୍ନ ଭରି ରହିଛି-। ସେମାନଙ୍କୁ ଦେଖଲେ ମନେ ହେଉଥିଲା ଯେମିତି ଗର୍ବରେ ସେମାନଙ୍କ ମୁହଁ ଗମ୍ଭୀର ହୋଇ ପଡ଼ିଛି-। ଶତ ଶତ ଶାଢ଼ି ସେମାନଙ୍କ ଇଜ୍ଜତକୁ ଆବରଣ କରିରଖିଛି । ଚାହାଣୀରେ ଘୃଣାରେ ସାମାନ୍ୟ ଚିହ୍ନମାତ୍ର ନାହିଁ । ସେ ଚାହାଣୀ ଦେଖି ମନେ ହେଉଛି ସତେ ଯେମିତି ଲକ୍ଷ ସତୀର ଗର୍ବ ସେ ଚାହାଣୀରେ ପ୍ରଜ୍ୱଳିତ ହୋଇ ଉଠୁଛି । ଉନ୍ମତପାଗଳ ଜନତା ହଠାତ୍‌ ପାଟି କରି ଉଠିଲେ–ପାକିସ୍ଥାନ ଜିଂଦାବାଦ, ଇସ୍‌ଲାମ ଜିଂଦବାଦ, କାଏଦ୍‌ଏ-ଆଜାମ ଅଲି ଜିଂଦାବାଦ ।

 

ହଠାତ୍‌ ଏଇ ଲୋକମାନେ ମୋର ଡବା ଆଡ଼କୁ ମାଡ଼ି ଆସିଲେ । ଲଜ୍ଜା ଏବଂ ଭୟରେ ସ୍ତ୍ରୀ ଲୋକମାନେ ଆପଣା ଓଢ଼ଣା ପକାଇ ମୁହଁ ଲୁଚାଇ ଦେଲେ । ପାଖରେ ଥିବା ପୁରୁଷମାନେ ତରତର ହୋଇ ଝରକା ଗୁଡ଼ିକ ବନ୍ଦ କରିଦେଲେ ।

 

ଏହା ଦେଖି ବେଲୁଚି ସୈନମାନେ ପାଟି କରି ଉଠିଲେ—ଝରକା କାହିଁକି ବନ୍ଦ କରୁଛ-? ସେମିତି ଖୋଲା ଥାଉ ଡବା ଭିତରକୁ ପବନ ଆସୁ ।

 

ସେମାନଙ୍କ କଥା କେହି ଶୁଣିଲେ ନାହିଁ । ଫଳରେ ଗୁଳି ଚାଲିଲା ଓ ଗୁଳିଖାଇ କେତେଜଣ ପ୍ରାଣ ହରାଇଲେ । ତାପରେ ଆଉ ଦ୍ୱାର ବଂଦ ହୋଇ ନାହିଁ । ଏହି ନଗ୍ନ ସ୍ତ୍ରୀ ଲୋକମାନଙ୍କୁ ମୋ ଡବାରେ ଚଢ଼ାଇ ଦେଇ ଇସଲାମ୍‌ ଜିଂଦାବାଦ—ମହମ୍ମଦ ଅଲ୍ଲି ଜିଂଦାବାଦ ପ୍ରଭୃତି ନାନା ସ୍ଳୋଗାନ ଦେଇ ସେମାନେ ଷ୍ଟେସନରୁ ବିଦାୟ ନେଲେ ।

 

ମୁଁ ଚାଲିଲା ପରେ ଗୋଟାଏ ରୋଗୀଶିଶୁଯାଇ ଜଣେ ସ୍ତ୍ରୀ ଲୋକକୁ ପଚାରିଲା—ମା ତମେ ଏଇଲେ କେଉଁଠୁ ଗାଧୋଇ ଫେରୁଛ ?

 

‘ହଁ, ଗାଧୋଇ ଫେରୁଛି । ଆମ ଦେଶର ମୁସଲମାନ ଯୁବକମାନେ ମୋତେ ଗାଧୋଇ ଦେଇଛନ୍ତି ।’

 

‘ତମ ଲୁଗା କିଏ ନେଲା ? ତମେ.... ?’

 

‘ମୋର ବୈଧବ୍ୟ ଜୀବନର ରକ୍ତପଡ଼ି ସେ ଶାଢ଼ି ନଷ୍ଟ ହୋଇ ଯାଇଥିଲା । ମୋ ଦେଶର ଭାଇମାନେ ସେ ଶାଢ଼ି ନେଇ ଯାଇଛନ୍ତି ।’

 

ଅନ୍ଧକାର ମଧ୍ୟରେ ମୁଁ ଛୁଟିଥାଏ । ହଠାତ୍‌ ଦୁଇଜଣ ନାରୀ ଚିତ୍‌କାର କରି ଡବାରୁ ତଳକୁ ଡେଇଁ ପଡ଼ିଲେ । ଅତି କଷ୍ଟରେ ମୁଁ ଆସି ପହଞ୍ଚିଲି ।

 

ଲାହୋର ଷ୍ଟେସନର ଏକନମ୍ବର ପ୍ଳାଟଫର୍ମରେ ଆସି ମୁଁ ଠିଆ ହେଲି । ଠିକ୍‌ ଏତିକି ବେଳେ ବିପରୀତ ଦିଗକୁ ଦି ନମ୍ବର ପ୍ଳାଟଫର୍ମରେ ପଞ୍ଜାବର ଅମୃତସହରରୁ ଗୋଟାଏ ଗାଡ଼ି ଆସି ପହଞ୍ଚି ଥାଏ । ସେ ଗାଡ଼ିରେ ପୂର୍ବ ପଞ୍ଜାବରୁ ମୁସଲମାନ ପଳାତକ ଆସିଥାନ୍ତି । ଠିକ୍‌ ଏତିକିବେଳେ ଗୋଟିଏ ମୁସଲମାନ ସୈନ୍ୟବାହୀନି ମୋର ବିଭିନ୍ନ ଡବାରେ ପଶି ଲୋକମାନଙ୍କର ପାଖରେ ଯାହା କିଛି ନଗଦ ଟଙ୍କା ପଇସା, ସୁନା ରୂପା ଥିଲା ଧମକାଧମକି କରି ନେଇଗଲା । ତା ପରେ ଚାରିଶ ଜଣ ହିନ୍ଦୁ ପଳାତକଙ୍କୁ ହତ୍ୟା କରିବା ପାଇଁ ଗାଡ଼ିରୁ ନିଆଗଲା । କାରଣ ଅମୃତସରରୁ ଆସିଥିବା ଗାଡ଼ିରେ ମୁସଲମାନମାନଙ୍କୁ ବାଟରେ ଚଢ଼ାଉ କରାଯାଇଥିଲା । ସେହି ଆକ୍ରମଣରେ ଚାରିଶ ଜଣ ମୁସଲମାନ ମୃତ୍ୟୁ ବରଣ କରିଥିଲେ । ସେହି ଦୃଷ୍ଟିରୁ ହିନ୍ଦୁସ୍ଥାନ ଓ ପାକିସ୍ଥାନ ମଧ୍ୟରେ ସମତା ରକ୍ଷା ପାଇଁ ଏଠି ଚାରିଶ ଜଣ ହିନ୍ଦୁଙ୍କୁ ମୃତ୍ୟୁ ବରଣ କରିବାକୁ ହେବ ଓ ପଚାଶ ଜଣ ହିନ୍ଦୁ ଓ ଶିଖ ମହିଳାଙ୍କ ପ୍ରତି ଅତ୍ୟାଚାର କରାଯିବ ।

 

ମୋଘଲପୁର ଷ୍ଟେସନରେ ପ୍ରହରୀମାନଙ୍କର ବଦଳି ହେଲା । ବେଲୁଚି ସୈନ୍ୟଗଲେ; ଶିଖ, ରାଜପୁତ ଓ ଡୋଗରା ପ୍ରହରୀମାନେ ଆସିଲେ । ଅତରି ଷ୍ଟେସନ ପରେ ପରିସ୍ଥିତି ସଂପୂର୍ଣ୍ଣ ବଦଳିଗଲା । ଏଥର ଯୁଆଡ଼େ ଚାହିଁବ କେବଳ ମୁସଲମାନ ପଳାତକଙ୍କ ଶବ । ଗାଡ଼ି ଭିତରେ ଥିବା ହିନ୍ଦୁ ଓ ଶିଖ ପଳାତକମାନେ ଠିକ୍‌ ବୁଝିଲେ ଯେ, ଗାଡ଼ି ଏଥର ଆଜାଦ ହିନ୍ଦୁ ସୀମା ଭିତରେ ପହଞ୍ଚି ଯାଇଛି ।

 

ଅମୃତସରରେ ଗୋଟିଏ ଡବାରେ ଚାରିଜଣ ବ୍ରାହ୍ମଣ ଉଠିଲେ । ଲଲାଟରେ ଚନ୍ଦନ ଓ ଦେହରେ ରାମାନନ୍ଦୀ ଛାପା । ତୀର୍ଥଯାତ୍ରୀ ସେମାନେ । ଶିଖ ଓ ହିନ୍ଦୁମାନେ ହାତରେ ହତିଆର ଧରି ପୂର୍ବ ପଞ୍ଜାବ ଆଡ଼େ ଯାଉଥିବା ଗାଡ଼ି ଅତି ସାବଧାନତାର ସହିତ ତଦାରଖ କରୁଥାନ୍ତି । ଶିକାର ମିଳିବ କି ନାହିଁ ? ଏ ଚାରି ଜଣକୁ ଦେଖି ହଠାତ୍‌ ଜଣେ ସନ୍ଦେହ କରି ପଚାରିଲା–

 

‘‘କୁଆଡ଼େ ବିଜେ କରୁଛନ୍ତି ?’’

 

‘‘ହରଦ୍ୱାର ।’’

 

ତାହାଶୁଣି ଜଣେ ବ୍ୟଙ୍ଗ୍ୟ, କରି ପଚାରିଲା ଠିକ୍‌ କରି କହନ୍ତୁ–‘ହରଦ୍ୱାର ନା ପାକିସ୍ଥାନ-?’ କେଉଁଠିକୁ ଯିବେ ?

 

ଆଲ୍ଲାଙ୍କୁ ସାକ୍ଷୀ ଦେଇ କହୁଛୁ—ଆମକୁ ବିଶ୍ୱାସ କରନ୍ତୁ—ଆମେ ସବୁ ହରଦ୍ୱାର ଯାଉଛୁ ।

 

ତାହାଶୁଣି ଜାଠଟି ହସି ହସି କହିଲା, ବେଶ୍‌ ଭଲ କଥା—ତମକୁ ମୁଁ ସେଇ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ବଳି ଦେବି ।

 

ଏଇଠି ଏଇଠି ପାଟି ଶୁଣି ନାଥ ସିଂ ଦୌଡ଼ି ଆସି ବ୍ରାହ୍ମଣକୁ ସଙ୍ଗେ ସଙ୍ଗେ ହତ୍ୟାକଲା । ଅତ୍ୟ ତିନି ଜଣ ପଳାଇ ଯିବା ପାଇଁ ଚେଷ୍ଟା କରି ମଧ୍ୟ ପଳାଇ ଯାଇ ପାରିଲେ ନାହିଁ ।

 

ନାଥ ସିଂ ଥଟ୍ଟା କରି କହିଲା ଏ ବ୍ରାହ୍ମଣ ସନ୍ନ୍ୟାସୀମାନେ ହରଦ୍ୱାର ଯିବେ । ପ୍ରଥମେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ଚାହି । ତାପରେ ଡାକ୍ତରଙ୍କ ପରି ନାଥ ସିଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଓ ଅବିଳମ୍ବେ ବାକି ତିନି ଜଣ ବ୍ରାହ୍ମଣ ଶେଷ ନିଃଶ୍ୱାସ ତ୍ୟାଗକଲେ ।

 

ମୁଁ ଛୁଟି ଚାଲିଛି । ହଠାତ୍‌ ଜଙ୍ଗଲ ମଝିରେ ଶିକୁଳି ଟାଣି ମୋତେ ଅଟକାଗଲା । ତାପରେ ସତ୍‌ ଶ୍ରୀଆକାଳ ହରହର ମହାଦେବ ଚିତ୍‌କାର ଶୁଣିଲି ତାପରେ ଦେଖିଲି ହିନ୍ଦୁ ପଳାତକ ଓ ସୈନ୍ୟମାନେ ଜଙ୍ଗଲ ଆଡ଼େ ଦୌଡ଼ୁଛନ୍ତି । ମୁଁ ଭାବିଲି ମୁସଲମାନଙ୍କ ଭୟରେ ହିନ୍ଦୁ ପଳାତକମାନେ ବୋଧେ ପ୍ରାଣ ଭୟରେ ପଳାଉଛନ୍ତି । ତାପରେ ସାମାନ୍ୟ ନିରୀକ୍ଷଣ କରି ଦେଖିଲି ମୋର ଅନୁମାନଟି ସଂପୂର୍ଣ୍ଣ ଭ୍ରମ । ଜୀବନ ରକ୍ଷା ପାଇଁ ନୁହେଁ, ଅପରର ଜୀବନ ହରଣ କରିବା ପାଇଁ ଏମାନେ ଧାଇଁଛନ୍ତି । ଅଳ୍ପ କେତେକ ମୁସଲମାନ ସେମାନଙ୍କ ପିଲାପିଲିକୁ ଧରି ଏ ଜଙ୍ଗଲକୁ ପଳାଇ ଆସିଛନ୍ତି । ଅଧଘଣ୍ଟା ଭିତରେ ସବୁକାମ ଶେଷ ହୋଇଗଲା । ବିଜୟ ଗର୍ବରେ ବିଜୟୀମାନେ ଉଲ୍ଲସିତ ହୋଇ ଫେରି ଆସିଲେ । ବର୍ଚ୍ଛାମୂନରେ ଗୋଟିଏ ଛୋଟ ମୁସଲମାନ ଶିଶୁକୁ ଝୁଲାଇ ଅତି ଆନନ୍ଦରେ ନାଚି ନାଚି ଜଣେ ଜାଠ କହୁଥିଲା–ହେ ବୈଶାଖୀ ତମେ ଆସ......ତମେ ଆସ.... ।

 

ଜଳନ୍ଧର ଷ୍ଟେସନ ପାଖରେ କେତେଘର ମୁସଲମାନ ଅଛନ୍ତି । ମୋତେ ଅଟକାଇ ହିନ୍ଦୁମାନେ ଏଗାଁରେ ପଶି କନ୍ଦଳ ଆରମ୍ଭ କଲେ । ଆତ୍ମରକ୍ଷା କରିବା ପାଇଁ ପଠାଣମାନେ ପ୍ରାଣଦେଇ ଶେଷ ପର୍ଯ୍ୟନ୍ତ ଲଢ଼ିଲେ; କିନ୍ତୁ ଅଳ୍ପ ମୁସଲମାନ ଥିବାରୁ ପରାଜିତ ହେଲେ । ଲଢ଼େଇରେ ସମସ୍ତ ମୁସଲମାନ ପ୍ରାଣଦେଲେ । ତାପରେ ଆସିଲା ମୁସଲମାନ ମହିଳାମାନଙ୍କ ପାଳି ।

 

ବିରାଟ ପ୍ରାନ୍ତର ମଝିରେ ଥିବା ଘନଜଙ୍ଗଲ ମଧ୍ୟରେ ସେମାନଙ୍କୁ ତାଙ୍କର ନାରୀତ୍ୱର ବଳିଦେବାକୁ ପଡ଼ିଲା । ଏହି ଜମିରେ ହିନ୍ଦୁ ମୁସଲମାନ କୃଷକ ମିଳିମିଶି ଚାଷବାସ କରନ୍ତି । ଏହି ଜମି ଉପରେ ସୁନାର ଫସଲ ଫୁଟି ମନରେ ସ୍ୱପ୍ନ ସୃଷ୍ଟି କରେ । କାମ କରି କ୍ଳାନ୍ତ ହୋଇ ପଡ଼ିଲେ କୃଷକ ଆସି ଏଇ ଶାଳବନ ଛାଇରେ ବସି ରହେ । ଦୂରରୁ ତା ସ୍ତ୍ରୀର ଧୀର ଗମନ ଚାଲିକୁ ଲକ୍ଷ୍ୟ କରେ । ସ୍ତ୍ରୀ ସ୍ୱାମୀ ପାଇଁ ଲସି, ଲହୁଣି ଓ ରୁଟି ମୁଣ୍ଡରେ ଧରି କ୍ଷେତକୁ ଆସେ । ଏଇ ହେଲା ପଞ୍ଜାବର ବାସ୍ତବ ଚିତ୍ର, ପ୍ରାଣ କେଂଦ୍ର, ହୃଦୟ ଆଲେଖ୍ୟ । ଏଠି ସୋହାନୀ, ମହିଓୟାଲ ହୀରା ଓ ରନ୍‌ଝା ଜନ୍ମଗ୍ରହଣ କରିଥିଲେ । ସେଦିନ ସତେ କଣ ଫେରି ଆସିବ ନାହିଁ ? ଧୀର ଶାନ୍ତ ଚେନାବ୍‌ ସତେ କଣ ଆଉ ପୂର୍ବପରି ବୋହିବ ନାହିଁ ? ସତେ କଣ ସୋହାନୀ, ହୀରା ଓ ରନ୍‌ଝାର ସଂଗୀତ ଆଉ ଶୁଣାଯିବ ନାହିଁ ? ଯେଉଁ ନେତାମାନେ ଏ ମାଟିକୁ ଫାଳ ଫାଳ କରିଦେଲେ, ଭାଇ ଭାଇ ମଧ୍ୟରେ କଳିଲଗାଇ ଦେଲେ, ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଲେ, ଭଗବାନ ସେମାନକୁ ଶାସ୍ତି ଦିଅନ୍ତୁ, ଅଭିଶାପ ଦିଅନ୍ତୁ । ସେମାନଙ୍କ ବଂଶ ବୁଡ଼ି ଯାଉ । ପଞ୍ଜାବର କୃଷ୍ଟ ଆଜି ଯେ ନଷ୍ଟ ହୋଇ ଯାଇଛି, ପଞ୍ଜାବ ଆଜି ଯେ ମରି ଯାଇଛି ଏଥିରେ ଅଣୁମାତ୍ର ସଂଦେହ ନାହିଁ । ମୋର ଆଖି କାନ କିଛି ନାହିଁ ତଥାପି ବି ଏଇ ମାଟି ଉପରେ ମୁଁ ମୃତ୍ୟୁର ଶୀତଳ ସ୍ପର୍ଶ ଅନୁଭବ କରୁଛି ।

 

ସୈନ୍ୟମାନେ ସାଙ୍ଗରେ ମୁସଲମାନ ସ୍ତ୍ରୀ ଓ ପିଲାମାନଙ୍କ ଶବ ନେଇ ଫେରି ଆସିଲେ-। କିଛି ବାଟ ଯାଇଛି ରାସ୍ତାରେ ଗୋଟାଏ ଗାଡ଼ିଆ ପଡ଼ିଲା । ସେଠି ଚେନ୍‌ଟାଣି ମୋତେ ବଂଦ କରାଗଲା ଓ ଶବ ଗୁଡ଼ିକୁ ସେଇ ଗାତରେ ପକାଇ ଦିଆଗଲା । ମଣିଷ ଶିକାର କରି କ୍ଳାନ୍ତ ହୋଇ ପଡ଼ିଥିବା ଦେହକୁ ସାମାନ୍ୟ ଶାନ୍ତି ଦେବା ପାଇଁ ସେମାନେ ଗଛରେ ଝୁଲୁଥିବା ତାଡ଼ିହାଣ୍ଡି ଖୋଲି ମଦ ପିଇଲେ ।

 

ମୁଁ ଆସି ଲୁଧିଆନା ଷ୍ଟେସନରେ ପହଞ୍ଚିଲି । ସହରଟିକୁ ଲୁଟି କରିବା ପାଇଁ ସେମାନେ ଦଉଡ଼ିଲେ । ଦୋକାନ ବଜାର, ଘର ଦ୍ୱାର ଲୁଟି ସେମାନେ ଦି’ଘଣ୍ଟା ମଧ୍ୟରେ ଫେରି ଆସିଲେ । ବାଟଯାକ ଏମିତି ଲୁଟ୍‌ତରାଜ ଓ ହତ୍ୟାକାଣ୍ଡ ଚାଲିଯାଏ । ମୋ ଡବାରେ ଯେମିତି ହଣାମରା ଓ ରକ୍ତର ହୁରିଖେଳ ହେଲା ସେଥିରେ ମୁଁ ବିଶେଷ କ୍ଳାନ୍ତ ହୋଇପଡ଼ିଲି । ଗାଧୋଇବା ପାଇଁ ମୁଁ ବ୍ୟାକୁଳ ହୋଇଉଠିଲି । ମୁଁ ଅବଶ୍ୟ ଜାଣେ ରାସ୍ତାରେ ଗାଧୋଇବାର ସୁଯୋଗ ମୋତେ ମିଳିବ ନାହିଁ ।

 

ରାତି ଅଧ ବେଳକୁ ଅମ୍ବାଲା ଷ୍ଟେସନରେ ପହଞ୍ଚିଲି । ଚାରିଆଡ଼େ କଡ଼ା ପୋଲିସ ପହରା । ମୋର ପ୍ରଥମ ଶ୍ରେଣୀର ଗୋଟିଏ ଡବାରେ ଜଣେ ମୁସଲମାନ୍‌ କମିସନର ସପରିବାର ଉଠିଲେ । ତାଙ୍କର ଜୀବନ ଓ ଧନର ନିରାପତା ରକ୍ଷା ପାଇଁ ଏହି ମୁସଲମାନ ସୈନ୍ୟମାନଙ୍କୁ କଡ଼ା ଆଦେଶ ଦିଆ ଯାଇଥିଲା ।

 

ରାତି ଦି’ଟାରେ ଅମ୍ବାଲା ଷ୍ଟେସନ ଛାଡ଼ିଲା । ଅଳ୍ପ ବାଟ ଆସିଛି ଜଣେ କିଏ ଚେନ୍‌ଟାଣି ମୋତେ ଅଟକାଇଲେ । ପଦସ୍ଥ କର୍ମଚାରୀଙ୍କ ଡବାଟି ଭିତର ପାଖୁ ବଂଦ ଥିଲା । ବାହାରୁ ଝରକା ଭାଂଗି ଭିତରେ ପଶି ଅଫିସର, ଅଫିସରଙ୍କ ସ୍ତ୍ରୀ ଓ ତାଙ୍କର ତିନୋଟି ସନ୍ତାନକୁ ହତ୍ୟା କରାଗଲା । ବାକି ରହିଲା ଅଫିସରଙ୍କ ସୁନ୍ଦରୀ ଯୁବତୀ ଝିଅଟି । ତାକୁ ସେମାନେ ହତ୍ୟା କରି ନ ଥିଲେ । ଅଫିରସଙ୍କ ଧନ ସଂପତ୍ତି, ପଇସା ପତ୍ର ଯାହା କିଛି ଥିଲା ତାକୁ ଓ ଏଇ ଯୁବତୀ ଝିଅଟିକୁ ସାଙ୍ଗରେ ଧରି ସେମାନେ ଲାଇନ ପାଖ ଜଙ୍ଗଲକୁ ଗଲେ । ଝିଅଟି ହାତରେ ଖଣ୍ଡିଏ ବହି ଧରି ଥିଲା ।

 

ଝିଅଟିକୁ କଣ କରିବେ ପ୍ରାଣରେ ରଖିବେ ନା ହତ୍ୟା କରିବେ, ଆଲୋଚନା ଚାଲିଲା । ଝିଅଟି ସେକଥା ଶୁଣି ସେମାନଙ୍କୁ କହିଲା—ମୋତେ ମାରିଦିଅ ନାହିଁ । ମୁଁ ମୋର ଧର୍ମ ବଦଳାଇବାକୁ ପ୍ରସ୍ତୁତ ଅଛି । ଆପଣଙ୍କ ଭିତରୁ ମୋତେ କେହି ଜଣେ ବିବାହ ହୋଇ ଯାଆନ୍ତୁ ।

 

ଏକଥା ଶୁଣି ଜଣେ ଯୁବକ କହିଲା—ହଁ ଠିକ୍‌ କଥା । ମୁଁ ଭାବୁଛି ୟାକୁ ମୋର ବିଭାହୋଇ ଯିବା ଉଚିତ । ଏ ଯୁବକଙ୍କ ପାଟିରୁ କଥା ସରିଛି କି ନାହିଁ ଅନ୍ୟଜଣେ ଯୁବକ ଝିଅଟିର ଛାତିରେ ଛୁରି ବସାଇ ଦେଇ କହିଲା—ଆଉବେଶି ବକ୍‌ବକ୍‌ କର ନାହିଁ । ଚାଲ ଫେରି ଚାଲ । ଏମିତି ବହୁତ ଆଲୋଚନା ହୋଇଛି ।

 

ଶୁଖିଲା ଘାସ ଉପରେ ଝିଅଟିର ଶେଷ ନିଃଶ୍ୱାସ ବାହାରି ଗଲା । ହାତରେ ଥିବା ବହିଟି ରକ୍ତରେ ଭିଜିଗଲା—ଏ ବହିଟି ସମାଜତନ୍ତ୍ର ଉପରେ ଲେଖା । ହୁଏ ତ ଝିଅଟି ଦେଶ ଓ ଜାତିର ସେବା କରିବା ପାଇଁ ପଣ କରିଥିଲା । ସେ ହୁଏତ ଚାହିଁ ଥିଲା ଜଣକୁ କାହାକୁ ଗଭୀର ଭାବେ ଭଲ ପାଇବାକୁ । ......ପ୍ରତିବଦଳରେ ତା’ଠାରୁ ସ୍ନେହ ଓ ପ୍ରେମ ଆଲିଙ୍ଗନ ପାଇବା ପାଇଁ । ହୁଏ ତ ଚାହିଁ ଥିଲା ଶିଶୁର ଲାଲ ଗୁଲୁ ଗୁଲୁ ଓଠର ଚୁମ୍ବନ । ଏ ଏକାଧାରରେ ଯୁବତୀ, ସ୍ତ୍ରୀ, ପ୍ରେମିକା, ସସ୍ମିତା ନାରୀ, ପ୍ରକୃତିର ରହସ୍ୟମୟ ସୃଷ୍ଟିର ନମୁନା ଥିଲା । ସେ ଆଜି.......ଗଭୀର ବନାନି ମଧ୍ୟରେ ମରି ପଡ଼ିଛି । ସେ ଦେହ ଶୃଗାଳ ଓ ଶାଗୁଣାର ଖାଦ୍ୟ । ବୁଦ୍ଧିମତୀ ଯୁବତୀଟି ପାଖରେ ପଡ଼ିଛି ‘ସମାଜତନ୍ତ୍ରବାଦ-ମତ ଓ ପଥ’ ବହିଟି । ରକ୍ତ ପିପାସୁ ପଶୁଗୁଡ଼ାଙ୍କ ପାଇଁ ଆଜି ସବୁ କିଛି ନଷ୍ଟ ହୋଇଗଲା ।

 

ଆଶାହୀନ ଅନ୍ଧକାର ରାତିରେ ମୁଁ ଆଗେଇ ଚାଲିଛି । ମୋର ଡବାରେ ସେମାନେ ମଦ-ତାଡ଼ି ଖାଇ ହତ୍ୟା ତାଣ୍ଡବରେ ମଜିଯାଇ ଅତି ଆନନ୍ଦରେ ‘ମହାତ୍ମା ଗାନ୍ଧୀକି ଜୟ’ ବୋଲି ସୋଲ୍‌ଗାନ ଦେଇ ଚାଲିଛନ୍ତି ।

 

ବହୁଦିନ ପରେ ଆଜି ମୁଁ ବମ୍ୱେ ଫେରି ଆସିଛି । ଏଠି ମୋତେ ଧୂଆଧୋଇ କରି ପରିଷ୍କାର ପରିଚ୍ଛନ୍ନ କରି ଟ୍ରେନ ସେଡ଼୍‌ତଳେ ରଖା ଯାଇଛି । ମୋ ଦେହରେ ଆଉ ରକ୍ତର ଛାପା ଲାଗି ନାହିଁ । ସେହି ରକ୍ତ ପିପାସୁ ଦଳଙ୍କ କ୍ରୂର ଅଟ୍ଟହାସ୍ୟ ଆଉ ମୁଁ ଶୁଣି ପାରୁ ନାହିଁ; କିନ୍ତୁ ରାତିରେ ଏକୁଟିଆ ଥିଲାବେଳେ ମୃତବ୍ୟକ୍ତିଙ୍କ ପ୍ରେତାତ୍ମା ଜାଗି ଉଠିଲା ପରି ମନେ ହେଉଛି । ବାରମ୍ୱାର ମୁଁ ସେ ଆହତ ବ୍ୟକ୍ତିମାନଙ୍କର ଚିତ୍‌କାର, ଶିଶୁ ଓ ନାରୀମାନଙ୍କ କରୁଣ କ୍ରନ୍ଦନର ସ୍ୱର ଶୁଣି ପାରୁଛି । ମନେ ମନେ ଭଗବାନଙ୍କୁ ଡାକେ—ସେ ଭୟଙ୍କର ଅଞ୍ଚଳକୁ ମୋତେ ଆଉ ଯେମିତି ଯିବାକୁ ନ ପଡ଼େ । ପୁଣି ଯେଉଁ ଦିନ ପଞ୍ଜାବ ମାଟିରେ ହସି ଉଠିବ ସବୁଜ ଶସ୍ୟ, ହୀରା ଓ ରାନ୍‌ଝାଙ୍କର ଶାଶ୍ୱତ ସଂଗୀତ ଶୁଣାଯିବ, ହିନ୍ଦୁ, ଶିଖ ମୁସଲମାନ ମିଳିମିଶି କ୍ଷେତରେ ବୀଜ ବପନ କରି ଶସ୍ୟ ଅମଳ କରିବେ, ଶିଶୁ ଓ ମହିଳା ମାନଙ୍କୁ ଉପଯୁକ୍ତ ସ୍ନେହ ଓ ସମ୍ମାନ ଲୋକମାନେ ଦେଖାଇବେ, ସେ ଦିନ ମୁଁ ବିନା ଆପତ୍ତିରେ ପଞ୍ଜାବକୁ ଯିବି ।

 

ଶୁଖିଲା କାଠରେ ମୋ ଦେହ ତିଆର ହୋଇଥିଲେ ମଧ୍ୟ ପ୍ରତିହିଂସା ଓ ଘୃଣା ମନୋବୃତ୍ତି ଥିବା ଯାତ୍ରୀଙ୍କୁ ନେଇ ଏପରି ନାରକୀୟ ଓ ବୀଭତ୍ସ ଅଞ୍ଚଳକୁ ମୋତେ ଆଉଥରେ ପଠାଇବା ପାଇଁ ମୁଁ ଚାହେଁ ନାହିଁ । ଖାଦ୍ୟସାମଗ୍ରୀ ଭର୍ତ୍ତିକରି ତମେ ମୋତେ ଦୁର୍ଭିକ୍ଷ ଅଞ୍ଚଳକୁ, ଲୁହା କୋଇଲା ଆମଦାନି ପାଇଁ ଶିଳ୍ପ ଅଞ୍ଚଳକୁ କିମ୍ୱା ପଲ୍ଲୀର କୃଷକ ଲାଗି ସାର ବୋହି ନେବା ନିମନ୍ତେ ସୁଦୂର ପଲ୍ଲୀ ଅଞ୍ଚଳକୁ ପଠାଅ ମୁଁ ଖୁସରେ ଯିବି । ମୃତ୍ୟୁ ଓ ଧ୍ୱଂସର ଲାଗି ତମେ ମୋତେ ଆଉ ପଠାଅ ନାହିଁ । ମୁଁ ଚାହେଁ ମୋ ଡବାରେ ମୋ ଦେଶରେ ସୁଖୀ ଚାଷୀ ଓ ମଜଦୁର ସପରିବାର ଯାତ୍ରା କରନ୍ତୁ । ସେମାନଙ୍କର ଛୋଟ ଛୋଟ ଶିଶୁମାନଙ୍କର ପଦ୍ମ ଫୁଲପରି ମୁହଁ ଗୁଡ଼ିକ ଫୁଟି ଉଠୁ । ଜୀବନ-ଯାତ୍ରା ପଥରେ ସେମାନେ ଧୀରେ ଧୀରେ ବୟସ୍କ ହୋଇ ଉଠନ୍ତୁ । ସେମାନେ ବଡ଼ ହୋଇ ହିନ୍ଦୁ କିମ୍ୱା ମୁସଲମାନ ନ ହୋଇ ହୁଅନ୍ତୁ ମଣିଷ ।

Image

 

Unknown

ମହାଲକ୍ଷ୍ମୀ ବ୍ରିଜ୍‌

 

ମହାଲକ୍ଷ୍ମୀ ବ୍ରିଜକୁ ଲାଗି ରତ୍ନମନ୍ଦିର ଅଛି । ଘୋଡ଼ା ଦୌଡ଼ ମଠ କହିଲେ ଲୋକେ ଏହି ମନ୍ଦିରକୁ ବୁଝନ୍ତି । ଏହି ଠାକୁରଙ୍କ ମାଳି ଅତି କଷ୍ଟରେ ଥାଏ । ଅନେକ ଲୋକ ଅବଶ୍ୟ ଏଠିକି ଆସି ଦାନଧର୍ମ୍ମ, ଭୋଗରାଗରେ ତାଙ୍କର ସର୍ବସ୍ୱ ସାରି ଫେରନ୍ତି । ଏହି ଘୋଡ଼ା ଦୌଡ଼ ମଠ ପାଖରେ ସହରର ବିରାଟ ପ୍ରଶସ୍ତ ନର୍ଦ୍ଦମାଟି ବହି ଯାଇଛି । ଏହି ଠାକୁର ଯେମିତି ମଣିଷ ମନର ଆବିଳତାକୁ ପୋଛି ନିଅନ୍ତ, ସେହିପରି ଦେହର ମଇଳା ଏଇ ନର୍ଦ୍ଦମାରେ ବହିଯାଏ ଏହି ମନ୍ଦିର ଓ ନର୍ଦ୍ଦମା ମଝିରେ ଅଛି ଆମ ଏଇ ମହାଲକ୍ଷ୍ମୀ ବ୍ରିଜ ।

 

ବ୍ରିଜର ବାଁ ପାଖ ରେଲିଂରେ ଛ’ଟି ଶାଢ଼ି ଶୁଖୁଛି । ପ୍ରତିଦିନ ଏଠି ଏଇ ଛ’ଟି ଶାଢ଼ି ଶୁଖୀ ଯାଉଥିବାର ଦେଖାଯାଏ । ଶାଢ଼ିର ମାଲିକମାନଙ୍କ ପରି ଶାଢ଼ିଗୁଡ଼ିକ ଅତି କମ୍‌ଦାମର । ସହର ତଳି ଟ୍ରେନରେ ଗଲାବେଳେ ବ୍ରିଜ୍‌ଉପରୁ ଏହି ଶାଢ଼ିଗୁଡ଼ିକ ଦେଖାଯାଏ । କ୍ଷଣକ ପାଇଁ ହେଉପଛେ, ଲାଲ, ମିଇଳା, ପିଙ୍ଗଳ, ନୀଳ, ଧୁପ୍‌ଚ୍ଛାୟା ରଂଗର ପାଟ ଗୁଡ଼ିକ କ୍ଳାନ୍ତ ଯାତ୍ରୀମାନଙ୍କ ସମ୍ମୁଖରେ ନାଚି ଯାଏ । ଏତେ ଶୀଘ୍ର ଗାଡ଼ି ଆଗକୁ ଧାଇଁଯାଏ ଯେ ଯାତ୍ରୀ ଏକ ଲୟରେ କୌଣସି କଥା ଭାବି ପାରେ ନାହିଁ । ବରାବର ଧୋଇବା ଫଳରେ ଶାଢ଼ିଗୁଡ଼ିକର ରଙ୍ଗ ଛାଡ଼ି ଯାଇଥାଏ ।

 

ଶାଢ଼ି ରଙ୍ଗର ପୂର୍ବ ଚାକ୍‌ଚକ୍‌ ଆଉ ନାହିଁ । ବରାବର ଧୋଇବା ଓ ଶୁଖେଇବା ଫଳରେ ଶାଢ଼ିଗୁଡ଼ିକ ଆଜି ଏପରି ଜୀର୍ଣ୍ଣ-ଶୀର୍ଣ୍ଣ ହୋଇପଡ଼ିଛି । ଶାଢ଼ିଗୁଡ଼ିକ ଚିରା । ଛୋଟ ବଡ଼ ଚିରା କଳା ସୂତାରେ ସିଲେଇ ହୋଇଛି ।

 

କେତେକ ସ୍ଥାନରେ ସେ ସୂତାଗୁଡ଼ିକ ମଧ୍ୟ ଫିଟିଯାଇଛି । ଅନେକ ସ୍ଥାନରେ ସିଲେଇ ହୋଇଥିବା ଜାଗାରେ ମଳି ଏତେ ଜୋରରେ ବସି ଯାଇଛି ଯେ ବାରମ୍ୱାର ଧୂଆ ହେଲେ ମଧ୍ୟ ତାହା ପରିଷ୍କାର ହେଉନାହିଁ । ଯୋଡ଼େଇ ଜାଗାରେ ମଳି ଜମି ରହିବା ଫଳରେ ମଧ୍ୟ ଶାଢ଼ି ଗୁଡ଼ିକ ଅଧିକ ଅସୁନ୍ଦର ତଥା ମଳିନ ମନେ ହେଉଛି ।

 

ଏ ସବୁ ଶାଢ଼ିର ଇତିହାସ ମୋତେ ଜଣା । କାରଣ ଏ ଶାଢ଼ି ବ୍ୟବହାର କରୁଥିବା ଲୋକମାନେ ମୋର ଚିହ୍ନା । ମହାଲକ୍ଷ୍ମୀ ବି ଜର ନିକଟରେ ଥିବା ଆଠ ନମ୍ୱର ଶ୍ରମିକ ସାହିରେ ଏମାନେ ଥାଆନ୍ତି । ଏଇ ଚାହାନ୍ତୁ.....ଦିଶୁଛି । ଏଇ ଲୋକମାନଙ୍କ ବିଷୟରେ ଜାଣିବା ପାଇଁ ଆପଣ କଣ ଆଗ୍ରହୀ ନୁହନ୍ତି ? ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ଟ୍ରେନ ପାଇଁ ଆମେ ଦୁହେଁ ତ ଏଠି ଅପେକ୍ଷା କରିଛେ । ଗାଡ଼ି ଆସିବା ପାଇଁ ଡେରି ଅଛି । ଏଇ ଅବସରରେ ଆପଣଙ୍କୁ ମୁଁ ଏଇ ଶାଢ଼ିଗୁଡ଼ିକର ଇତିହାସ କହୁଛି । ଦୟାକରି ଶୁଣନ୍ତୁ ।

 

ସବାଶେଷ ଓ ତା ପାଖକୁ ଲାଗି ଶୁଖୁଥିବା ଧୂସର ରଙ୍ଗ ଶାଢ଼ିଟିକି ଚାହଁନ୍ତୁ । ଶେଷ ଶାଢ଼ିର ରଙ୍ଗଟା ଟିକେ ଅଧିକ ଫିକା । ଏଇ ଶାଢ଼ି ପିନ୍ଧାଳୀମାନେ କିପରି ଜୀବନ ନିର୍ବାହ କରନ୍ତି ସେ ବିଷୟରେ ମୁଁ ଯେପରି ଜାଣେ ଏଇ ଶାଢ଼ି ଦୁଇଟିର ରଙ୍ଗ ମଧ୍ୟରେ ଥିବା ପ୍ରାର୍ଥକ୍ୟଟାକୁ ଆପଣ ସେପରି ହୁଏ ତ ଲକ୍ଷ୍ୟକରି ପାରୁ ନ ଥିବେ । ଶାଢ଼ି ଗୁଡ଼ିକ ପ୍ରାୟ ସବୁ ସମାନ । ଶାଢ଼ିଗୁଡ଼ିକ ମଧ୍ୟରେ ବହୁ ସାଦୃଶ୍ୟ ଥିଲେ ମଧ୍ୟ ବାମ ପାର୍ଶ୍ୱର ଏକ ଦମ୍‌ ଶେଷରେ ଶୁଖୁଥିବା ଶାଢ଼ିଟି ସାମାନ୍ୟ ଅଧିକ ପାଣ୍ଡୁର ରଙ୍ଗର ଓ ତା ପାଖ ଶାଢ଼ିଟି ଅଧିକ ପିଙ୍ଗଳ ରଙ୍ଗର । ଏଇ ଶେଷ ଶାଢ଼ିଟା ଶାନ୍ତା-ବାଈର ଓ ପାଖଟା ଜୀବନବାଈର ।

 

ଶାନ୍ତାବାଈର ଜୀବନପରି ଶାଢ଼ିଟି ଆଜି ତାର ନିଷ୍ପ୍ରଭ ହୋଇ ପଡ଼ିଛି । ବଡ଼ ଲୋକଙ୍କ ଘରେ ବାସନ ମାଜି ସେ ପେଟ ପୋଷେ । ତାର ତିନିଟା ପିଲା । ଗୋଟିଏ ଝିଅ ଓ ଦୁଇଟି ପୁଅ । ଝିଅଟି ବଡ଼ । ଝିଅଟିକୁ ଛ ବର୍ଷ ଓ ସାନ ପୁଅଟିକୁ ମୋଟେ ଦି’ ବର୍ଷ । ସେସୁନ୍‌ ଲୁଗା କଳରେ ତାର ସ୍ୱାମୀ କାମ କରେ । ରାତି ପାହିବା ସଙ୍ଗେ ସଙ୍ଗେ ତାକୁ କଳକୁ ଯିବାକୁ ପଡ଼େ । ଶାନ୍ତାକୁ ସକାଳବେଳା ରୋଷଇ କରିବାକୁ ସମୟ ମିଳେନି । ସେମାନେ ରାତିରେ ଦିନ ପାଇଁ ରୋଷଇ କରି ଦିନବେଳା ତାକୁ ଖାଆନ୍ତି । ରୋଷେଇ କରିବା ପାଇଁ ମଧ୍ୟ ଶାନ୍ତାକୁ ସକାଳେ ବେଳ ହୁଏ ନାହିଁ । କାରଣ ବାସନ ମାଜିବାପାଇଁ ଶାନ୍ତାକୁ ଭୋର ଭୋର ଯିବାକୁ ପଡ଼ିଥାଏ । ଅନେକ ସମୟରେ ସ୍ୱାମୀ କଳକୁ ଯିବା ପୂର୍ବରୁ ସେ କାମକୁ ଯାଏ । ସାଥିରେ ଝିଅଟିକୁ ବି ନିଏ । କାରଣ ଆଜିଠୁ ତାକୁ ବି ତ କାମ କରିବାକୁ ହେବ । ବାସନ ମାଜିବାର କଳା ବିଦ୍ୟାଟା ଆଜିଠୁ ଶିକ୍ଷା ନ କଲେ ସେ ପରେ ବଞ୍ଚିବ କିପରି ? ମା ଝିଅ ଭୋରୁ ଉଠି ଯାଆନ୍ତି ଯେ ଫେରୁଫେରୁ ଦି’ଟା ବାଜିଯାଏ । ତା ପରେ ଆସି ରୋଷେଇ ପାଇଁ ଚୁଲି ଲଗାନ୍ତି । ଦିନରେ ଦି’ଟା ଓ ରାତିରେ ଦଶଟା ପରେ ସମସ୍ତଙ୍କ ଚୁଲି ଲିଭିଲା ବେଳେ ତାଙ୍କ ଚୁଲି ଲାଗେ । ତା ପୂର୍ବରୁ ସେତ ଅନ୍ୟଲୋକଙ୍କ କାମ କରୁଥାଏ ନିଜ ଚୁଲି କିପରି ବା ଲଗାନ୍ତା ? ଝିଅଟି ଆଜି ତାର ବଡ଼ ହୋଇ ଯାଇଛି । ବୟସ ଛ... । ଅଧିକାଂଶ ସମୟରେ ସେ ତାର ମା’କୁ କାମରେ ସାହାଯ୍ୟ କରେ । ମା ବାସନ ମାଜେ । ଝିଅ ସେଗୁଡ଼ିକ ଧୋଇଦିଏ । ଧୋଇବା ବେଳେ କେବେ କେବେ ଦୁଇଟା ପ୍ଳେଟ୍‍ ତା ହାତରୁ ଖସିପଡ଼ି ଭାଙ୍ଗିଯାଏ । ଯେଉଁଦିନ ଝିଅଟିର ମୁହଁ ଫୁଲିଥାଏ ଓ ଆଖି ଦୁଇଟି ଲାଲ ଦିଶୁଥାଏ ସେଦିନ କୌଣସି ବାବୁଙ୍କ ଘରେ ପ୍ଳେଟ ଭାଙ୍ଗିଛି ବୋଲି ମୁଁ ବେଶ୍‌ ଅନୁମାନ କରେ । ସେଦିନ ଶାନ୍ତା ବାଈ ଆଉ ହସି ହସି କଥା କହେ ନାହିଁ । ଝିଅକୁ ଗାଳି ଦେଇ ଦେଇ ସେ ଘରକୁ ଫେରେ ଓ ରୋଷେଇ କରୁଥିବା ବେଳେ ଗାରୁ ଗାରୁ ହେଉଥାଏ । କେବେ କେବେ ବିରକ୍ତ ହୋଇ ଆପଣାର ଦି’ବର୍ଷର ଛୋଟ ପିଲାଟିକୁ ମାଡ଼ ମାରେ, ପିଲାଟି ଜୋରରେ କାନ୍ଦେ । ମୋଟେ ତୁନି ହୁଏ ନି । ଆପଣାର କ୍ରୋଧ ସମ୍ଭାଳି ନପାରି ଶାନ୍ତା ବାଈ ଖୁବ୍‌ ଜୋର୍‌ରେ ପିଲାକୁ ଗୋଟାକ ପରେ ଗୋଟାଏ ଚାପୁଡ଼ା ମାରିଯାଏ । ଫଳରେ ଶିଶୁ ପୂର୍ବାପେକ୍ଷା ଅଧିକ ଚିତ୍‌କାର କରେ । ଶିଶୁର ଚିତ୍‌କାର ବଢ଼ିବା ସଙ୍ଗେ ସଙ୍ଗେ ମା’ର ଗଳାର ରୁକ୍ଷ ଗର୍ଜ୍ଜନ ମଧ୍ୟ ଅଧିକ ରୁକ୍ଷ ହୋଇ ପଡ଼େ । ଅଧିକାଂଶ ସମୟରେ ପିଲାଟି ତୁହାଇ ତୁହାଇ କାନ୍ଦୁଥିବାର ଦେଖେ । ପିଲାଟିର ହସ ଗୁଲୁ ଗୁଲୁ କରି କଥା କହିବାର ମୁଁ କେବେ ଦେଖି କି ଶୁଣି ନାହିଁ । କାନ୍ଦିବା ଓ ଖାଇବା ପାଇଁ ଅଳି କରିବାରେ ତାର ଦିନ ଯାଏ ଦି’ ବରଷର ପିଲା ବକଟେ । ଟୋପେ ଦୁଧ ତା ମୁହଁରେ ବାଜିନି । ଦୁଧ କିଣି ଖାଇବା ସେମାନଙ୍କ ଶକ୍ତିର ବାହାରେ । ତେଣୁ ଏ ସାହିରେ ଏ ବୟସର ସବୁ ଶିଶୁଙ୍କ ପରି ସେ ମୋଟା ରୁଟି ଖାଏ । ଜନ୍ମହେବାର ଛ’ମାସ ପର୍ଯ୍ୟନ୍ତ ମା ଦୁଧ ମଧ୍ୟ ଖାଇବାର ସୌଭାଗ୍ୟ ଏମାନଙ୍କୁ ଯୁଟେ ନାହିଁ । କାରଣ ଏମାନଙ୍କ ମା’ମାନେ ମଜୁରି ପାଇଁ କଳ କାରଖାନାକୁ ଚାଲି ଯାଆନ୍ତି । କଳ କାରଖାନା ପାଖରେ ପିଲାଙ୍କୁ ରଖିବା ପାଇଁ ଆମ ଦେଶର ଏପର୍ଯ୍ୟନ୍ତ କିଛି ବନ୍ଦୋବସ୍ତ ହୋଇନି । ତେଣୁ ଅତି ଅଳ୍ପ ବୟସରୁ ମୋଟା ରୁଟି ଓ ଥଣ୍ଡା ପାଣି ସଙ୍ଗେ ଏମାନଙ୍କ ସଂପର୍କ ଅତି ନିବିଡ଼ ହୋଇ ଉଠେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏମାନଙ୍କର ଜଠର କ୍ଷୁଧା ବଢ଼ି ଚାଲିଥାଏ । ଶିଶୁ ଅବସ୍ଥାରୁ ଶେଷ ସମୟ ପର୍ଯ୍ୟନ୍ତ ଏମାନଙ୍କ ମନ ଓ ପେଟରେ ସତେ ଯେପରି କେହି ହାତୁଡ଼ିରେ ପିଟିଲା ପରି ଟୁକୁ ଟୁକୁ ଶବ୍ଦ ଶୁଭେ । ଏ ଶବ୍ଦ ଅବିରାମ ଚାଲେ । ତାର ବିରାମ ନାହିଁ ।

 

ସପ୍ତାହ ଶେଷରେ ଯେଉଁଦିନ ଦରମା ମିଳେ ସେଦିନ ଅବଶ୍ୟ ଏହାର ବ୍ୟତିକ୍ରମ ହୁଏ । କାରଣ କେତେ ଘଣ୍ଟା ପାଇଁ ମନଖୁସି ହୋଇଯାଏ । ସମସ୍ତେ କ୍ଳାନ୍ତି ଭୁଲି ଯିବା ପାଇଁ ସେ ଯାଇଁ ମଦ ପିଏ ଓ କିଛି ସମୟ ପାଇଁ ଆପଣାକୁ ଭୁଲିଯାଏ । ଦରମା ମିଳିବା ଦିନ ଓ ତାର ଦିନେ ଦି’ଦିନେ ପର୍ଯ୍ୟନ୍ତ ଏମତି ମଦ ଖାଇବାକୁ ମିଳେ । କିନ୍ତୁ ତା ପରେ ଆଉ ମଦ ଖାଇବା ସମ୍ଭବ ହୁଏ ନାହିଁ । ଘର ଭଡ଼ା ଓ ମାସ ସାରା ରେସନ ଦାମତ ପୁଣି ରଖିବାକୁ ହେବ । ତାଛଡ଼ା ତେଲ ଲୁଣର ସଂସାର ତ ଅଛି । ପାଣି ଓ ଲାଇଟ ଚାର୍ଜ ତ ଦେବାକୁ ପଡ଼ିବ । ଏ ସବୁ ପରେ ଆଉ ପଇସା କେଉଁଠି ରହିଲା ଯେ ମଦ ଖାଇବ ? ଶାନ୍ତାର ତ ପୁଣି ଖଣ୍ଡେ ଶାଢ଼ି ଦରକାର । ତାର ଶାଢ଼ିଟା ଚିରି ଏକଦମ ନଷ୍ଟ ହୋଇ ଗଲାଣି । ଏଇ ମିଲର ଶାଢ଼ିଗୁଡ଼ିକ କେଉଁଥିକି ନୁହେଁ । ନା ରହୁଚି ରଙ୍ଗ ନା ବହନ୍ତିରି ଯିବ । ଦାମ୍‌ ନେଲାବେଳକୁ ବେଶ ନେଉଛନ୍ତି ଅଥଚ ମାସ ଛ’ଟାବି ଯାଉନି । ଛ ମାସରେ ପୁଣି ଥରେ ନୂଆ ଶାଢ଼ି କିଣ । ନ ହେଲେ ପୁରୁଣା ଶାଢ଼ିରେ ଚଳିବା ମୁସକିଲ୍‌ । ପାଞ୍ଚଟଙ୍କା ସାରି ପୁଣି ଆଉ ଗୋଟାଏ ଶାଢ଼ି ଶାନ୍ତା ପାଇଁ ଆଣିବାକୁ ହେବ । ବଡ଼ ଘର ଝିଅ ବୋହୂଙ୍କ ପରି ଉଚ୍ଚ ଦାମର ଶାଢ଼ି କିଣିବା ପାଇଁ ସେ ଭାବିଲେ ଚଳିବ ନାହିଁ । ଶାନ୍ତା ବାଈ ଦରିଦ୍ର । ତିନୋଟି ସନ୍ତାନର ମା’ । ମିଲ ଶ୍ରମିକର ସ୍ତ୍ରୀ ।

 

ଇନ୍ଦ୍ରଧନୁ ଶାଢ଼ି ପାଇଁ ଶାନ୍ତା ବି ଦିନେ ସ୍ୱପ୍ନ ଦେଖୁଥିଲା । ତା ମନରେ ଗାଁ ଯାତ୍ରାର ଶତ ଗୋଲାପି କଳ୍ପନା ଫୁଟି ଉଠିଥିଲା । ଗାଁ ଯାତ୍ରାକୁ କେତେ ମନୋହର ସାମଗ୍ରୀ ଆସିବ । ବାପର ବିଲରେ ସବୁଜ ଶସ୍ୟ ଲହରୀ ଭାଙ୍ଗୁଥିଲା । ସେ ବିଲରେ ବି ଗୋଟାଏ ପିଜୁଳି ଗଛ ଥିଲା । ଗଛରେ କଞ୍ଚା ଓ ପାଚିଲା ରଙ୍ଗର ପିଜୁଳିଗୁଡ଼ିକ ଭାରି ବଢ଼ିଆ ଦିଶୁଥିଲା । ସେ ଦିନ ଆଉ ନାହିଁ । ଆଜି ତା ପାଇଁ କେବଳ ପାଟ ରଙ୍ଗର ଶାଢ଼ି.....ବାସନ ମାଜିବା ବେଳେ ଶୋଇବା ପୂର୍ବରୁ ଓ ବ୍ରିଜ୍‌ରେଲିଂରେ ଓଦା ଶାଢ଼ିଟି ଶୁଖାଇବା ସମୟରେ ଶାନ୍ତାର ଅତୀତର ସମସ୍ତ ସୁନେଲି କଳ୍ପନା ଜାଗି ଉଠେ । ରେଲ ଧାରଣା ଉପରେ ଶାନ୍ତା ଚକ୍ଷୁର ଉଷ୍ମ ଅଶ୍ରୁ ଟୋପା ଟୋପା ହୋଇ ଝରି ପଡ଼େ-। ଶାନ୍ତା ଜୀବନର ଏ କରୁଣ ଅଧ୍ୟାୟର କଥା କିଏ କିପରି ଜାଣିବ ? ରେଲରେ ଯାଉଥିବା ଯାତ୍ରୀମାନେ ଦେଖିନ୍ତି କେହି ଜାଣେ କାଳି କୁତ୍ସିତା ବିଷର୍ଣ୍ଣା ନାରୀ ବ୍ରିଜ୍‌ଉପରେ ତାର ଓଦା ଶାଢ଼ିଟି ଶୁଖାଇଛି । ଆଖି ପିଛୁଳାକେ ରେଲ ଧାରଣା ଉପରେ ରେଲଗାଡ଼ି ଆଗକୁ ବଢ଼ିଚାଲେ....

 

ଶାନ୍ତା ବାଈର ଶାଢ଼ି ପାଖକୁ ଯେଉଁ ଶାଢ଼ିଟି ଶୁଖୁଛି ତାହା ଜୀବନବାଈର ଶାଢ଼ି । ଦୁଇଟି ଯାକ ପ୍ରାୟ ଏକ ରଂଗର । ଦାମଟା ବି ସମାନ । ସେହି ଶାଢ଼ି ଉପରେ ଜୀବନର ଯେଉଁ ପ୍ରତିକୃତି ଉଠେ ତାହା ପ୍ରାୟ ସମାନ । ପ୍ରାର୍ଥକ୍ୟ ମୋଟେ ନାହିଁ କହିଲେ ଚଳେ । ଖୁବ୍‌ ବେଶି ଫରକ ହେଲେ ସେଇ ଉଣିଶ୍‍ ବିଶ୍‌ । ଶାନ୍ତା ଶାଢ଼ି ଅପେକ୍ଷା ଏ ଶାଢ଼ିଟି ଅଧିକ ଜୀର୍ଣ୍ଣ । ଧଡ଼ି ଉପରକୁ ତାର ଦୁଇଟା ବଡ଼ ବଡ଼ ଚିରା । ସେ ଦୁଇଟା ସିଲେଇ ହୋଇଛି । ଶାଢ଼ି ମଝିରେ ଯେଉଁ ନୀଳ କାପ ପଡ଼ିଛି ଦେଖି ପାରୁଛନ୍ତି ତ ! ପୁରୁଣା ଆଉ କିଛି ଦିନ ଚଳିଯିବା ପାଇଁ ପୁରୁଣା ଶାଢ଼ିରୁ ଖଣ୍ଡେ ଚିରି ଏଥିରେ କାପ ପକା ଯାଇଛି । ଜୀବନବାଈ ବିଧବା । ପୁରୁଣା ଉପରେ ନୂଆ କାପ ପକାଇ ସେ କୌଣସି ମତେ ଦିନ କାଟି ଚାଲିଛି । ଅତୀତ ଦିନର କଥା ଭାବି ଭାବି ବର୍ତ୍ତମାନ ସେ ତାର ଦୁଃଖ ଭୁଲି ଯିବା ପାଇଁ ଚେଷ୍ଟା କରେ । ମଦଖାଇ ନିଶାରେ ଟଳଟଳ ହେଉ-ଥିଲାବେଳେ ତା ସ୍ୱାମୀ ମାଡ଼ ଦେଇ ତାର ଗୋଟିଏ ଆଖି ଫୁଟାଇ ଦେଇଥିଲା । ଆଜି କିନ୍ତୁ ବିଧବା ଜୀବନରେ ସେଇ ସ୍ୱାମୀ କଥା ତାକୁ ଭାବିବାକୁ ଭଲ ଲାଗେ ।

 

ମିଲ୍‌ ଶ୍ରମିକ ବୃଦ୍ଧ ଧନୁର୍ଦ୍ଧରର ଚାକିରୀ ବୋଧହୁଏ ସେହିଦିନ ଶେଷ ହୋଇ ଯାଇଥିଲା........ । ତାର ଜୀବନ ଓ ଯୌବନର ପ୍ରତି ମୁହୂର୍ତ୍ତଟି ମିଲ୍‌ର ସମୃଦ୍ଧି ନିମନ୍ତେ ସେ ଢାଳି ଦେଇଥିଲା । ଅନୁଭୂତି ତାର ଖୁବ୍‌ ବେଶୀ । ବଳିଷ୍ଠ ଯୁବକ ପରି କିନ୍ତୁ ଆଜି ସିଏ ପ୍ରତିଯୋଗିତା କରି ପାରେ ନାହିଁ । ଖାସି ଖାସି ସେ ଆଜି ଅଣ-ଆୟତ ହୋଇ ପଡ଼େ । ମିଲ୍‌ରେ ସାରା ଜରୀନ କାମ କରିବା ଫଳରେ ତାର ଫୁସଫୁସ୍‌ରେ ଧୂଆଁ ଓ ତୁଳା ଜମା ହୋଇଛି । ବର୍ଷା ଦିନେ ଆକାଶରେ ମେଘ ଉଠିଲେ ଓ ପାଗ ଥଣ୍ଡା ହେଲେ ସଙ୍ଗେ ସଙ୍ଗେ ବୁଢ଼ା ଧନୁର୍ଦ୍ଧରର ଖାସ ଖୁବ୍‌ ଜୋରରେ ବଢ଼େ । ସେ ଖାସ ଥରେ ଆରମ୍ଭ ହେଲେ ସହଜେ ବନ୍ଦ ହୁଏ ନାହିଁ । ଖାସୁଛି ତ.....ଖାସୁଛି... । ଅନେକ ସମୟରେ ଖାସି ଖାସି ସେ ବେହୋସ ହୋଇପଡ଼େ । ବୋନସ୍‌, ଗ୍ରାଚୁଇଟ୍‌ କିମ୍ୱା ପେନ୍‌ସନ୍‌ କିଛି ନ ଦେଇ ହଠାତ୍‌ ଦିନେ ସାମାନ୍ୟ କଥାରେ ମିଲ ମାଲିକ ତାକୁ କାମରୁ ବାହାର କରିଦେଲେ । ତାର ଠିକ୍‌ ଛ’ମାସ ପରେ ବୁଢା ଧୁନର୍ଦ୍ଧର ପ୍ରାଣ ହରାଇଲା । ସତୀ-ସାଧ୍ୱୀ ହିନ୍ଦୁ ସ୍ତ୍ରୀ ପରି ସେ ତାର ସ୍ୱାମୀର ମୃତ ଦେହକୁ କୋଳକରି ଅନେକ କାନ୍ଦିଲା । ମଦଖାଇ ମାତାଲ ଅବସ୍ଥାରେ ଏଇ ଧନୁର୍ଦ୍ଧର ତା ଆଖି ଫୁଟାଇ ଦେଇଥିଲା । ସେ ତ ଜାଣି ଜାଣି ସ୍ତ୍ରୀର ଆଖି ଫୁଟାଇ ଦେଇ ନ ଥିଲା । ତାର ଯଦି ଚାକିରି ଚାଲି ଯାଇ ନ ଥାନ୍ତା ସେ ଏପରି ପ୍ରାଣ ହରାଇ ନ ଥାନ୍ତା । ଜୀବନ କିଛି ଭାବି ପାରେ ନାହିଁ । ଦୀର୍ଘ ତିରିଶ ବର୍ଷ କାଳ ଏଇ ଧନୁର୍ଦ୍ଧର ସଙ୍ଗେ ବେଶ୍‌ ସୁଖରେ ସେ ତାର ବିବାହିତ ଜୀବନ କଟାଇଛି । ମାତାଲ ଅବସ୍ଥାରେ ଦିନେ ମାଡ଼ମାରି ସ୍ୱାମୀ ତାର ଗୋଟିଏ ଆଖି ଫୁଟାଇ ଦେଇଥିଲା । ଏଥିପାଇଁ କଣ ସେ ସବୁ ସୁଖ ଭୁଲିଯିବ, ଅସମ୍ଭବ । ତା କେବେ ହୋଇ ପାରିବ ନାହିଁ । ଧନୁର୍ଦ୍ଧର ତ କେବେ ନିର୍ଦ୍ଦୟ ନ ଥିଲା । ଯେଉଁ କଳରେ ଦୀର୍ଘ ପଇଁତ୍ରିଶ ବର୍ଷ ସେ କାମକରି କଟାଇ ଥିଲା ସେଠୁ ହଠାତ୍‌ ତାକୁ ଏପରି ନିର୍ଦ୍ଦୟ ଭାବେ ବାହାର କରି ଦିଆଗଲା ।

 

ଜୀବନର ସମସ୍ତ ଶକ୍ତି ସାମର୍ଥ୍ୟ ଓ ମନର ସମସ୍ତ ପ୍ରେରଣା ଦେଇ ଦୀର୍ଘ ପଇଁତ୍ରିଶ ବର୍ଷ ଧନୁର୍ଦ୍ଧର ଏ ମିଲ୍‌ କାମ କରିଥିଲା । ବୋନସ, ଗ୍ରାଚୁଇଟ, ପେନସନ୍‌ କଥା ଦୂରେ ଥାଉ ପଇସାଟିଏ ନ ଦେଇ ମାଲିକ ତାକୁ ଆଜି କାର୍ଯ୍ୟରୁ ବାହାର କରିଦେଲେ । ପଇଁତିଶ ବର୍ଷ ପୂର୍ବେ ସେ ମିଲକୁ ଯେପରି ଆସିଥିଲା, ପଇଁତିଶ ବର୍ଷ ପରେ ଆଜି ଠିକ୍‌ ସେହିପରି ଖାଲି ହାତରେ ସେ ଫେରିଗଲା । ହତଭାଗ୍ୟ ଧନୁର୍ଦ୍ଧର ଆଶ୍ଚର୍ଯ୍ୟ ହୋଇ ବଡ଼ ବଡ଼ ଆଖିରେ ସେ ମିଲର ବିରାଟ ଫାଟକ ଆଡ଼କୁ ଦୃଷ୍ଟିପାତ କଲା...ବିରାଟ ଦାନବ ପରି ମିଲର ବୃହତ୍‌ ଚେମନିର କଳାଧୂଆଁ ସବୁ ଭକ୍‌ ଭକ୍‌ ହୋଇ ଉଠୁଛି । ଧୁନର୍ଦ୍ଧର ମୁଣ୍ଡ ଟେକି ନେଲା । ସେ କିଛି ଚିନ୍ତାକରି ପାରିଲା ନାହିଁ । ଦୀର୍ଘ ନିଃଶ୍ୱାସ ମାରି ମୁହଁ ପୋଛି ପୋଛି ନିରାଶ ହୋଇ ସେ ବସିଗଲା । ତା ପରେ....ଜୀବନର ସମସ୍ତ ଦୁଃଖ ଓ ନୈରାଶ୍ୟକୁ ଭୁଲି ଯିବା ପାଇଁ ସେ ମଦ ଖାଇବାକୁ ଆରମ୍ଭ କରିଦେଲା ।

 

ଜୀବନ ବାଈର ଦୃଢ଼ ବିଶ୍ୱାସ....ସେ ଯଦି ଟଙ୍କାଖର୍ଚ୍ଚ କରି ଚିକିତ୍ସା କରି ପାରିଥାଆନ୍ତା ତେବେ ତାର ଆଖି କେବେ ଫୁଟି ଯାଇ ନ ଥାନ୍ତା । ଦାତବ୍ୟ ଚିକିତ୍ସାଳୟର ବାରଣ୍ଡାର ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାରେ....ଦରଦହୀନ ଡାକ୍ତର ଓ ନର୍ସଙ୍କ ହାକିମୀ ମନୋବୃତ୍ତି ପାଇଁ ତାକୁ ତାର ଆଖିଟି ହରାଇବାକୁ ପଡ଼ିଲା ଓ ବୃଦ୍ଧ ଧନୁର୍ଦ୍ଧର ବିଛଣା ଧରିଲା । ବିଛଣାରୁ ସେ ଆଉ ଉଠି ନାହିଁ । ସବୁଦିନ ପାଇଁ ସେ ସେଇ ବିଛଣା ଉପରେ ଆଖି ବୁଜିଲା । ଜୀବନର ଏ ଦୁର୍ଦ୍ଦଶା ଦେଖି ଶାନ୍ତା ତା ତରଫରୁ ଜୀବନ ପାଇଁ ଜଣଙ୍କ ଘରେ ବାସନ ମଜା କାମ ଯୋଗାଡ଼ କରି ଦେଇଥିଲା । ଦୃଷ୍ଟିଶକ୍ତିହୀନ, ବୃଦ୍ଧା ଜୀବନ ବାଈ ତାର ସମସ୍ତ ଶକ୍ତି ଦେଇ ବାସନ ମାଜିଲେ ମଧ୍ୟ ଶାନ୍ତା ବାସନ ପରି ତାର ମଜା ବାସନ ଚକ୍‌ଚକ୍‌ ହୋଇପାରେ ନାହିଁ । ଫଳରେ ଧନୀଙ୍କ ଗୃହିଣୀ ଗାଳି ଦିଅନ୍ତି । ଜୀବନ କରିବ କଣ ? ବଞ୍ଚିବାର ଅନ୍ୟ ଉପାୟ ତ ନାହିଁ । କୌଣସି ମତେ ଜଣେ ଦୁଇ ଜଣଙ୍କର ବାସନ ତାକୁ ମାଜିବାକୁ ହେବ । ନୀରବରେ ସେ ସବୁ ଚୁପ ଚାପ ସହିଯାଏ । ସେ ଯେତିକି ଚୁପ୍‌ଚାପ୍‌ ରହେ, ଗୃହିଣୀଙ୍କ ଗାଳି ସେତିକି ବଢ଼ିଚାଲେ ।

 

ବହୁତଦିନ ପରେ....ଦିନେ ଧନୁ ମରିଗଲା । ବାକି ରହିଲା ଏକା ଜୀବନବାଈ । କାହାପାଇଁ ରୋଜଗାର କରିବା ଆଉ ଦରକାର ହେଲା ନାହିଁ । ବହୁତ ଦିନତଳେ ସେ ଯୁବତୀ ଥିଲାବେଳେ ତାର ଗୋଟିଏ ଝିଅ ହୋଇଥିଲା । ସେ ଝିଅ ତା ବୟସ ବେଳେ ଜଣେ ଲମ୍ପଟ ସଙ୍ଗେ ଚାଲି ଯାଇଥିଲା । ବହୁତ ଖୋଜା ଖୋଜି କରି ମଧ୍ୟ ଜୀବନ ତାର କୌଣସି ସନ୍ଧାନ ପାଇ ନ ଥିଲା-। ବହୁତ ଦିନ ପରେ ସେ ଶୁଣିଲା ଯେ ତାର ଝିଅ ଫରେଶ ରୋଡ଼ର ଗୋଟିଏ ବେଶ୍ୟା ଘରେ ଅଛି-। ସେ ରେଶମ ଶାଢ଼ି ପିନ୍ଧୁଛି । ଏ କଥା ଜୀବନ ବାଈ ବିଶ୍ୱାସ କରିପାରେ ନାହିଁ । ଜୀବନ ସାରା ଖଟି ଖଟି ଶୁଖିଲା ରୁଟି ଓ ପାଞ୍ଚ ଟଙ୍କିଆ ଶାଢ଼ି ବ୍ୟତୀତ ତା ଜୀବନରେ ସେ ଆଉ କିଛି କରି ପାରି ନ ଥିଲା । ତାର ଝିଅ କିନ୍ତୁ ରେଶମି ଶାଢ଼ି ପିନ୍ଧୁଛି । ଶସ୍ତା ଶାଢ଼ି ପିନ୍ଧିପାରେ......ଜୀବନବାଈ କିନ୍ତୁ ସମସ୍ତଙ୍କ ପରି ବସ୍ତିରେ ସମ୍ମାନିତ ଜୀବନ ଯାପନ କରୁଛି । ଝିଅ ଦାମିକାଶାଢ଼ି ପିନ୍ଧୁଛି, ସତ, କିନ୍ତୁ ଅତି ନୀଚ ଭାବେ ଜୀବନ କଟାଉଛି । ଜୀବନ ବାଈ ଦୁଃଖ କରେ । ଏକଥାରେ ତାର ବିଶ୍ୱାସ ହୁଏ ନାହିଁ । ବିଚାରି ଝିଅଟି ତାର ପ୍ରେମିକ ପାଇଁ ପଳାଇଥିଲା । ଏଇ ଶାଢ଼ି ପାଇଁ କେବେ ନୁହେଁ । ତା ନିଜ ଯୁବତୀ ବୟସର କଥା ତାର ମନେ ପଡ଼େ । ସେ ସମୟରେ ଧନୁପାଇଁ ବି ସେ ମାତାଲ ହୋଇ ଉଠିଥିଲା । ତିରିଶ ବର୍ଷ ପୂର୍ବେ ଏଇ ଧନୁପାଇଁ ସେ ତାର ବାପ ଘରୁ ପଳାଇ ଆସିଥିଲା-। ତାର ଝିଅ ଆଜି ଠିକ୍‌ ସେଇଆ କରିଛି ।

 

ଧନୁକୁ ଶ୍ମାଶନକୁ ନେବା ସମୟରେ ହଠାତ୍‌ ରେଶମି ଶାଢ଼ି ପିନ୍ଧା ଜଣେ ଯୁବତୀ ଆସି ଧନୁପାଦ ଧରି ପିଲାଟି ପରି କଇଁ କଇଁ ହୋଇ କାନ୍ଦୁଥିବାର ଜୀବନ ଦେଖି ପାରିଲା । ଅଚାନକ ଜୀବନ ଦେହରେ ଏକ ଧକ୍‌କା ଲାଗିଲା । ସେ ଝାଉଁଳି ପଡ଼ିଲା । ତାର ଜୀବନର ସମସ୍ତ ମାନ ସମ୍ମାନ, ଗର୍ବ ଗୌରବ ଧୂଳିସାତ୍‌ ହୋଇଗଲା ପରି ମନେହେଲା ସ୍ୱାମୀ ମରିଗଲା...ଝିଅ ହେଲା ଅବାଟର ବାଟୋଇ...ଅତୀତ ବର୍ତ୍ତମାନ ଭବିଷ୍ୟତ ତାର ସବୁ ଚୂର୍ଣ୍ଣିଭୂତ ହୋଇଗଲା । ଜୀବନ ତାର ଜଳି ପୋଡ଼ି ଉଠିଲା । ସେ ତାର ଅବଶିଷ୍ଟ ଜୀବନ କାଟିବ କିପରି ? ଗୋଟାଏ ମୁହୂର୍ତ୍ତରେ ଯେ ତାର ଜୀବନର ସମସ୍ତ ମାନ-ସମ୍ମାନ ନଷ୍ଟ ହୋଇଗଲା । ବନ୍ଧୁହୀନ, ଏକାକିନୀ, ଅପମାନିତା, ସର୍ବରିକ୍ତା ଜୀବନ ବାଈ କିଛି ଠିକ୍‌ କରି ପାରିଲା ନାହିଁ । ସ୍ୱାମୀ ତାର ଯେଉଁଠି ପ୍ରାଣ ହରାଇଲା, ଝିଅ ତାର ନାରୀତ୍ୱର ବଳି ଦିଏ, ସେ ଯେଉଁଠି ତାର ଚକ୍ଷୁ ହରାଇଲା ଓ ଜୀବନସାରା ଖଟି ଖଟି ସେ ଯେଉଁଠି ନିଃସ୍ୱ କାଙ୍ଗାଳ.....ସେ ସ୍ଥାନ କିପରି ସ୍ଥାନ ! ଗୋଟାଏ ବିରାଟ ଅନ୍ଧକାର କାରଖାନାର ଦୁର୍ଦ୍ଦାନ୍ତ ଲୌହଚକ୍ର ତଳେ ପଡ଼ି ସତେ ଯେପରି ସେ ଜୀବନର ସବୁ କିଛି ହରାଇ ପ୍ରାଣହୀନ, କର୍ମହୀନ, ଗୃହହୀନ, ସର୍ବରିକ୍ତ ହୋଇ ପଡ଼ିଛି ବୋଲି ତାର ମନେ ହେଲା । ନିଜ ହାତରେ ନିଜ ଝିଅକୁ ଘରୁ ତଡ଼ିଦେଇ ଅତି କରୁଣ ଭାବେ କାନ୍ଦିବାକୁ ଲାଗିଲା । ତା ଜୀବନରେ ସେ ଏପରି ଆଉ କେବେ କାନ୍ଦି ନ ଥିଲା ।

 

ତୃତୀୟ ଶାଢ଼ିଟି ପୀତ ଲାଲ ମିଶ କି ନୀଳ ଆକାଶୀ ରଙ୍ଗର ମୁଁ ଠିକ୍‌ ଜାଣି ପାରୁନି । କେବେ କେବେ ପୀତ ବୋଲେ, କେବେ କେବେ ଲାଲ ଅଂଶଟା ଅଧିକ ଥିଲାପରି ମନେ ହୁଏ । ଏ ଶାଢ଼ିଟି ହେଲା ମୋ ସ୍ତ୍ରୀ ସାବିତ୍ରୀର । ବମ୍ୱେ ପୋର୍ଟ ଅଞ୍ଚଳରେ ଥିବା ଧନୁଭାଇ ଝାନୁଭାଇ କମ୍ପାନୀରେ ମୁଁ ଜଣେ କିରାନୀ । ସେସୁନ ମିଲର ଶ୍ରମିକମାନଙ୍କ ପରି ମୁଁ ମାସିକ ପଞ୍ଚଷଠି ଟଙ୍କା ବେତନ ପାଏ । ତେଣୁ ମୁଁ ଏଇ ବସ୍ତିରେ ଅଛି । ପଞ୍ଚଷଠି ଟଙ୍କା କଥା ଶୁଣି କେବେ ଭୁଲି ଯିବେ ନାହିଁ ଯେ ମୁଁ ଜଣେ କିରାନୀ । ମୁଁ ମାଟ୍ରିକ ପାଶ କରିଛି । ମୁଁ ଟାଇପ୍‌ କରି ଜାଣେ । ମୁଁ ଇଂରେଜି କହି ପାରିବି । ଏପରି କି ଆମର ପ୍ରଧାନ ମନ୍ତ୍ରୀଙ୍କ ବକ୍ତୃତା ମଧ୍ୟ ଶୁଣି ବୁଝିପାରିବି । ଅତି ଅଳ୍ପ ସମୟ ମଧ୍ୟରେ ଏଇ ବାଟରେ ତାଙ୍କର ସ୍ପେଶାଲ ଟ୍ରେନଟି ଯିବ । ସେ ଅବଶ୍ୟ ଘୋଡ଼ା ଦୌଡ଼ ମଠକୁ ଆସୁ ନାହାନ୍ତି । ବକ୍ତୃତା ଦେବାପାଇଁ ସେ ଚୌପାଟି ସଭାକୁ ଯିବେ । ତାଙ୍କ ବକ୍ତୃତା ଶୁଣିବା ପାଇଁ ମୋତେ ଓ ମୋର ସ୍ତ୍ରୀକୁ ବେଶ୍‌ଭଲ ଲାଗେ । ମୋ ସଙ୍ଗେ ଚୌପାଟି ସଭାକୁ ଯିବାପାଇଁ ସେ ବାହାରି ଥିଲା; କିନ୍ତୁ ସେ ଯିବ କିପରି ? ମୋର ଆଠଟି ପିଲା । ଆଠଟି ପିଲାର ଘର ସଂସାର ଛାଡ଼ି କୌଣସି ମା କେବେ ବକ୍ତୃତା ଶୁଣିବା ପାଇଁ ଯାଇ ପାରେନାହିଁ । ଗୋଟିଏ ଘର ଭଡ଼ା ନେଇ ଆଠଟି ପିଲାଙ୍କୁ ଧରି ମୁଁ କିପରି ମୋର ସଂସାର ଚଳାଏ ଜାଣିଲେ ଆଶ୍ଚର୍ଯ୍ୟ ହେବ । ବସିବାକୁ, ଶୋଇବାକୁ, ଏମିତି କି ରୋଷେଇ କରିବାକୁ ଜାଗା ଟିକିଏ ନାହିଁ । ସେଥିରେ ପୁଣି ଯେଉଁ ଆୟ । ପେଟରୁ ନ କାଟିଲେ ପିଠିକି କନା ଟିକେ ମିଳେନି । ଦରମା ମାସକୁ ଥରେ ମିଳେ । ହପ୍ତାକୁ ହପ୍ତା ରେସନ । ବଞ୍ଚିବା ପାଇଁ ଦୈନନ୍ଦିନ ସଂଗ୍ରାମ । .....ମିୁଳୁଥିବା ଦରମାରେ ମାସର ପ୍ରଥମ ପନ୍ଦର ଦିନ କୌଣସି ମତେ ଚଳିଯାଏ । ଅବଶିଷ୍ଟ ଦିନ ଚଳିବାପାଇଁ ମୋତେ ଖୋଦ କୌଣସି ବଣିଆ କିମ୍ୱା କାବୁଲିବାଲାର ଦ୍ୱାରସ୍ଥ ହେବାକୁ ପଡ଼େ ।

 

ମୋର ପିଲାଗୁଡ଼ିକୁ ସ୍କୁଲ ପଠାଇବା, ସେମାନଙ୍କ ବହିପତ୍ର, ଲୁଗାପଟା ଓ ଅନ୍ୟାନ୍ୟ ଅନେକ କଥା ବୁଝାବୁଝି କରିବାକୁ ସାହସ ପାଏନି । ପିଲାମାନଙ୍କୁ ଶିକ୍ଷା ଦେବାକୁ ଇଚ୍ଛାଥିଲେ ମଧ୍ୟ ସେମାନଙ୍କ ଦରମାପତ୍ର ଦେବା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ମୋର ଶକ୍ତିର ବାହାରେ । ବିବାହ ପରେ ମୁଁ ଓ ସାବିତ୍ରୀ କେତେ ଯେ ସୁଖସ୍ୱପ୍ନ ଦେଖୁଥିଲୁ ତାର କିଛି ଠିକ୍‌ ଠିକଣା ନାହିଁ । ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା ଥିଲା ସେହି ସ୍ୱପ୍ନମାନଙ୍କୁ ମଧ୍ୟରୁ ଅନ୍ୟତମ । ସାବିତ୍ରୀ ସେ ବୟସରେ ବାସ୍ତବରେ ଅତି ସୁନ୍ଦର ଚିନ୍ତାକରି ପାରୁଥିଲା । ସେ ଯେ ଗୁଡ଼ାଏ ବଡ଼ ବଡ଼ କଥା ଚିନ୍ତା କରୁଥିଲା ତା’ ନୁହେଁ । ସେ ସ୍ୱପ୍ନ ସତେଜ ବନ୍ଧାକୋବିର ପତ୍ରପରି ଅତି ଜୀବନ୍ତ ଥିଲା । ମୋର ସୁଗୃହିଣୀ ସାବିତ୍ରୀ ମୁହଁରୁ ମୁଁ ଆଉ ତାର ସେ ସ୍ୱପ୍ନ କିମ୍ୱା ଭାଷା ଶୁଣିବାକୁ ପାଉ ନାହିଁ । ଜୀବନ ଯୁଦ୍ଧରେ ସେ ଆଜି ଏପରି ମ୍ରିୟମାଣ ହୋଇ ପଡ଼ିଛି ଯେ ସେ ଚିର ବିଷର୍ଣ୍ଣମନା । ଛୋଟ ଛୋଟ କଥାରେ ସେ ପିଲାମାନଙ୍କୁ ଗାଳି ଦିଏ ମାଡ଼ ମାରେ । ଏ ସବୁ ବ୍ୟାପାରରେ ମୁଁ ଯେପରି ମୁଣ୍ଡ ନ ପୂରାଏ ସେଥିପ୍ରତି ମୋତେ ସାବଧାନ କରାଇ ଦିଏ । ପୃଥିବୀ ଯେ କିପରି ଚାଲିଛି ମୁଁ ବୁଝିପାରେ ନାହିଁ । ଘରେ ପାଦଦେଲା ମାତ୍ରେ ସେ ଗାରୁ ଗାରୁ ହେଉ ଥିବାର ଶୁଣେ । ଘର-ଛାଡ଼ି ଆସି ଅଫିସରେ ପହଞ୍ଚିଲେ ବଡ଼ ଅଫିସରଙ୍କ ଗାଳି ଗୁଲଜ ଶୁଣିବାକୁ ହୁଏ । ବେଳେ ବେଳେ ମୁଁ ମଧ୍ୟ ପିଅନକୁ ଗାଳିଦିଏ । ଗୋଟାଏ କିଛି ବିଗିଡ଼ି ଗଲା ପରି ମନେ ହୁଏ । ସାବିତ୍ରୀ ପାଇଁ ଗୋଟାଏ ଶାଢ଼ି କିଣିନେବା ପାଇଁ ବେଳେ ବେଳେ ଭାବେ; କିନ୍ତୁ କିଣେ ନାହିଁ । କାରଣ ଏଇ ଗୋଟାଏ ଶାଢ଼ି କିଣି ନେଲେ ସାବିତ୍ରୀର ବିଶେଷ କିଛି ପରିବର୍ତ୍ତନ ହୋଇଯିବ ନାହିଁ । ତାର ପାରିପାର୍ଶ୍ୱିକ ପରିସ୍ଥିତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଲୋଡ଼ା । ତାର ପ୍ରୟୋଜନ ନୂତନ ଘର.....ନୂତନ ଜୀବନ; କିନ୍ତୁ ଏତେ କଥା ମୁଁ କେଉଁଠି କରି ପାରୁଛି । ଆମର ପ୍ରଧାନ ମନ୍ତ୍ରୀ ତ କହୁଛନ୍ତି କେବଳ ଆମରି ଜୀବନକାଳ ନୁହେଁ ଆମର ପିଲାପିଲିଙ୍କ ଜୀବନ କାଳ ଧରି ଆମକୁ ବହୁ ବର୍ଷ ପର୍ଯ୍ୟନ୍ତ ଦାରିଦ୍ର୍ୟକୁ ମୁକ୍ତି ପାଇବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ହେବ । ସୁତରାଂ ସୁଖୀ ଜୀବନର ସ୍ୱପ୍ନ ଦେଖି ଲାଭ କଣ ? ସେଦିନ ଖୁବ୍‌ ଚୁପ୍‌ଚାପ୍‌ ସାବିତ୍ରୀ ପ୍ରଧାନ ମଂତ୍ରୀଙ୍କ ବକ୍ତୃତାଟି ପଢ଼ିଥିଲା । ତା ପରେ କ’ଣ ହେଲା କେଜାଣି ସେ ହଠାତ୍‌ ରାଗି ଉଠିଲା । ହାତରେ ପାଣି ଗରାଟା ଧରିଥିଲା । ଗରାଟା ଛିଞ୍ଚାଡ଼ି ହୋଇ ଦୂରରେ ପଡ଼ିଲା ଓ ସେଥିରୁ ଖଣ୍ଡେ ଆସି ମୋ ମୁଣ୍ଡରେ ବାଜିଲା । ମୁଣ୍ଡରେ ଏଇ ଯେଉଁ କଟା ଦାଗଟା ଦେଖୁଛନ୍ତି ତାହା ତାରି ଫଳ । ସାବିତ୍ରୀର ଶସ୍ତା ଶାଢ଼ିରେ ଏହି ପରି ମଇଳା କଟା ଦାଗ ଅଛି । ସେ ସବୁ ସହଜରେ ଆପଣଙ୍କ ଆଖିରେ ପଡ଼ିବ ନାହିଁ । ମୁଁ କିନ୍ତୁ ସେ ସବୁ ବେଶ୍‌ ଦେଖିପାରେ । ଜାଫାରାନ୍‌ ରଙ୍ଗର ଖଣ୍ଡେ ଶାଢ଼ି କିଣିବା ପାଇଁ ତାର ଭାରି ଇଚ୍ଛାଥିଲା । ସେ ଚଢ଼ା ଦାମ୍‌ର ଶାଢ଼ିଟା କିଣି ଦେବା ମୋ ପକ୍ଷେ ଆଉ ସମ୍ଭବ ହେଲା ନାହିଁ । ଶାଢ଼ି କିଣି ନ ପାରିବାର କଷ୍ଟ ସତେ ଯେପରି ଏ କଟା ସ୍ଥାନରେ ଲିପିବଦ୍ଧ ହୋଇ ରହିଛି । ଗୋଟିଏ ସୁନ୍ଦର ଖେଳନା କିଣିଦେବା ପାଇଁ ଥରେ ମୋର ସାନ ପୁଅଟି ମୋ ସଙ୍ଗେ ଲଗାଇଲା; କିନ୍ତୁ ସେ ଚଢ଼ା ଦାମ୍‌ର ଖେଳନାଟି କିଣିବା ମୋ ଶକ୍ତିର ବାହାରେ ଥିଲା । ଖେଳନାଟି ନ ପାଇ ସେ ପିଲାଟା ଯେପରି କାନ୍ଦିଲା କହିଲେ ନ ସରେ । କାନ୍ଦ କଣ ଦେଖିବ ? ସତେ ଯେମିତି ସେ କାନ୍ଦ ଆଉ ବନ୍ଦ ହେବନାହିଁ । କାନ୍ଦି କାନ୍ଦି ପିଲାଟି ମରିଯିବ । ବାପ ମା ହୋଇ ପିଲାକୁ ଖେଳନା କିଣି ନ ଦେଇ ପାରିବାର ଯେ ଗୁରୁବ୍ୟଥା ତାହା ଲଲାଟର ଏହି ଦାଗରେ ଅଙ୍କିତ ହୋଇ ରହି ଅଛି । ନିଜ ବାପଘର ଜବଲପୁର ଯାଇ ମା’କୁ ଶେଷଥର ପାଇଁ ମୃତ୍ୟୁ ଶଯ୍ୟାରେ ଦେଖି ନ ପାରିବାର ଯେ ଗୁରୁବ୍ୟଥା ତାହା ସାବିତ୍ରୀ ମନରେ ଅନ୍ୟ ଏକ ଗଭୀର ରେଖାପାତ କରିଛି । ଦାରୁଣ ସଂବାଦ ସହ ଟେଲିଗ୍ରାମଟି ଆସି ପହଞ୍ଚିଗଲା; କିନ୍ତୁ ମା’କୁ ଦେଖିବାକୁ ସେ ଯାଇ ପାରିଲା ନାହିଁ । ସାବିତ୍ରୀର ଏହି ଆଘାତର ଚିହ୍ନଗୁଡ଼ିକ ଯେ ଲୁଗାର ଦାଗରେ ଅଙ୍କିତ ହୋଇଅଛି, ଏଥିରେ ସଂଦେହ ନାହିଁ । ପାଞ୍ଚଟଙ୍କା ଚାରଣା ଦେଇ ପୁଣି ଯେଉଁ ନୂଆ ଶାଢ଼ି କିଣା ହେବ ସେଥିରେ ଏ ଚିହ୍ନଗୁଡ଼ିକ ବେଶ୍‌ ଫୁଟି ଉଠିବ । ନୂଆ ଶାଢ଼ି ଦେହରେ ଏସବୁ କିପରି ସମ୍ଭବ ହେବ ବୁଝାଇ କହି ପାରୁ ନ ଥିଲେ ମଧ୍ୟ ସେ କ୍ଷତ ଚିହ୍ନଗୁଡ଼ିକ ମୁଁ ବେଶ ଦେଖି ପାରୁଛି ।

 

ଏ ଯେଉଁ ଚତୁର୍ଥ ଶାଢ଼ିଟି ଶୁଖିଛି ତାହା ସୁନ୍ଦର ରଙ୍ଗର ହେଲେ ବି ମୋତେ ପାଟରଙ୍ଗ ପରି ଜଣା ପଡ଼େ । ପ୍ରତ୍ୟେକ ଶାଢ଼ିଟି ରଙ୍ଗରେ ଅନ୍ୟଠାରୁ ଭିନ୍ନଥିଲେ ମଧ୍ୟ ସେ ସବୁର ରଙ୍ଗ ଧୋଇ ଯାଇ ନିଷ୍ପ୍ରଭ ଜଣାପଡ଼େ । ଗୋଟାଏ ଅର୍ଥରେ ସେ ସବୁ ମୋ ପାଇଁ ଏକ ରଙ୍ଗର ବୋଲି ଜଣାପଡ଼େ । ଏହି ଶାଢ଼ି ଯୁବତୀ ଶାନ୍ତା, ମଧ୍ୟମା ବର୍ଷିୟା ସାବିତ୍ରୀ, ବୃଦ୍ଧା ଜୀବନ ବାଈ....ସମସ୍ତଙ୍କୁ ଟଙ୍କା....ଅଣା...ପଇସା ହିସାବରେ ହିସାବ କରି ଠିଆ କରାଇ ଦେଇଛି । ....ଦାମ୍‌ କେତେ ଜାଣିଲେ ତ.... ? ମୋଟେ ପାଞ୍ଚ-ଟଙ୍କା ଚାରିଅଣା ।

 

ହଁ ସିନ୍ଦୁର ରଙ୍ଗ ଶାଢ଼ି କଥା କହୁଥିଲି । ଏ ହେଲା ଲତାରିୟାର ଶାଢ଼ି । ଲତାରିୟା ଝାବୁର ସ୍ତ୍ରୀ । ସେ ନିଃସନ୍ତାନ । ତେଣୁ ଡାହାଣୀ । ୟା ସଙ୍ଗେ ମୋ ସ୍ତ୍ରୀ କଥାବାର୍ତ୍ତା କରେ ନାହିଁ । କାରଣ ତାର ବିଶ୍ୱାସ ଛୋଟ ଛୋଟ ପିଲାମାନଙ୍କୁ ସେ ଡାହାଣୀ ଲଗାଇ ଦିଏ । ସବୁ ବର୍ଷ ପରି ଗଲାବର୍ଷ ଏ ବସ୍ତିରେ ଯେଉଁପିଲା ମଲେ.......ମୋର ସାନଝିଅ ମଲା....ତା ପଛରେ ଏଇ ଲତାରିୟାର ହାତ ଅଛି ବୋଲି ଆମ ବସ୍ତିର ସ୍ତ୍ରୀ ଲୋକଙ୍କ ବିଶ୍ୱାସ । ଯୁକ୍ତିଦ୍ୱାରା ମୋ ସ୍ତ୍ରୀର ଏଇ ଦୃଢ଼ ବିଶ୍ୱାସକୁ ମୁଁ ଦୂରକରି ପାରି ନାହିଁ । ମୋ ସ୍ତ୍ରୀ ତାକୁ ଦେଖି ପାରେ ନାହିଁ । କାରଣ ତାକୁ ଯାଦୁ ଜଣା । ତା ବ୍ୟତୀତ ଝାବୁର ସଙ୍ଗେ ତାର ଯଥାରୀତିରେ ବିଭାଘର ହୋଇ ନାହିଁ । ଝାବୁ କହେ ସେ ତାକୁ କିଣି ଆଣିଥିଲା । ବହୁତ ଦିନ ତଳେ ଝାବୁ ମୋରଦାବାଦରେ ରହୁଥିଲା । ସେହି ତରୁଣ ବୟସର ଝାବୁ ମୋରଦାବାଦ ଛାଡ଼ି ବମ୍ୱେ ଚାଲି ଆସିଥିଲା । ତା’ର ମାତୃଭାଷା ହିନ୍ଦୀ ବ୍ୟତୀତ ସେ ଭଲ ଗୁଜୁରାଟି ଓ ମରାଠୀ କହି ପାରେ । ବମ୍ୱେର ଫୁଟପାଥ୍‌ରେ ସେ ବହୁତ ଦିନ କାଟିଛି । କିଛିଦିନ ତଳେ ପାଓ୍ୱାର ହାଉସରେ ତାକୁ ଗୋଟିଏ କାମ ମିଳିଥିଲା । ସେତେବେଳେ ଯୁବକ ଥିବା ହେତୁ ତାର ଏକମାତ୍ର ବାସନା ଥିଲା ସେ କିପରି ବିଭା ହେବ । ସେ କୌଣସି ପ୍ରକାର ନିଶା ତାଡ଼ି ବା ମଦ ଖାଉଁ ନ ଥିଲା । ତାର ଏକମାତ୍ର ଇଚ୍ଛା ଥିଲା ସେ କିପରି ବିଭା ହେବ ମୋରାଦାବାଦ ଯାଇ ନିଜ ଜାତିରେ ଗୋଟିଏ କାହାକୁ ବିଭା ହେବା ପାଇଁ ସେ ଅଶିଟି ଟଙ୍କା ସାଇତି ରଖିଥିଲା । ମୋରଦାବାଦ ଯିବା ଆସିବା ପାଇଁ ରାସ୍ତା ଖର୍ଚ୍ଚକୁ ଏ ଟଙ୍କା ତ ଅଣ୍ଟିବ ନାହିଁ । କୌଣସି ମତେ ସେ ମୋରଦାବାଦ ଯାଇପାରେ କିନ୍ତୁ ଫେରିବ କିପରି ? ଅଶିଟା ବୋଲି ଟଙ୍କା....ଏତେ ଅଳ୍ପ ଟଙ୍କାରେ ନିଜ ସମାଜରେ ସେ ବିଭା ହେବା ପାଇଁ ଝିଅଟିଏ ପାଇବ କେଉଁଠୁ ? ବହୁତ ଭାବି ଚିନ୍ତି ମୋରଦାବାଦ ନ ଯାଇ ଶେଷରେ ଗୋଟିଏ ଲୋକଠାରୁ ଶହେ ଟଙ୍କାକୁ ସେ ଲତାରିୟାକୁ କିଣିଲା । ନଗଦ ଅଶି ଟଙ୍କା ଦେଇ ଦେଲା ଓ ବାକି କୋଡ଼ିଏ ଟଙ୍କା ଧୀରେ ଧୀରେ ଦଶ ମାସରେ ସେ ସୁଝି ଥିଲା ।

 

ଲତାରିୟାକୁ ବିଭାହୋଇ ଝାବୁ ବହୁତ ଖୁସି ହେଲା । ପରେ ସେ ବୁଝିଲା ଯେ ଲତାରିୟାର ଘର ବି ମୋରଦାବାଦ ଓ ସେ ବି ତାର ଜାତିର ଲୋକ । ଲତାରିୟ ଖୁବ୍‌ ଭଲ ଗୀତ ଗାଇ ପାରେ । ଦିନବେଳେ ଝାବୁ କାମ କରିବାକୁ କଳକୁ ଚାଲିଗଲେ ଲତାରିୟା ଘରେ ଏକା ବସି ବସି ଗୀତ ଗାଏ । ରାତିରେ ଝାବୁ ଫେରିଲେ ସାଂଗହୋଇ ଦୁହେଁ ଅନେକ ରାତି ପର୍ଯ୍ୟନ୍ତ ଗୀତ ଗାଆନ୍ତି । ଦୁହେଁ କିନ୍ତୁ ନିଃସନ୍ତାନ । ଲତାରିୟ ପାଇଁ ଝାବୁ ଦିନେ ଗୋଟିଏ ଶାରୀ କିଣି ଆଣିଥିଲା । ସେ ଶାରୀଟିକୁ ଜଣେ ସୈନୀକ ପୋଷିଥିଲା । ସେ ଅନେକ ଗୁଡ଼ିଏ ଇଂରେଜ ବୋଲି ଜାଣିଥିଲା । ଅନେକ ରାତି ପର୍ଯ୍ୟନ୍ତ ଝାବୁ ଓ ଲତାରିୟା ଗୀତ ଗାଇବାର ସ୍ୱର ଓ ଶାରୀଟିର ଚିତ୍‌କାର ଶୁଣାଯାଏ-। ସତେ ଯେପରି ଝାବୁ ଘରେ କିଏ ଲାଉଡ଼ ସ୍ପିକର ଲଗାଇଛି ।

 

ଧୂମ୍ରପାନ କିମ୍ୱା ମଦ୍ୟପାନ କୌଣସି ପ୍ରକାର ପାନ-ଦୋଷ ଝାବୁର ନ ଥିଲା । ଲତାରିୟା କିନ୍ତୁ ତାର ଠିକ୍‌ ଓଲଟା ଥିଲା । ସେ ବହୁ ଧୂମ୍ର ଓ ମଦ୍ୟ ପାନ କରୁଥିଲା । ଅନେକ ସମୟରେ ମାତାଲ ଅବସ୍ଥାରେ ଆସି ସେ ଝାବୁ ଉପରେ ପଡ଼ିଥାଏ । ଫଳରେ ଝାବୁ ଅତ୍ୟନ୍ତ ରାଗି ଉଠେ ଓ ଉତ୍ତମ ମଧ୍ୟ କରି ଖୁବ୍‌ ଦୁଇଟା କଷି ଦିଏ । ଠିକ୍‌ ସେହି ସମୟରେ ଲତାରିୟାର ପକ୍ଷ ନେଇ ଅକଥ୍ୟ ଭାଷାରେ ଶାରୀଟି ଝାବୁକୁ ବହୁତ ଗାଳିଦିଏ । ଦିନେ ସ୍ୱାମୀ ସ୍ତ୍ରୀର ମନୋମାଳିନ୍ୟ ଦେଖି ଶାରୀଟି ଅକଥ୍ୟ ଭାଷା କହିବା ପାଇଁ ଆରମ୍ଭ କରିଦେଲା । ସ୍ୱାମୀ ସ୍ତ୍ରୀକୁ କିଛି ନ କହି ଅତି ବିରକ୍ତ ହୋଇ ଶାରୀଟିକୁ ନର୍ଦ୍ଦମା ପଙ୍କରେ ବୁଡ଼ାଇ ମାରିଦେବା ପାଇଁ ନେଲା । ବହୁତ କଷ୍ଟରେ ଲତାରିୟା ସେ ଶାରୀଟିକୁ ବଂଚାଇଥିଲା । ଝାବୁ ଅତି ଧର୍ମ୍ମଭୀରୁ ଥିଲା । ପକ୍ଷୀଟିକୁ ମାରି ଦେଲେ ଯେଉଁ ପାପ ହେବ ସେଥିରୁ ମୁକ୍ତି ପାଇବା ପାଇଁ ପ୍ରାୟଶ୍ଚିତ କରିବାକୁ ପଡ଼ିବ ବୋଲି ସେ ମନେ ମନେ ଭାବୁ ଥିଲା । ପ୍ରାୟଶ୍ଚିତ ନିମନ୍ତେ ବ୍ରାହ୍ମଣ ଭୋଜନ କରିବାକୁ ହେବ । ପକ୍ଷୀଟିର ଆତ୍ମାର ମୁକ୍ତି ନିମନ୍ତେ ଶାସ୍ତ୍ର-ପାଠ କରାଇବାକୁ ପଡ଼ିବ । ଏଥିପାଇଁ ଖୁବ୍‌ କମ୍‌ରେ କୋଡ଼ିଏ ଟଙ୍କା ଖରଚ । ଏହିପରି କେତେ କଥା ଭାବି ସେ ଶାରୀଟିକୁ ଆଉ ନର୍ଦ୍ଦମାରେ ବୁଡାଇଲା ନାହିଁ ।

 

ଝାବୁ ବିବାହର ପ୍ରଥମ କେତେ ଦିନ ଲତାରିୟାକୁ ମୋଟେ ବିଶ୍ୱାସ କରୁ ନ ଥିଲା । ତାର ଏହି ବିବାହକୁ ବସ୍ତିର ବୁଢ଼ା ବୁଢ଼ା ଓ ମିଲ୍‌ର ଶ୍ରମିକମାନେ ପସନ୍ଦ କରୁ ନ ଥିଲେ । ଏହିପରି ବିଭିନ୍ନ କାରଣରୁ ଝାବୁ ଲତାରିୟାକୁ ସଂଦେହ କରୁଥିଲା । ସାମାନ୍ୟ ତ୍ରୁଟି ଦେଖିଲେ ଝାବୁ ସ୍ତ୍ରୀକୁ ବହୁତ ମାଡ଼ ଦେଉଥିଲା । କିନ୍ତୁ ଧୀରେ ଧୀରେ ଝାବୁ ଲତାରିୟାକୁ ବିଶ୍ୱାସ କଲା । ଲତାରିୟା ସ୍ୱାମୀକୁ ବୁଝାଇ ଦେଲା ଯେ ମଇଦା ବସ୍ତା ପରି କୌଣସି ଝିଅ ତାର ସ୍ୱାମୀର ବିକା କିଣାର ସାମଗ୍ରୀ ହୋଇ ରହିବା ପାଇଁ ଚାହେଁ ନାହିଁ । ସେ ଚାହୁଥିଲା ଗୋଟିଏ ଛୋଟ ସଂସାର । ଆପଣା ପାଇଁ ଗୋଟିଏ ଘର । ଝାବୁ ନିର୍ଦ୍ଦୟ ହେଲେ ମଧ୍ୟ ସେ ଝାବୁ ପରି ସ୍ୱାମୀ ଓ କୋଳକୁ ଗୋଟିଏ ଶିଶୁ ସନ୍ତାନ ଚାହୁଥିଲା । ରୋଗା, କଣା, ଛୋଟା ବା ସାବିତ୍ରୀ ସନ୍ତାନଙ୍କ ପରି କୁତ୍ସିତ ହେଉ ପଛେ ସେ ଆପଣ ପାଇଁ ଗୋଟିଏ ସନ୍ତାନ ପରି କୁତ୍ସିତ ହେଉ ପଛେ ସେ ଆପଣ ପାଇଁ ଗୋଟିଏ ସନ୍ତାନ ଚାହୁଥିଲା । ଲତାରିୟାର ସ୍ୱାମୀ ଅଛି । ସଂସାର ଅଛି । ଭବିଷ୍ୟତରେ ଭଗବାନଙ୍କ ଆଶୀର୍ବାଦରୁ ତା କୋଳ ନିଶ୍ଚୟ ପୂରିବ । କିନ୍ତୁ ଧର ଲତାର ଯଦି ପିଲାପିଲି ନ ହେଲେ, ତେବେ ? ଏହି ଶାରୀଟିକୁ ସେ ଆପଣାର ସନ୍ତାନ ପରି ପାଳିବ ।

 

ଦିନେ ଲତା ଘର ଭିତରେ ପକ୍ଷୀଟିକୁ ଗୀତ ଗାଇ ଶୁଆଉଛି ହଠାତ୍ ବାହାରୁ ଗୋଳମାଳ ଶବ୍ଦ ଶୁଭିଲା । କବାଟ ଖୋଲି ଦେଖିଲା ଆହତ ଝାବୁକୁ ଜଣେ ଶ୍ରମିକ ଧରି ଆସିଛି । ଲତା ସଂଗେ ସଂଗେ ଝାବୁକୁ ଘର ଭିତରକୁ ନେଇ ଆସିଲା । ଝାବୁର ମିଲ ମାଲିକ ସଂଗେ କଳି ହେବା କଥା ସେ ଶ୍ରମିକଙ୍କ ଠାରୁ ଶୁଣିଲା । ଝାବୁର କାମରେ ଅସନ୍ତୁଷ୍ଟ ହୋଇ ମ୍ୟାନେଜର ତାକୁ କାମରୁ ବାହାର କରିଦେଲା । ଚୁପ୍‌ଚାପ ଠିଆ ହୋଇ ଝାବୁ ମ୍ୟାନେଜରର ଗାଳି ଶୁଣୁଥିଲା । ହଠାତ୍ ମ୍ୟାନେଜର ବାବୁ ଖୁବ୍ ଜୋରରେ ଗାଲରେ ଗୋଟାଏ ଚାପୁଡ଼ା ବସାଇଲା । ଝାବୁ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ମ୍ୟାନେଜରକୁ ଧରି ବେଶ୍ ଗୋଟାକେତେ ବସାଇ ଦେଲା । ମାଡ଼ଟି ଟିକିଏ ଯୋର ହୋଇଥିଲା । ସାହେବ ଚିତ୍‌କାର କରି ଉଠିଲା-କିଏ ଅଛରେ ଧର ଏଇ ସୟତାନକୁ ଧର । ମାରିପକାଇଲା.....ମାରିପକାଇଲା ।’ ପାଟି ଶୁଣି ମିଲ୍‌ର ଭଡ଼ାଟିଆ ଗୁଣ୍ଡାମାନେ ଦୌଡ଼ିଆସି ଝାବୁ ଉପରେ ଚଢ଼ିଗଲେ । ମାଡ଼ଦେଇ ତାର ମୁଣ୍ଡ ଫଟାଇ ଦେଲେ । ଝାବୁ ଅବଶ୍ୟ ଏ ମାଡ଼ରେ ମରିନି । ଲତା ତ ନିଜେ ଦେଖିଛି ଝାବୁ ବଂଚିଛି । ଏହା ପରେ ଲତାର ନୂତନ ଜୀବନ–ପରିବା ବିକାଳୀ ଜୀବନ ଆରମ୍ଭ ହେଲା । କୌଣସି ମତେ ଦିନ କଟି ଯାଉଥିଲା । ଟାଣିଟାଣି ପେଟରୁ କାଟି ପଇସା ରଖି କୌଣସି ମତେ ସେ ସ୍ୱାମୀର ଚିକିତ୍ସା କରାଉଥିଲା । ଭଗବାନଙ୍କ ଆଶୀର୍ବାଦରୁ ଝାବୁ ଶେଷରେ ଆରୋଗ୍ୟ ଲାଭ କଲା । କିନ୍ତୁ ଏ ମଧ୍ୟରେ ଲୁଗା କଳରେ ଝାବୁକୁ ଆଉ କୌଣସି ଚାକିରି ଦିଆ ନ ଯିବା ପାଇଁ ନୋଟିସ ଦିଆ ହୋଇ ଯାଇଥିଲା । ମିଲ୍ ମାଲିକ ସଂଘର କଳଖାତାରେ (Black register) ତାର ନା ଉଠାଇ ଦିଆ ସରିଥିଲା । ଦିନ ସାରା ବସି, ବସି ସେ ସବୁ ମିଲ୍‌ର ଚେମିନି ଗୁଡ଼ିକରୁ ଧୁଆଁ କିପରି ବାହାରୁଛି ତାହା ହିଁ ଲକ୍ଷ୍ୟ କରେ । କୌଣସି ମିଲ୍‌ରେ ପ୍ରବେଶ କରିବାର ଅଧିକାର ଆଜି ଝାବୁର ନାହିଁ । ମିଲ୍ ମାଲିକର ଶ୍ରମିକକୁ ମାରିବାର ଅଧିକାର ଅଛି କିନ୍ତୁ ଶ୍ରମିକର ପ୍ରତିଶୋଧ ନେବା ପାଇଁ ମାଲିକକୁ ଓଲଟି ମାଡ଼ ଦେବାର ଅଧିକାର ତାର ନାହିଁ-

 

ଲତା ଆଜିକାଲି ମଦ୍ୟପାନ ଛାଡ଼ି ଦେଇଛି । ପୂର୍ବ ମନୋବୃତ୍ତି ତାର ଆଉ ନାହିଁ । ଆଜିକାଲି ସେ ଆଉ କଳିଗୋଳ କରେ ନା । ସଂସାର ଚଳିବା ପାଇଁ ପରିବାବିତ୍ରୀରୁ ଯାହା ମିଳେ ସେ ତାର କଡ଼ା କଡ଼ା ହିସାବ ରଖେ । ତାର ସିନ୍ଦୂର ଶାଢ଼ିଟି ଛିଡ଼ି ଛିଡ଼ି ଜୀର୍ଣ୍ଣ ହୋଇଯିବା ଉପରେ । ଝାବୁ ସତେ ଯଦି କୌଣସି କାମ ନ କରେ ତେବେ ଲତାର ଶାଢ଼ିରେ ତଳି ପଡ଼ି ପଡ଼ି ସେ ଏକ ନୂଆ ରଙ୍ଗର ଦେଖାଯିବ । ଶାଢ଼ିଟି ଅଯଥା ହଇରାଣ ହେବ । ତାକୁ ବି ମୁଠାଏ ଖାଇବାକୁ ମିଳିବ ନାହିଁ । ଶେଷରେ ସେ ବି ପ୍ରାଣ ହରାଇବ । ଏହା ବ୍ୟତୀତ ଅନ୍ୟ ଗତି ବା କଣ ଅଛି ?

 

ଏଥର ପଞ୍ଚମ ଶାଢ଼ିଟି କଥା ଶୁଣନ୍ତୁ । ନୀଳ ଧଡ଼ି ଥିବା ଧୂପ୍‌ଛାୟା ରଙ୍ଗର ଏଇ ଶାଢ଼ି ଖଣ୍ଡ । ଶାଢ଼ିଟି ଯଦିଓ ଭଲ ଓ ଦାମିକା–ଦୂରରୁ ଦେଖିଲେ ଅତି ପୁରୁଣା ପରି ମନେହୁଏ । ସବୁ ଶାଢ଼ିପରି ଏ ଶାଢ଼ିଦାମ୍ ପାଞ୍ଚଟଙ୍କା ଚାରିଅଣା ନୁହେଁ । ଏ ଖଣ୍ଡର ଦାମ ନଅଟଙ୍କା ଚାରିଅଣା । ଏହି ଶାଢ଼ି ହେଲା ମଂଜୁଳାର । ମଂଜୁଳା ଯୁବତୀ ବିଧବା । ଏହି ଶାଢ଼ି କିଣିବାର ଛ’ମାସ ଆଗରୁ ତାର ବିବାହ ହୋଇଥିଲା । ସେ ଦେଖିବାକୁ ଭାରି ସୁନ୍ଦରୀ, ବୟସ ସେତେ ନୁହେଁ । ବୟସ ମୋଟେ ଷୋ’ଳ । ସେ ହିନ୍ଦୁ ବିଧବା, ପୁନର୍ବିବାହ କରି ପାରିବ ନାହିଁ । ଗଲା ମାସରେ କାରଖାନାରେ ଏକ ଦୁର୍ଘଟଣା ତାର ସ୍ୱାମୀ ପ୍ରାଣ ହରାଇ ଥିଲା । ମେସିନ୍ ବେଲ୍‌ଟ ହଠାତ୍ ଛିଡ଼ି ଦେହରେ ବାଜିଲା । ନିଜ ଭୁଲରୁ ମଂଜୁଳା ପ୍ରାଣ ହରାଇଲା । ତେଣୁ ମଂଜୁଳା କୌଣସି ପ୍ରକାର କ୍ଷତି ପୂରଣ ପାଇ ପାରିଲା ନାହିଁ । ଏହି ସବୁ ବେଲ୍‌ଟ ଉପରେ ଚମଡ଼ାର ଆବରଣ ରହିବାର କଥା । କିନ୍ତୁ ସେ ଗୁଡ଼ିକରେ ଆବରଣ ଦିଆଯାଉନାହିଁ । କାରଣ ଏଥିପାଇଁ ବହୁତ ଟଙ୍କା ଦରକାର । ଏସବୁ ଖର୍ଚ୍ଚ ତୁଳନାରେ ଗୋଟିଏ ଶ୍ରମିକ ଜୀବନ କିଛି ନୁହେଁ । ଏହି ବେଲ୍‌ଟ ଉପରେ ଆବରଣ ଦେବାପାଇଁ ଶ୍ରମିକମାନେ ବାରମ୍ବାର ଦାବୀ କରି ଆସିଥିଲେ ମଧ୍ୟ ମିଲ ମାଲିକ ତାହା ଶୁଣି ନ ଥିଲେ । ମିଲରେ ଏହିପରି ସାମନ୍ୟ ପରିବର୍ତ୍ତନ ପାଇଁ ମଣିଷର ରକ୍ତ ଦବାକୁ ପଡ଼ିଥାଏ । ସ୍ୱାମୀର ମୃତ୍ୟୁପାଇଁ ସ୍ତ୍ରୀ କ୍ଷତିପୂରଣ ଦାବୀ କରିଥିଲା । କିନ୍ତୁ କିଛି ପାଇ ନାହିଁ । ଏଇ ବିଭାଦିନ ରାତିରେ ପିନ୍ଧିଥିବା ଶାଢ଼ିଟି ପିନ୍ଧିଛି । ବିଭାଦିନ ପିନ୍ଧାଶାଢ଼ି କୌଣସି ବିଧବାକୁ ପିନ୍ଧିବାକୁ ମନା ।

 

ସେ ଯାହା ହେଉନା କାହିଁକି ନଅଟଙ୍କା ଚାରିଆଣର ଶାଢ଼ି ମଂଜୁଳା ଆଉ ତା ଜୀବନରେ ପାଇ ପାରିବ ନାହିଁ । ସ୍ୱାମୀ ବଂଚିଥିଲେ ମଧ୍ୟ ପାଇପାରି ନ ଥାନ୍ତା । ଅତିବେଶୀ ହେଲେ ସେ ନିଜେ କିଣି ପାରିଲା ପରି ପାଞ୍ଚଟଙ୍କା ଚାରଣା ଦାମ୍‌ର ଶାଢ଼ି କିଣୁଥାଆନ୍ତା । ସେହି ଦୃଷ୍ଟିରୁ ତା ଜୀବନରେ କୌଣସି ବିଶେଷ ପରିବର୍ତ୍ତନ ହୋଇ ନାହିଁ । ବିବାହ ରାତିରେ ପିନ୍ଧିଥିବା ଶାଢ଼ିଟି ପରି ସେ ଆଉ ଗୋଟିଏ ଶାଢ଼ି କେବେ କିଣି ପାରିବ ନାହିଁ । ଏହି ଶାଢ଼ିଟି ସବୁବେଳେ ମଂଜୁଳାକୁ ତାର ଯୁବକ ସ୍ୱାମୀ କଥା ସ୍ମରଣ କରାଇଦିଏ । ସ୍ୱାମୀର ସୁଦୃଢ଼ ବାହୁ ବନ୍ଧନ, ଆଲିଙ୍ଗନ, ପ୍ରେମକଥା....କଂଜୁଳା ସ୍କନ୍ଧି ଓ ପିଠିରେ ତପ୍ତ ନିଶ୍ୱାସର ଆଘାତ....ନିଦ୍ରାଳୁ ଅବସ୍ଥାରେ ସ୍ୱାମୀର କୋଳରେ ମୁଣ୍ଡ ରଖିବାର ସ୍ମୃତି ଗୋଟି ଗୋଟି ହୋଇ ମନେ ପଡ଼ିଯାଏ । ସେ ଶାଢ଼ିଟିକୁ ବାଦ ଦେଲେ ତାର ଆଉ ଅଧିକ ଖଣ୍ଡେ ବୋଲି ଶାଢ଼ି ନାହିଁ । ଖ୍ରୀଷ୍ଟିୟାନଙ୍କ ଦେହରେ ସର୍ବଦା କ୍ରସଥିଲା ପରି ଏହି ସ୍ମୃତି ଗୋଡ଼ିକ ମଂଜୁଳା ମନରେ ଲାଗି ରହିଥାଏ । ସ୍ୱାମୀର ମୃତ୍ୟୁର ଚିତ୍ର ସର୍ବଦା ତାର ମନରେ ଆତଙ୍କ ସୃଷ୍ଟି କରେ । ସେ ମରିବାକୁ ଇଚ୍ଛା କଲେ ମଧ୍ୟ ମରି ପାରେ ନାହିଁ ।

 

ବ୍ରିଜ୍ ରେଲିଂରେ ଯେଉଁ ଷଷ୍ଠ ଶାଢ଼ିଟି ଶୁଖୁଛି ତାହା ଗାଢ଼ ଲାଲ ରଙ୍ଗର । ଏ ଶାଢ଼ିଟି ଶୁଖିବା କଥା ନୁହେଁ । କାରଣ ଶାଢ଼ି ପିନ୍ଧାଳୀ କେବେଠୁ ମଲାଣି । ତଥାପି ବି ମୁଁ ଦେଖୁଛି ସେ ଓଦା ଶାଢ଼ିଟି ସେଇଠି ପବନରେ ଶୁଖୁଛି ।

 

ଏ ଶାଢ଼ିଟି ହେଲା ବୃଦ୍ଧାମାର ଶାଢ଼ି । ବସ୍ତି ଆଗରେ ଥିବା ଫାଟକ ପାଖରେ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ଥାଏ । ଗଳିକନ୍ଦି ନର୍ଦ୍ଦମା ସଫା କରିବା ହେଲା ତାର କାମ । ତାର ପୁଅ ନାତିମାନେ ମଧ୍ୟ ସେହି କାମ କରନ୍ତି । ଫାଟକ ପାଖେ ଥିବା ଘରେ ସ୍ଥାନ ଅଭାବରୁ ତାକୁ ପଦାରେ ରହିବାକୁ ପଡ଼ିଥାଏ । ସବୁଜଘାସ, ମୁକ୍ତଆକାଶ ତଳେ ତାକୁ ନିଦ୍ରା ଯିବାକୁ ହୋଇଥାଏ, ଏହି ଫାଟକ ପାଖରେ ବୃଦ୍ଧା ଧାଙ୍ଗେଡ଼ି ପଡ଼ି ପଡ଼ି ପ୍ରାଣ ହରାଇଥିଲା । ଏହି ଶାଢ଼ିଟିରେ ଗୋଟିଏ ଛିଦ୍ର ଦିଶୁଛି ବୋଧେ ଦେଖି ପାରୁଥିବେ । ଏହି ଚିହ୍ନଟି ହରତାଳ ସମୟରେ ଗୁଳିବାଜିବା ଫଳରେ ବୁଢ଼ୀ ଲୁଗାରେ ରହି ଯାଇଛି । ସହରର କର୍ତ୍ତୃପକ୍ଷ ହରତାଳ ବନ୍ଦ କରିଦେବାପାଇଁ ନିର୍ଦ୍ଦେଶ ଦେଲେ । ଧାଙ୍ଗେଡ଼ିମାନେ କିନ୍ତୁ ତାଙ୍କ କଥା ନ ଶୁଣି ଶୋଭାଯାତ୍ରା କରି ଆପଣାର ଦାବୀଗୁଡ଼ିକ ଶୁଣାଇ ସହରର ଗଳି କନ୍ଦିରେ ବୁଲିଲେ । ଏହି ଶୋଭାଯାତ୍ରା ଯେତେବେଳେ ଆମ ସାହିରେ ପହଞ୍ଚିଲା ପୋଲିସ୍ ଶୋଭାଯାତ୍ରାକୁ ବେଆଇନ ବୋଲି ଘୋଷଣା କଲେ ଓ ଶୋଭାଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ । କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ । ଫଳରେ ଚାଲିଲା ଗୁଳି । ଆମସାହିରେ ଠିକ୍ ଏହି ଜାଗାରେ ଗୁଳି ଚାଲିଥିଲା । ତରତର ହୋଇ ଭୟରେ ମୁଁ ଘରକୁ ପଳାଇ ଯାଇ କବାଟ ବନ୍ଦ କରି ଚୁପ୍‌ଚାପ୍‌ହୋଇ ଘର ଭିତରେ ବସି ବାହାରେ ଗୁଳି ଚାଲିବାର ଆବାଜ ଶୁଣିଲି । ଥରେ ଗୁଳିଚାଲିବା ବନ୍ଦ ହୋଇଗଲେ ଶ୍ରମିକମାନଙ୍କ ସ୍ଳୋଗାନ ମୁଁ ଶୁଣିପାରେ ଓ ପୁଣି ଗୁଳି ଚାଲେ । ତାପରେ ଜଣଙ୍କର ଆର୍ତ୍ତ ଚିତ୍‌କାର ଶୁଣେ ... ତା’ପରେ ଆଉ ଜଣଙ୍କର....ତାପରେ ସବୁ ଚୁପ୍ ଚାପ୍ .... ନୀରବ ନିସ୍ତବ୍‌ଧ । ସବୁ ଚୁପ୍ ପଡ଼ିବା ପରେ କବାଟ ଖୋଲି ମୁଁ ସାମାନ୍ୟ ପଦାକୁ ଚାହିଁଲି ଓ ତା ପରେ ଅତି ଧୀରେ ଚାରି ଆଡ଼କୁ ନିରୀକ୍ଷଣ କରି ଧୀରେ ପଦାକୁ ଆସିଲି । ଦେଖିଲି ଫାଟକ ପାଖରେ ବୃଦ୍ଧାଟି ମରି ପଡ଼ିଛି । ଏଇ ଶାଢ଼ିଟି ହେଲା ସେଇ ବୃଦ୍ଧାର । ଧାଙ୍ଗେଡ଼ି ଧର୍ମଘଟର ନେତା ତାର ପୁଅ ସିତୁକୁ ଗିରଫ କରାଯାଇଛି । ସେ ବର୍ତ୍ତମାନ ଜେଲ୍‌ରେ ।

 

ବୃଦ୍ଧାର ଶାଢ଼ିଟି ବର୍ତ୍ତମାନ ତାର ପୁଅ-ବୋହୁ ପିନ୍ଧୁଛି । ବୁଢ଼ୀ ସଙ୍ଗେ ଏହି ଶାଢ଼ିଟିକୁ ପୋଡ଼ିଦେବା କଥା । ସମସ୍ତେ ବି ସେହି କଥା କହିଲେ । ଧାଙ୍ଗେଡ଼ି କିନ୍ତୁ କାହାକଥା ଶୁଣିଲେ ନାହିଁ-। ସେ କହିଲେ ଯିଏ ମଲା ସିଏ ତ ଗଲା; ତା’ ପାଇଁ ଏ ଶାଢ଼ି ପୋଡ଼ି ଲାଭ କଣ ? ବରଂ ଯିଏ ବଂଚିଛି ସେ ଏ ଶାଢ଼ୀ ପିନ୍ଧୁ । ବଡ଼ ବିଚିତ୍ର ଏ ଧାଙ୍ଗେଡ଼ିମାନଙ୍କର ଆଚାର ବିଚାର । ସେହି ଶାଢ଼ିଟି ଆଜି ସିତୁର ସ୍ତ୍ରୀ ବ୍ୟବହାର କରୁଛି । ବେଳେ ବେଳେ ସିତୁର ସ୍ତ୍ରୀ ହଠାତ୍ ଗମ୍ଭୀର ହୋଇପଡ଼େ-। ଆଖିରୁ ତାର ଲୁହ ଝରିଆସେ । ସେ ବୁଢ଼ୀର ପିନ୍ଧୁଥିବା ଶାଢ଼ି ଅଞ୍ଚଳରେ ଆଖି ପୋଛି ଦିଏ-। ଶାଶୁକଥା ତାର ମନେ ପଡ଼ିଯାଏ । ବୁଢ଼ୀର ଦୈନନ୍ଦିନ ଜୀବନରେ ତିକ୍ତ ଅଭିଜ୍ଞତା ଓ ସଂଗ୍ରାମର ସାକ୍ଷୀ ଏ ଶାଢ଼ିଟି । ଆଖିପୋଛି ଅଣ୍ଟାରେ ଶାଢ଼ିଟି ଭିଡ଼ି ସିତୁର ସ୍ତ୍ରୀ ମଇଳା ସଫାକରେ । ଏଇ କାମ ବନ୍ଦ କରିବା ପାଇଁ ତାକୁ କେହି କହି ପାରିବେ ନାହିଁ । ଲାଠି, ଗୁଳି, ଜେଲ—କେହି ତାର ଏଇ ଗତିରୁଦ୍ଧ କରି ପାରିବେ ନାହିଁ । ସତେ ଯେମିତି ବିଶ୍ୱର ସମସ୍ତ ଆବର୍ଜନା ସେ ଆପଣାର ହାତରେ ସଫାକରି ଦେବ । କି ଶକ୍ତିଶାଳୀ ସତେ ସେ !

 

.....ମୁଁ ଭାରୀ ଦୁଃଖିତ ।

 

ଏଇ ତ ପ୍ରଧାନ ମନ୍ତ୍ରୀଙ୍କ ସ୍ପେଶାଲ ଟ୍ରେନ୍ ଯାଉଛି... । ମୁଁ ଭାବିଥିଲି ଆମର ପ୍ରଧାନ ମନ୍ତ୍ରୀ ଏଇ ପ୍ଲାଟ୍‍ଫର୍ମ ଉପରେ କିଛି ସମୟ ଠିଆ ହୋଇ ମହାଲକ୍ଷ୍ମୀ ବ୍ରିଜ୍ ଉପରେ ଶୁଖୁଥିବା ଏଇ ଶାଢ଼ି ଛ’ଖଣ୍ଡକୁ ଅନ୍ତତଃ ଥରେ ଚାହିଁବେ । ସାଧାରଣ ଘରର ସ୍ତ୍ରୀ ଲୋକଙ୍କର ଏଇ ଶାଢ଼ିଗୁଡ଼ିକ......ଯେଉଁମାନଙ୍କୁ କେନ୍ଦ୍ରକରି ଲକ୍ଷ ଲକ୍ଷ ଘର ମୁଣ୍ଡ ଟେକି ଉଠିଛି । ଛୋଟ ଛୋଟ ସଂସାର ...ଛୋଟ ଘର ...ଘରର ଗୋଟିଏ କୋଣକୁ ଚୂଲି...ଆଉ ଗୋଟିଏ କୋଣକୁ ପାଣି ମାଠିଆ.....ଛୋଟିଆ ଝରକା ଉପରେ ଗୋଟିଏ ଦର୍ପଣ.....ତା’ ପାଖକୁ ଗୋଟିଏ ଛୋଟ ଡାଲା ଓ ତା ପାଖକୁ ଗୋଟିଏ ସିନ୍ଦୂର ଫରୁଆ ରହିଛି ଓ ଆଉ ଗୋଟିଏ କୋଣକୁ ସାନ ପିଲାଟି ଶୋଇଛି । ଏଇ ଘର ଓ ଆର ଘର ମଝିରେ ଯେଉଁ ଜାଗାତକ ଅଛି, ତାରି ଉପରେ ଗୃହଣୀ ତାର ଛୋଟ ସଂସାରର ଯେଉଁ ଛିଣ୍ଡାକନା ଓ ଶାଢ଼ି ଅଛି ତାକୁ ଶୁଖାଇ ଦିଏ । ଏହି ଗୃହଣୀମାନଙ୍କ ସମ୍ମିଳୀତ ଚେଷ୍ଟାରୁ ବିରାଟ ଭାରତ ସମ୍ଭବ ହୋଇଅଛି । ଏମାନେ ସମସ୍ତେ ଆମର ଆଦରର ମା’ ଓ ଭଉଣୀ-। ଶତ ବୀର ଗାଥା ଓ ପ୍ରେମ କାହାଣୀର ନାୟିକା ଏଇମାନେ । ଦୀର୍ଘ ପାଞ୍ଚ ହଜାର ବର୍ଷର ଗାରିମାମୟ ପରମପରାର ଧ୍ୱଜାର ବାହକ ଏଇମାନେ । ପ୍ରଧାନ ମନ୍ତ୍ରୀ ମହୋଦୟ.....ମୋ ଦେଶର ସାଧାରଣ ସ୍ତ୍ରୀ ଲୋକଙ୍କ ବିଷୟରେ ଏହି ପାଞ୍ଚୋଟି ଶାଢ଼ି କିଛି କହିବାକୁ ଚାହାନ୍ତି । ଅତି ସାମାନ୍ୟ ବିଷୟରେ ସେମାନେ ନିବେଦନ କରିବାକୁ ଚାହାନ୍ତି । ଜମି ଜମା, ବଡ଼ ଚାକିରି, ମଟର ଗାଡ଼ି, ପରମିଟ୍ କିମ୍ବା ସୁନ୍ଦର ସଜାସଜି ବାସଗୃହ ତିଆରି କରିଦେବା ପାଇଁ, ବଡ଼ ବଡ଼ ଆବେଦନ ସେମାନେ କେବେ କରିବେ ନାହିଁ । ଏସବୁ କଥା ସେମାନେ କେବେ ଚିନ୍ତା ସୁଦ୍ଧା କରି ନାହାନ୍ତି-। ତାଙ୍କ ଜୀବନର ଅତି ପ୍ରୟୋଜନୀୟ ଜିନିଷ କଥା ସେମାନେ ଆପଣଙ୍କୁ କହିବାକୁ ଚାହାନ୍ତି-। ଏଇ ଯେଉଁ ଶାନ୍ତାର ଶାଢ଼ି ଦେଖୁଛନ୍ତି.....ସେଇ ଶାନ୍ତା ଅତି ବାଲ୍ୟାବସ୍ଥାରୁ ଇନ୍ଦ୍ରଧନୁ ରଙ୍ଗୀ ଶାଢ଼ିପାଇଁ ତା ମନରେ ଏକ ଗଭୀର ବାସନା ଅଛି । ସେ ଗୋଟିଏ ଶାଢ଼ି ଚାହେଁ । ଜୀବନ ବାଈ....ସେ ତାର ଦୃଷ୍ଟିଶକ୍ତି ଓ ତାର ଝିଅର ସମାନ୍ନ ଫେରି ପାଇବା ପାଇଁ ଚାହେଁ । ସାବିତ୍ରୀ ଚାହେଁ ....ତାର ସ୍ୱପ୍ନ ରୂପପାଉ......ତାର ପୁଅ ଝିଅଙ୍କର ପଢ଼ିବାର ବନ୍ଦୋବସ୍ତ ହେଉ । ଲତାରିୟାର ଶାଢ଼ି ଜୀର୍ଣ୍ଣ....ସ୍ୱାମୀ ବେକାର....ଶାରୀଟି ଦୁଇଦିନ ହେଲା ଉପବାସ । ତା ପରେ ମଞ୍ଜୁଳା.....ସେ ଗୋଟିଏ ପ୍ରଶ୍ନର ଉତ୍ତର ପାଇବାକୁ ଚାହେଁ......ମିଲର ଗୋଟିଏ ମେସିନ୍‌ର ବେଲ୍‌ଟର ଘୋଡ଼ଣି ଅଧିକ ନାଁ ତାର ସ୍ୱାମୀର ଦାମ୍ ଅଧିକ । ତା ପରେ ବୃଦ୍ଧାଟିର କଥା.....ଲୁହାରେ ଗୁଳିର ବୁଲେଟ୍ ନ କରି ସେଥିରେ ଲଙ୍ଗଳ ତିଆରି କରି ମାଟିରେ ସୁନାର ଫସଲ ଫୁଟାଇବା ପାଇଁ ସେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ ଚାହିଁଥିଲା ।

 

କିନ୍ତୁ ଦୁଃଖର କଥା.....ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ୍ ଟ୍ରେନ୍ ଏହି ମହାଲକ୍ଷ୍ମୀ ବ୍ରିଜ ପାଖରେ ଅଳ୍ପଟିକେ ବି ରହିଲା ନାହିଁ । ସେ ତ ଛ’ଟି ଯାକ ଶାଢ଼ି ଦେଖି ପାରିଲେ ନାହିଁ....ତାର କରୁଣ ଇତିହାସ ଶୁଣିପାରିଲେ ନାହିଁ । ସେଥିପାଇଁ ଏ ଶାଢ଼ିଗୁଡ଼ିକର କଥା ତମ ଆଗରେ ମୁଁ ଟିକିନିଖି କରି କହୁଛି । ସତ କହିଲେ ତମେ ମୋ ପଡ଼ୋଶୀ......ଭାଇ....ତମକୁ ମୋର ଅନୁରୋଧ.....ବ୍ରିଜରେ ଶୁଖୁଥିବା ଛ’ଟି ଯାକ ଶାଢ଼ିକୁ ଆଉଥରେ ଚାହାନ୍ତୁ । ସେ ସବୁ ଦେଖିସାରି ବ୍ରିଜ୍‌ର ଡାହାଣ ପଟେ ଶୁଖୁଥିବା ରେଶମି ଶାଢ଼ିଗୁଡ଼ିକୁ ଦେଖନ୍ତୁ । ଏସବୁ ହେଲା ଧନୀକ କୂଳବଧୁଙ୍କ ଶାଢ଼ି....ଧୋବା କାଚି ଶୁଖାଇଛି......ବଡ଼ ମିଲ ମାଲିକ, ଗୋଦାମର ମାଲିକ, କିଳାପୋତା କାରବାରରେ ଲିପ୍ତଥିବା କମ୍ପାନୀ ମାଲିକଙ୍କ ପରିବାରର ଏହି ସବୁ ରେଶମ ଶାଢ଼ିଗୁଡ଼ିକ । ଥରେ ବାମ ପାର୍ଶ୍ୱକୁ ଓ ଆଉଥରେ ଦକ୍ଷିଣ ପାର୍ଶ୍ୱକୁ ଚାହିଁ କହ ତମେ କେଉଁ ପାଖରେ ରହିବ । କମ୍ୟୁନିଜମ ଉପରେ ବିଶ୍ୱାସ କରିବାକୁ କିମ୍ବା ଶ୍ରେଣୀ ସଂଗ୍ରାମ ଉପରେ ବିଶ୍ୱାସ କରିବାକୁ ମୁଁ ତମକୁ କହୁ ନାହିଁ । ମୁଁ ତମକୁ ଗୋଟିଏ ମାତ୍ର ପ୍ରଶ୍ନ ପଚାରୁଛି.....ତମେ କହ.....ତମେ କେଉଁ ପାଖରେ ରହିବ । ମହାଲକ୍ଷ୍ମୀ ବ୍ରିଜ୍‌ର ଡାହାଣ ନାଁ ବାଁ ପାଖରେ !

Image

 

ଲାଲ ଫୁଲ

 

ସବୁଦିନେ ତାକୁ ମିଲ୍ ସମ୍ମୁଖରେ ଯାଉଥିବାର ଦେଖେ । ପିଲାଟିର ବୟସ ବାର । ମୁହଁରେ ବସନ୍ତର ଦାଗ, ଦେଖିବାକୁ ରୋଗା, କଳା ରଙ୍ଗର । ପ୍ରତିଦିନ ମିଲ୍ ଆଗଦେଇ ସେ ଯାଏ-। ସକାଳବେଳା ହାଜିରା ନେବା ସମୟରେ, ଓପର ବେଳା ଜଳପାନ ସମୟରେ ଏବଂ ସଂଧ୍ୟାବେଳେ ମିଲ୍‌ରୁ ଘରକୁ ଫେରିବା ବେଳେ ମୁଁ ତାକୁ ଦେଖେ । ଚାକିରି ନିମନ୍ତେ ସେ ଏଠାକୁ ଆସେନାହିଁ । କାରଣ ସେ ଅନ୍ଧ । ତା’ ଛଡ଼ା ଏ ଦେଶରେ ଭଲ ଲୋକ ତ ବେକାର ହୋଇ ବୁଲୁଛନ୍ତି; ଅନ୍ଧଙ୍କ କଥା ପଚାରୁଛି କିଏ ? ଏଠି ଭିକ୍ଷାମାଗିବା ହେଲା ଅନ୍ଧମାନଙ୍କର ପ୍ରଧାନ ଜୀବିକା-

 

ଏ ପିଲାଟା କିନ୍ତୁ ବେଶ୍ ଚାଲାଖ ଚତୁର । ସେ ଭିକ ମାଗିବାର ମୁଁ କେବେ ଦେଖିନାହିଁ । ତାହାର କଣ୍ଠସ୍ୱର ସରୁ ହେଲେ ମଧ୍ୟ ସେ ଚମତ୍‌କାର ଗୀତ ଗାଇପାରେ । ସେ ସର୍ବଦା ହାତରେ ଗୋଛାଏ ସଙ୍ଗୀତ ବହି ଧରି ମିଲ୍ ସମ୍ମୁଖରେ ବୁଲୁଥାଏ ଏବଂ ପ୍ରତି ବହିକୁ ଅଣାଏ ଦାମରେ ବିକ୍ରୀ କରେ । ଏହି ବିକ୍ରୀବେଳେ ସେ ସିନେମାର ନୂଆ ନୂଆ ଗୀତଗାଇ ଶୁଣାଏ । ଏହି ଗୀତ ଗୁଡ଼ିକ ମିଲ୍‍ ମାଲିକମାନଙ୍କର ଅତି ପ୍ରିୟ ।

 

ସମସ୍ତଙ୍କପରି ମୋତେ ବି ସିନେମା ଦେଖିବାକୁ ଭାରି ଭଲ ଲାଗେ । ପ୍ରଥମତଃ ଦିନସାରା କଠିନ ପରିଶ୍ରମ କରି ବ୍ୟଥାରେ ଦେହ ଟକ୍ ଟକ୍ ହେଉଥାଏ । ଦରମା ଏତେ କମ ଯେ ଏଥି ସତ୍ୱେ କୌଣସି ଶ୍ରମିକ କାମକୁ ଯିବାକୁ ବନ୍ଦ କରେ ନାହିଁ । ଦିନସାରା କଠିନ ପରିଶ୍ରମ କଲେ ମଧ୍ୟ ସାମାନ୍ୟ ସ୍ୱଚ୍ଛଳ ଭୋଗ କରିବାପାଇଁ ସୁଯୋଗ କାହାକୁ ମିଳେ ନାହିଁ । ଫଳରେ କେହି କେହି ତାଡ଼ି ଖାଆନ୍ତି ନଚେତ୍ ସିନେମା ଯାଆନ୍ତି । ମୁ ତାଡ଼ି ଖାଏ ନାହିଁ; କିନ୍ତୁ ସିନେମା ଯାଏ । ଏହା ମୁଁ ଅସ୍ୱୀକାର କରି ପାରିବି ନାହିଁ ।

 

ସ୍ତ୍ରୀ ଓ ପୁରୁଷ ଚମତ୍‌କାର ପୋଷାକ ପିନ୍ଧି ଗାଡ଼ିରେ ଚଢ଼ି ବୁଲନ୍ତି ଓ ପ୍ରେମରେ ପଡ଼ନ୍ତି–ମୁଁ ସିନେମାରେ ଦେଖେ । ସେଠି ଦିନ ରାତି ସମସ୍ତେ ପ୍ରେମରେ ମାତି ଥାଆନ୍ତି-। ଯାହାକୁ କେଉଁଠି ଦେଖା ମିଳେନି ସେ ପ୍ରେମରେ ପଡ଼ିଥାଏ କିମ୍ବା ପ୍ରେମରେ ପଡ଼ିବାର ସମ୍ଭାବନା ଅଛି-। ମୁଁ ଭାରି ଆଶ୍ଚର୍ଯ୍ୟ ହୁଏ । ଏ ଲୋକମାନେ ସବୁ କାମ କରନ୍ତି କେଉଁଠି; ଏହିସବୁ କାମରେ ମାତିବା ପାଇଁ ସମୟ କେଉଁଠୁ ଆସେ ଏବଂ ଏହି ମାଗ୍‌ଗଣ୍ଡା ବଜାରରୁ ଏ ଚକ୍‌ଚକିଆ ପୋଷାକ ସବୁ ପାଆନ୍ତି କେଉଁଠୁ ? ତା’ପରେ ଏ ଫୂର୍ତ୍ତି କରିବାପାଇଁ ଟଙ୍କା କେଉଁଠୁ ମିଳେ । ଏ ସବୁର ହିସାବ ମୋ’ ମୁଣ୍ଡରେ ମୋଟେ ପଶେ ନାହିଁ ।

 

ଏହା ବ୍ୟତୀତ ଆଉ ଗୋଟିଏ କଥା ଅଛି । ସିନେମାରେ ମୁଁ ଆଉ ଏକ ଅଦ୍ଭୁତ ବ୍ୟାପାର ଦେଖେ । ଧନୀକ ଦରିଦ୍ର ସଂଗେ ପ୍ରେମ କରେ । ମାଲିକର ସନ୍ତାନ ଶ୍ରମିକ କନ୍ୟାର ଓ ଶ୍ରମିକ ସନ୍ତାନ ମାଲିକ—କନ୍ୟାର ପ୍ରେମ ପ୍ରାର୍ଥନା କରେ । ଶେଷରେ ମାଲିକ ପଣିଆ ଓ ଟଙ୍କା କଉଡ଼ିର ମମତା ପରିତ୍ୟାଗ କରି ମାଲିକ କନ୍ୟା ସମାଜସେବୀ ହୋଇଯାଏ । ମୋତେ କିଏ ବତାଇ ଦିଅନ୍ତା କି—ମୋର ଜାଣିବା ପାଇଁ ଭୀଷଣ ଇଚ୍ଛା ହୁଏ—କେଉଁଠି କି ଗଲେ ଏହି ସବୁ ମାଲିକ ଓ ତାଙ୍କ କନ୍ୟାମାନଙ୍କର ସାକ୍ଷାତ ମିଳି ପାରିବ । ବାସ୍ତବ କ୍ଷେତ୍ରରେ ଦେଖାଯାଏ ଫୋରମ୍ୟାନ ମଧ୍ୟ ଆମ ସଙ୍ଗେ ବନ୍ଧୁଭାବେ କଥାବାର୍ତ୍ତା କରିବାକୁ ଅପମାନିତ ବୋଧ କରନ୍ତି । ଏ ସବୁ ସତ୍ୱେ ଗୋଟାଏ କଥା ମାନିବାକୁ ହେବ ଯେ ଫୂର୍ତ୍ତି କରିବା ପାଇଁ ସିନେମା ବେଶ୍ ଚମତ୍‌କାର ଜିନିଷ ଏବଂ ସେଥିପାଇଁ ମୋଟେ ଚାରଣା ପଇସା ଦରକାର ।

 

ଏହାବୋଲି ଯେ ପ୍ରତ୍ୟେକ ଛବି ଦେଖାଯାଏ, ତା’ ନୁହେଁ । ଅନେକ ସମୟରେ ଏପରି ହୋଇଛି ଯେ ଭଲ ଭଲ ଛବି ଆସି ଚାଲିଯାଏ; କିନ୍ତୁ ଚାରଣା ପଇସା ପର୍ଯ୍ୟନ୍ତ ମିଳେ ନାହିଁ । ଏମିତି ଯେତେଥର ହୋଇଛି ମୁଁ ଯାଇ ସେ ଅନ୍ଧ ପିଲାଟିଠାରୁ ସିନେମା ବହିଟି କିଣି ନେଇଛି ଏବଂ ଗୀତ ଗୁଡ଼ିକ ତା ମୁହଁରୁ ଶୁଣି ଶୁଣି ମୁଁ ନିଜେ ମନକୁ ମନ ଗୁଣୁ ଗୁଣୁ ଗାଇଛି । ଗୋଟିଏ ଅଣାରେ ସବୁ ହୋଇଯାଏ । କ୍ଷତି କଣ ?

 

ମୋର ଜୀବନରେ ବ୍ୟର୍ଥତା ଏତେ ବେଶି ଯେ ଯେଉଁ ମୁହୂର୍ତ୍ତରେ ଏତେ ଟିକିଏ ଆଶାର ଆଲୋକ ମୋର ଚକ୍ଷୁର ସାମନାରେ ଝଲକି ଯାଏ, ମୁଁ ବିସ୍ମିତ ହୋଇ ଚାହିଁ ରହି ଚିନ୍ତାକରି ଭାବେ–ଏହି ଆଶାର ଆଲୋକ କ’ଣ ଦିନେ ମୁଁ ସ୍ପର୍ଶକରି ପାରିବି ? ଏପରି ଦିନ କଣ ଆସିବ ନାହିଁ-? ଏହି ସରସ ଝଲକଟିକ ମୋ’ ଦ୍ୱାର ସମ୍ମୁଖରେ ଜୀବନ୍ତ ହୋଇ ଉଠିବ । ଏହି ପ୍ରାଣଉଚ୍ଛୁଳା ସ୍ୱର ମୋର ଜୀବନସଙ୍ଗୀତ ହୋଇ ପ୍ରତିଧ୍ୱନିତ ହୋଇ ଉଠିବ । କାମ କରୁଥିବା ସମୟରେ ଏହି ସବୁ କଥା ମୁଁ ଚିନ୍ତାକରେ ଏବଂ ସ୍ୱପ୍ନର ଜାଲ ବୁଣେ । ଫୋରମ୍ୟାନ ଆସି ଗାଳିଦିଏ ଏବଂ ମୋର ଏହି ସବୁ ସ୍ୱପ୍ନ ଭାଙ୍ଗ ଚୁରମାର ହୋଇଯାଏ । କଳ୍ପନାର ସେହି ସୁନାଜାଲ ଛିଡ଼ିଯାଏ । କେଉଁଠାରେ ତାହା ଦେଖା ଯାଏନି । ଚିରଦିନ ପାଇଁ ମୋର ସ୍ୱପ୍ନ, ମନ ଏବଂ ପ୍ରାଣ ହାହାକାର କରିଉଠେ-

 

ଏହି ସବୁ କାରଣରୁ ଦିନେ ହରତାଳ କରି ବସିଲୁ । ଲାଲପତାକା ସାମନାକୁ ଲୋକମାନେ ଅନେକଥର ଆସିଛନ୍ତି; କିନ୍ତୁ ଏମାନଙ୍କ ୟୁନିୟନରେ ମୁଁ ଏପର୍ଯ୍ୟନ୍ତ ଯୋଗ ଦେଇନି । ଦିନସାରା କାମକରି ସଂଧ୍ୟାବେଳେ କେବେ କିପରି ମୁଁ ସିନେମା ହଲ୍‌ଆଡ଼େ ଯାଏ ଏବଂ ସିନେମାର ଗୋଟିଏ ଗୀତ ଶୁଣି ଗାଇ ଗାଇ ଫେରିଆସେ । ଘରକୁ ଫେରି ଶୁଖିଲା ରୁଟି ଖାଏ ଏବଂ ଏହି ଶୁଖିଲା ରୁଟି ଯେ ମୋର ଭାଗ୍ୟରେ ମିଳେ ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇ ଶୋଇ ପଡ଼େ ।

 

ମନହେଲା ସତେ ଯେମିତି ମଜୁରି ହଠାତ୍ ଚାରିଗୁଣ କମି ଯାଇଛି । ଜଠରରେ ସର୍ବଦା କ୍ଷୁଧା ଜଳି ଉଠେ । ପୁଅ ଝିଅ ମୋର ସର୍ବଦା ଚିରା ଲୁଗା, କାମିଜ ପିନ୍ଧନ୍ତି । ଘରଭଡ଼ା ପର୍ଯ୍ୟନ୍ତ ମୁଁ ଦେଇପାରେ ନାହିଁ । ସିନେମା ଯିବା ପୁରା ବନ୍ଦ ହୋଇଯାଇଛି । ଆଗେ ଆଗେ ସିନେମାର ପୁରୁଣା ଗୀତଗୁଡ଼ା ଶୁଣି ଶୁଣି ଗାଉଥିଲି । ଏପରି କି ମଝିରେ ମୁଁ ଗୋଟେ ଦି’ଟା ଗୀତ ନିଜେ ଲେଖି ପାରିଛି-। ଖୁବ୍ ଭଲ ହୋଇଥିଲା । ବର୍ତ୍ତମାନ କିନ୍ତୁ ଆଉ ମୁଁ ଗୀତ ଗାଇପାରୁ ନାହିଁ । ନାଁ ପାରୁଛି ଗାଇ ପୁରୁଣା ଗୀତ କିମ୍ବା ନୂଆଗୀତ ଲେଖି ପାରୁଛି । ବେଳେ ବେଳେ ପ୍ରଶ୍ନ ଉଠେ ସିନେମାର ସେହି ଯେ ମାଲିକ କନ୍ୟା, ଯେ କି ଗୋଟିଏ ଶ୍ରମିକର ପ୍ରେମରେ ପଡ଼ିଥିଲା, ସେ ଯଦି ଆସି ମୋ ଆଗରେ ପ୍ରେମ ଭଙ୍ଗୀରେ ଠିଆ ହୁଅନ୍ତା, ତେବେ କି ମଜା ନ ହୁଅନ୍ତା ? କିନ୍ତୁ ଏ ସବୁ ଘଟଣା ବାସ୍ତବ ଜୀବନରେ ସମ୍ଭବ ନୁହେଁ । ଆମ ମିଲ୍ ମାଲିକ ଝିଅର ବାପ ସଙ୍ଗେ ଦେଖା କରିବାକୁ ଆସି ମଟର ଚାପି ମରି ଯିବାଟା ସାର ହୋଇଥାଏ ।

 

ସୁତରାଂ ହରତାଳ କରିବା ପାଇଁ ମିଲ୍‌ର ଶ୍ରମିକମାନେ ଯେଉଁ ଦିନ ଭୋଟନେଲେ ମୁଁ ସେଥିରେ ଯୋଗଦେଲି । ହରତାଳ କଥାଟା ମୋଟାମୋଟି ଗୋଟେ ଅୟେସି କଥା ନୁହେଁ । ଯେଉଁ ଲୋକଟା ଅନବରତ କାର୍ଯ୍ୟବ୍ୟସ୍ତ ଥାଏ, ସେ ହଠାତ୍ କାମ ବନ୍ଦକଲେ ଆନନ୍ଦ ବୋଧ କରେନାହିଁ । ହରତାଳମାନେ ପେଟରେ କିଳାମାରି ପଡ଼ି ରହିବା । ଆମେ ତ ଟଙ୍କ ଜମା କରିନୁ ଯାହା ଫଳରେ କି ହରତାଳ ସମୟରେ ଆରାମରେ ଦିନ କାଟିବୁ ?

 

ସମସ୍ତେ କହନ୍ତି ଶ୍ରମିକମାନେ ହରତାଳ କରିବା ଉଚିତ ନୁହେଁ, ବରଂ ବେଶି କାମ କରିବା ଉଚିତ । ବେଶି ଲୁଗା ବୁଣିବା ଉଚିତ । ଆମେ କହୁ ବେଶ ଭଲକଥା; ଆମେ ଆହୁରି ଅଧିକ କାମ କରିବୁ, ଅଧିକ ଲୁଗା ବୁଣିବୁ । ଏଥିପାଇଁ ତ ଅନିଚ୍ଛା ପ୍ରକାଶ କରିନାହୁଁ; କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଆମେ କେହି ଲୁଗା ବୁଣୁନା; ଲୁଗାର ଦାମ୍ ଠିକ୍ ବଢ଼ିଚାଲେ । ଫଳରେ ମିଲ ମାଲିକଙ୍କର ଆୟ ବଢ଼େ ଓ ଆମମାନଙ୍କର ମଜୁରି କମେ । ସେ ଭାଇମାନଙ୍କ କଥାଟାତ ଟିକେ ବିଚାର କରିବା ଉଚିତ; ନା ନୁହେଁ ? ଆଗବେଳେ ଖୁବ୍ ବେଶି ହେଲେ ମୁଁ ଚାରଣା ପଇସା ଖର୍ଚ୍ଚକରି ଟିକେ ସିନେମା ଯାଉଥିଲି । ବର୍ତ୍ତମାନ ସେତିକି ବି ହୋଇପାରେ ନାହିଁ । କ’ଣ କରିବି କହତ ?

 

ତାପରେ ମୋତେ ଜବରଦସ୍ତ ହରତାଳ କରିବାକୁ ହେଲା । ଆମର ବେଶ୍ ଫୂର୍ତ୍ତି ହେଲା-। ଚାରିଆଡ଼େ ପୋଲିସ୍; କିନ୍ତୁ ସମସ୍ତେ ମିଲ୍‍ର ଚାରିପାଖରେ ଛୋଟ ଛୋଟ ଦଳ ବାନ୍ଧି ଖୁସି ଗପରେ ବ୍ୟସ୍ତ ଥାଆନ୍ତି । ଅନ୍ଧ ପିଲାଟି ଆସେ; କିନ୍ତୁ ପୂର୍ବଦିନପରି ଗୀତ ଗାଏ ନାହିଁ । ତାର ଆଉ ଗୋଟିଏ ହେଲେ ବହି ବିକ୍ରୀ ହୁଏ ନାହିଁ । ସେ ବିଶେଷ ଚେଷ୍ଟାକରି ତାର ସେଇ ସୁମଧୁର କଣ୍ଠରେ ଗୀତ ଗାଏ; କିନ୍ତୁ କେହି ହେଲେ ପକେଟରୁ ଅଣିଟିଏ କାଢ଼େ ନାହିଁ । ବୁଝିଲ ଭାଇ ! ଆମେମାନେ ହରତାଳ କରିଛୁ, ଏ ହରତାଳ ଆଉ କେତେଦିନ ଚାଲିବ କେହି କହି ପାରିବେ ନାହିଁ । ଗୋଟିଏ ଅଣି....ଚାରୋଟି ପଇସା..... । ଅଣାକାର ବୁଟ କିଣିଲେ ଦ୍ୱିପ୍ରହରେ ଓ ରାତିରେ ଖାଇବା କାମ ଚଳିଯାଏ ।

 

ମାଲିକମାନେ ଯେତେବେଳେ କହନ୍ତି—ପ୍ରତାରକମାନଙ୍କ କଥାରେ ମାତି ଶ୍ରମିକମାନେ ହରତାଳ କରିଛନ୍ତି, ମୁଁ ହସେ । ଯେଉଁମାନେ ଏହିପରି କଥା କହନ୍ତି ସେମାନେ ହୁଏତ ଜାଣନ୍ତି ନାହିଁ ଯେ ହରତାଳ ସମୟରେ ଶ୍ରମିକମାନେ ମାଂସ ପଲଉ ଖାଆନ୍ତି ନାହିଁ । ଶୁଖିଲା ରୁଟି ଚୋବାଇ, ଭାତମୁଠାକ ବନ୍ଦକରି, କଲିଜାରୁ ରକ୍ତ ଢାଳି ଦିଅନ୍ତି । ଶ୍ରମିକମାନେ ଏହିପରି ହରତାଳ ପାଳନ କରନ୍ତି । ଖାଇବାକୁ ନପାଇ ଆଖି ଆଗରେ ସେମାନଙ୍କ ପିଲାପିଲି ମାନେ ପ୍ରାଣ ହରାନ୍ତି । ଚକ୍ଷୁମେଲି ଦେଖିବାକୁ ହୁଲ ଝି୍ଅବୋହୁ ଘାସରେ ଯେ ମେଜ ରଚନା କରିଛନ୍ତି ଏବଂ ସେଇଠି ସେ ନତମସ୍ତକରେ ଦାନ୍ତରେ ଦାନ୍ତ ଚିପି ଯାଇ ମିଲ୍‍ ମାଲିକ ସାମନାରେ ଠିଆ ହୋଇ ଥିବାର ଦେଖାଯାଏ; କିନ୍ତୁ ଭିତରେ ପ୍ରବେଶ କରନ୍ତି ନାହିଁ । ତା ଭିତରକୁ ପଶିଗଲେ ଦୁର୍ବଳତା, ସୟତାନି, ଲୋଭ ବଢ଼ି ଚାଲେ । ସତରେ ହରତାଳ କରିବା ଅପେକ୍ଷା ଗୁଳିଖାଇ ମରିବା ଅନେକ ଗୁଣରେ ଭଲ ।

 

ଏ ସବୁକଥା ଥାଉ । ଗୀତ ଗାଇ କ୍ଳାନ୍ତ ହୋଇ ପଡ଼ି ଅନ୍ଧ ପିଲାଟି ନିକଟକୁ ଯାଇ ଗୋଟିଏ ଖୁମ୍ବରେ ଗୀତ ବନ୍ଦ କରିଦେଲା । ମୁଁ ଦେଖି ପାରିଛି ସେ କାନ୍ଦ କାନ୍ଦ ଦିଶୁଥାଏ । ମୁଁ ମୋ ଭାଷାରେ କହିଲେ କହିବି ସେ ମନ ମାରି ଦେଇଥିଲା । ଆସ୍ତେ ଆସ୍ତେ ଯାଇ ସେ ସାମନାରେ ଠିଆ ହେଲା ।

 

ମୁଁ ପଚାରିଲି–କେତେଟା ବହି ବିକ୍ରୀ ହେଲା ?

 

‘‘ଗୋଟିଏ ବି ନୁହେଁ ।’’

 

‘‘ବର୍ତ୍ତମାନ ଆଉ ବହି ବିକ୍ରୀ ହେବ ନାହିଁ ।’’

 

‘‘କାହିଁକି ?’’

 

‘‘ମିଲରେ ଧର୍ମ୍ମଘଟ ହୋଇଛି । ଶ୍ରମିକମାନେ ଦରମା ପାଉ ନାହାନ୍ତି ।’’

 

‘‘କଣ ! ଅସୁବିଧା ଅଛି ।’’

 

ନା ଅସୁବିଧା ନୁହେଁ । ଅବଶ୍ୟ ଏହାକୁ ଏକ ପ୍ରକାର ବାଧିକି ବୋଲାଯିବ । ଖାଇବାକୁ ନ ପାଇଲେ, ମନରେ ଶାନ୍ତି ନ ମିଳିଲେ କିଏ କିପରି କାମ କରିବ ।

 

ଜିଭରେ ଶୁଖିଲା ଓଠ ଦୁଇଟାକୁ ଚାଟି ଚାଟି ସିଏ କହିଲା—‘‘ଆଜି ଖଣ୍ଡେ ହେଲେ ବହିବି ବିକ୍ରୀ ହେଲା ନାହିଁ ।’’

 

ମୁଁ କହିଲି ‘‘ମିଲରେ ଆଜି ହରତାଳ ହୋଇଛି ।’’

 

‘‘ଆଜି ପରି ଗଲାଦିନ ମୁଁ ଖଣ୍ଡେ ହେଲେ ବହି ବିକ୍ରୀ କରି ପାରିଲି ନାହିଁ । ସେଠି ଥିଲା ଦିନ ମୁଁ ସ୍ୱାଧୀନ ଥିଲି ।’’

 

‘‘ବାପରେ ବାପ ଲୋକମାନଙ୍କର କି ମଉଚ୍ଛବ ।’’

 

‘‘କଣ ତୁମେ ନାଟ ଖେଳ କରି ନାହଁ ।’’

 

କ୍ଷୁଧାରେ ମୋର ପେଟ ଜଳୁଛି ।’’

 

ମୁଁ ଚୁପ୍‌ରହିଲି । କିଛି ସମୟ ପରେ ପକେଟରୁ ଗୋଟିଏ ଅଣି ବାହାର କରି ତାକୁ ଦେଲି । ସେ କିନ୍ତୁ ନ ନେଇ କହିଲା ମୁଁ ଅନ୍ଧ; କିନ୍ତୁ ଭିକାରୀ ନୁହେଁ । ମୋର ବାପା ଏହି କାରଖାନରେ କାମ କରୁଥିଲେ । ଦୁର୍ଭାଗ୍ୟ ବଶତଃ ସେ ପ୍ରାଣ ହରାଇଲେ ।

 

‘‘କେବଳର କଥା ?’’

 

‘‘ବହୁତ ଦିନ ହେଇ ଗଲାଣି । ଫୋରମ୍ୟାନ୍‌ଭୁଲରୁ ଗୋଟାଏ ମେସିନ ତାଙ୍କୁ ଧକ୍‌କ ଦେଲା ।’’

 

‘‘ଏଇ ଅଣିଟି ନିଅ ମୁଁ ଅନରୋଧ କଲି ।’’

 

‘‘ନା ନା କହି ସେ ଶକ୍ତ ଭାବେ ବସି ପଡ଼ିଲା ।’’

 

ମୁଁ ଚାଲିଗଲି । ସବୁଦିନେ ମୁଁ ତାକୁ ଦେଖେ । ରୋଜଗାର ନିମନ୍ତେ ସେ ବହି ବିକେ ଓ ଗୀତ ଗାଏ; କିନ୍ତୁ କେହି ବହି କିଣନ୍ତି ନାହିଁ । ସେ କ୍ଳାନ୍ତ ହୋଇ ପଡ଼େ ଓ ଖୁମ୍ବକୁ ଆଉଜି ଦମ୍‌ମାରେ-

 

ମୁଁ ତାକୁ କହିଲି—ଏଠିତ ଧର୍ମଘଟ ଚାଲିଛି । ଫଳରେ ତୁମର ସିନେମା ଗୀତ ଆଉ କାହାକୁ ଭଲ ଲାଗିବ ନାହିଁ । ଅନ୍ୟକେଉଁଠିକି ଯାଅ ।

 

‘‘କେଉଁଠିକି ଯିବି ? ମୁଁ ଆଉ କେଉଁଆଡ଼େ ଦେଖିନି ।’’

 

‘‘ପୋର୍ଟ ଇଲାକାକୁ ଯାଅ । ସେଠି ସବୁ ବଡ଼ଲୋକ ଅଛନ୍ତି । ତମର ବହି ବିକ୍ରୀ ହୋଇଯିବ । ଆଚ୍ଛା ଆସ ତମକୁ ନେଇ ମୁଁ ପୋର୍ଟ ଇଲାକାରେ ପହଞ୍ଚାଇ ଦେଇ ଆସିବି । ମୁଁ ତାକୁ ନେଇ ପୋର୍ଟ ଇଲାକାରେ ଛାଡ଼ିଦେଇ ଆସିଲି; କିନ୍ତୁ ପରଦିନ ସେ ଫେରି ଆସିଲା ଓ କହିଲା ସେଠି ଲୋକମାନେ ସବୁ ଇଂରେଜ ବହି ପଢ଼ନ୍ତି ଏବଂ ଦେଶୀ ସିନେମା ସଙ୍ଗୀତ ଗୁଡ଼ିକ ନିଜ ନିଜ ରେଡ଼ିଓରୁ ଶୁଣନ୍ତି । ସେଠି ତାର ବହି ବିକ୍ରୀ ହୁଏ ନାହିଁ ।

 

ତାପରେ ଆସିଲେ ଲାଲବାଗର ଲୋକମାନେ ଏବଂ ସେମାନଙ୍କ ସଙ୍ଗେ ଆସିଲେ ଅନ୍ୟ ମିଲ୍‌ର ଶ୍ରମିକମାନେ । ପାଖପୁଖା ଠିଆ ହୋଇ ହାତ ଉଠାଇଲେ, ସ୍ଳୋଗାନ ଦେଲେ ଏବଂ ବିପ୍ଳବର ସଂଗୀତ ଗାଇଲେ । ମୁଁ ଗୀତ ଗାଇବେ ବେଳେ ଲକ୍ଷ୍ୟ କରିଛି ଅନ୍ଧ ପିଲାଟି ପାଦେ ପାଦେ ଭିତରକୁ ପଶି ଆସିଲା ଏବଂ ସମସ୍ତଙ୍କ ସଙ୍ଗେ ସ୍ୱର ମିଳାଇ ଗୀତ ଗାଇଲା । ସ୍ୱରଟା ଠିକ୍‍କରି ନେଲା ପରେ ସେ ଉଚ୍ଚ କଣ୍ଠରେ ଗୀତ ଗାଇବାକୁ ଆରମ୍ଭ କରିଦେଲା । ମୁଁ ମଧ୍ୟ ଏହା ସଙ୍ଗେ ସଙ୍ଗେ ଗାଇଲି । ମୋର ମନେ ହେଲା ସତେ ଯେମିତି ତା ସ୍ୱରରେ ଯାଦୁ ନିହିତ ଅଛି । ଆମ ସମସ୍ତଙ୍କୁ ତାହା ଭଲ ଲାଗିଲା ।

 

ଗୀତଟି ଶେଷ ହେବା ପରେ ଆବେଗର ସହିତ ମୁଁ ଏହାର ପ୍ରଶଂସା କଲି । ସାବାସରେ ଫଜଲୁ କକାର ପୁଅ କହି ତାକୁ ଶ୍ରମିକମାନେ କାନ୍ଧକୁ ଉଠାଇ ନେଲେ । ତାପରେ ଲାଲ ପତାକାଟିକୁ ତାର ହାତରେ ଦେଲେ । ଆମ କାରଖାନାର ସ୍ୱର୍ଗୀୟ ଶ୍ରମିକ ଫଜଲଓର ରହମାନର ପୁଅ ସେ ।

 

ମୁଁ ଦେଖିଲି ଅନ୍ଧ ପିଲାଟିର ମୁଖ ମଣ୍ଡଳରେ ଆନନ୍ଦର ଆଲୋକ ଉଦ୍‌ଭାସିତ ହୋଇ ଉଠୁଛି । ବିଶେଷ ହୃଦୟତା ସହ ମୁଁ କହିଲି ଗୀତଟା ମୋତେ ଖୁବ୍‌ ଭଲ ଲାଗିଲା ।

 

‘‘ଏହା ହିଁ ଆମର ସଙ୍ଗୀତ ।’’

 

‘‘ଏମାନେ ମୋ ହାତରେ ପତାକା ଦେଇଥିଲେ, ନୁହେଁ ! ମୋତେ ସେମାନେ ପ୍ରଶ୍ନ କଲେ ତୁ ଶହୀଦ ଫଜଲୁଓର ରହମାନ ଦାଦାର ପୁଅ, ନୁହେଁ ?’’

 

ପିଲାଟି ପୁଣି ମୋତେ ପଚାରିଲା ‘ଆମ ପତାକାର ରଙ୍ଗ କଣ ?’

 

‘ଲାଲ’ ।

 

‘‘ଲାଲ ରଙ୍ଗଟା କିପରି ?’’

 

ମୁଁ କହିଲି ଯେ ଠିକ ବୁଝି ପାରିବ ନାହିଁ । ତମେ ତ ଲାଲ ରଙ୍ଗ ଦେଖି ନାହିଁ । ମୁଁ ତୁମକୁ ବୁଝାଇ ଦେଉଛି ଶୁଣ । ଲାଲ ରଙ୍ଗଟା ମଣିଷର କଲିଜା ରଙ୍ଗପରି । ଶ୍ରମିକର ପତାକା ହେଉଛି ଲାଲ । ପତାକା ଉପରେ ସେ ଅନାମନା ଭାବେ ହାତ ବୁଲାଇବାକୁ ଲାଗିଲା । ଏହି ରଙ୍ଗଟା ମୁଁ ଆଉ କେବେ ଭୁଲି ପାରିବି ନାହିଁ ।

 

‘‘କିପରି ?’’

 

ତାହା ମୁଁ କହିବି ନାହିଁ କହି ସେ ହସିଲା । ତା ପରେ କିଛି ସମୟ ରହି ସେ ପୁଣି କହିଲା ବଡ଼ ବେପରୁଆ ସଙ୍ଗୀତ, ନୁହେଁ ? ଏହା ପରେ ମୁଁ ଗୀତଗୁଡ଼ିକ ଗାଇବାକୁ ପସନ୍ଦ କରୁ ନାହିଁ । ହଉ କହିଲ, ଏହି ଗୀତ ପରି ଆଉ ଗୀତ ଅଛିକି ?

 

ଚାରି ଦିଗକୁ ଥରେ ନିରୀକ୍ଷଣ କରି ମୁଁ ତାକୁ ଚୁପ୍‌ଚାପ୍‌ କହିଲି—କାହାକୁ କହିବୁ ନାହିଁ । ଏ ଗୀତ ଗୁଡ଼ିକ ମୁଁ ଲେଖିଛି । କିନ୍ତୁ ମୋ ଲେଖାଗୁଡ଼ିକ ଗାଇବାକୁ ତେତେ ଭଲ ନୁହଁ । ଅନ୍ୟ କାହା ଆଗେ ଗାଇବକୁ ମୋତେ ଲାଜ ଲାଗେ । ସେ କହିଲା ତମେ ଗୀତ ଲେଖ ମୁଁ ଗାଇବି । ସେହିପରି ବିପ୍ଳବ ସଂଗୀତ ଲେଖିବ ତ ?

 

ରାତିରେ ମୁଁ ଗୋଟିଏ ଗୀତ ଲେଖିଲି । ଅପଟୁ ହାତରେ ତାଳହୀନ ସଙ୍ଗୀତ । ସଙ୍ଗୀତଟି ଲେଖିବା ନିମନ୍ତେ ଯଦିଓ ଖୁବ୍‌ କଷ୍ଟ ହେଲା, ମୁଁ ମୋର ମନ-ପ୍ରାଣ ଦେଇ ସେ ସଙ୍ଗୀତଟି ରଚନା କଲି । ଏହି ଗୀତଟିରେ ମୁଁ ମୋର ଅନ୍ତରର ସମସ୍ତ ନିର୍ଯାତନା, ମୋ ସ୍ତ୍ରୀର ଲାଞ୍ଛନା ଓ ମୋର ସନ୍ତାନ ସନ୍ତତିର ସମସ୍ତ ବୁଭୁକ୍ଷା ଲିପିବଦ୍ଧ କରିଥିଲି । କ୍ଷୁଧା ଓ ତୃଷ୍ଣାର ନଗ୍ନଚିତ୍ର ସଙ୍ଗୀତଟି ମଧ୍ୟରେ ଫୁଟି ଉଠିଥିଲା । ଏହି ଗୀତଟି ଧରି ମୁଁ ମୋର ଅନ୍ଧ ବନ୍ଧୁଙ୍କ ନିକଟକୁ ଗଲି । ଏହି ସଙ୍ଗୀତଟିରେ ଅନ୍ଧବନ୍ଧୁ ତାର ସମସ୍ତ ଅନ୍ତଃଦୃଷ୍ଟି ଢାଳି ଦେଇଥିଲା, ନିର୍ଯାତିତ ଆତ୍ମାର ସମସ୍ତ ଯନ୍ତ୍ରଣା ଓ ମୈତ୍ରୀ ଅଭିଯାତ୍ରାର ସମସ୍ତ ଆଲୋକା, ଏକତ୍ରିତ ସଂଗୀତଟା ଆଲୋକ ପରି ଉଜ୍ଜଳ ହୋଇ ଉଠିଲା । ତାପରେ ସେ ଯେତେବେଳେ ଗୀତଟି ଗାଇଲା ମନେ ହେଲା ସତେ ଯେପରି ହଜାର ହଜାର ଦୋଷଯୁକ୍ତ ରନ୍ଧ୍ର ମିଲ୍‌ଫାଟକର ଅଗ୍ରଭାଗରେ ଆଲୋକଦ୍ୱାର ଉଦ୍‌ଭାସିତ ହୋଇ ଉଠୁଛି । ମଜ୍‌ଦୂରମାନଙ୍କ ମୁହଁ ଗୁଡ଼ିକ ଉତ୍‌ଫୁଲ୍ଲ ହୋଇ ଉଠିଲା । ଶ୍ରମିକମାନେ ଦଳବାନ୍ଧି ମିଲ୍‌ଅଭିମୁଖରେ ଆଗେଇ ଆସିଲେ । ମିଲ୍‌ମାଲିକ ସୈନ୍ୟଙ୍କ ସାହାଯ୍ୟ ନେଲେ ।

 

ମୁଁ ଘରକୁ ଫେରିଲି । ଏହିପରି ଅନେକ ଦିନ କାଟିଲି । ମୋର ଯତ୍‌ସାମାନ୍ୟ ସଞ୍ଚିତ ଧନ ଶେଷ ହୋଇଗଲା । ଗୋଟିଏ ଗୋଟିଏ ହୋଇ ମୋର ସମସ୍ତ ଆଶା ଆକାଂକ୍ଷା ଚୁରମାର ହୋଇଗଲା । ଏ ମଧ୍ୟରେ କେତେଜଣ କାମକୁ ଫେରି ଯିବାକୁ ଭାବିଲେଣି । ମିଲ୍‌ମାଲିକ ଅଟଳ । ଯେଉଁ ସବୁ ଆଳାପ ଆଲୋଚନା ଚାଲିଥିଲା ସେଥିରେ ଶେଷରେ ଆମର ଦୋଷ ହେଲା । ଖବର କାଗଜଗୁଡ଼ା ସବୁ ବଡ଼ଲୋକଙ୍କ ହାତ ମୁଠାରେ । ସେଥିପାଇଁ ଆମକୁ ଦୋଷ ଦେଉଛନ୍ତି । ଅନ୍ୟ କାହାଠାରୁ କୌଣସି ସାହାଯ୍ୟ ମିଳୁ ନାହିଁ । ବିଶେଷ ଉଦ୍‌ବିଗ୍ନତାର ମଧ୍ୟରେ ଆମେ ଦିନରାତି କାଟୁଛୁଁ ।

 

ଆମେମାନେ ଯେ ଜୟଯୁକ୍ତ ହେବୁ ସେପରି ଆଶା ନାହିଁ । ତା ବ୍ୟତୀତ ଆଜି ଅନେକ କାମରେ ଯୋଗ ଦେବାପାଇଁ ସ୍ଥିର କରିଛନ୍ତି । ଆମେ ଏମାନଙ୍କୁ ବୁଝାଇବା ପାଇଁ ବହୁତ ଚେଷ୍ଟା କରୁଛୁ; କିନ୍ତୁ ସେମାନେ କିଛି ଶୁଣିବା ପାଇଁ ରାଜି ନୁହଁନ୍ତି । ଆମର ଭୀଷଣ ମନସ୍ତାପ ହେଉଛି । ଆମର ଅନ୍ଧ ବନ୍ଧୁଟିର ମଧ୍ୟ ସେଇ ଅବସ୍ଥା । ଖୋଜି ଖୋଜି ଆସ୍ତେ ଆସ୍ତେ ସେ ମିଲ ନିକଟକୁ ଚାଲି ଆସିଲା । ସେ କହିଲା କାଲି କାମକରିବା ପାଇଁ ଶ୍ରମିକମାନେ ଯିବେ ନାହିଁ । ମୁଁ ଅନିଚ୍ଛା ସତ୍ୱେ କହିଲି–ନା ।

 

‘‘ତୁମେ ଯିବ ?’’

 

‘ନା’ ।

 

‘‘ତାହା ହେଲେ ତମେ କଣ କରିବି ?’’

 

‘‘ମୁଁ ଜବାବ ଦେଲି ନାହିଁ ।’’

 

ସେ କହିଲା ତମେ ମୋ ହାତରେ ଲାଲ ପତାକା ଦେଇଥିଲଟି ? ଏଥର ମୁଁ କୌଣସି କଥା କହିଲି ନାହିଁ ।

 

ଗୋଟିଏ ଫୁଲ ଦୋକାନ ଦେଇ ଆମେମାନେ ଯାଉଥିଲୁଁ । ସେ ହଠାତ୍‌ ଥକାମାରି ଠିଆ ହେଲା । କିଛି ସମୟ ଚୁପ୍‌ଚାପ୍‌ ଠିଆ ହୋଇ ସାରିବା ପରେ ସେ ମୋତେ କହିଲା ତାକୁ ଫୁଲ ଖୁବ୍‌ ଭଲ ଲାଗେ । କି ବଢ଼ିଆ ବାସନା । ମୋତେ ଯଦି କେହି ଫୁଲ ଦିଅନ୍ତା—ଅନେକ ଫୁଲ—ରାଶି ରାଶି ଫୁଲ । ତାର କଥା ଶେଷକୁ ମୁଁ କହିଲି ମୋ ପକେଟରେ ପଇସା ଅଛି । ତାହା ହେଲେ ଚାଲ ଏଇ ପଇସାରେ ରୁଟି କିଣିବା ।

 

ପରଦିନ ସକାଳେ ଆମେ ଦୁହେଁ ସାଙ୍ଗହୋଇ ଆସି ମିଲା ଫାଟକ ସାମନାରେ ଠିଆ ହେଲୁ । ତା ହାତରେ ଥାଏ ପତାକା ଓ କଣ୍ଠରେ ମୋର ନବ ରଚିତ ସଂଗୀତଟିର ମୂର୍ଚ୍ଛନା । ଏହା ଅପେକ୍ଷା ଭଲ ଗୀତ ମୁଁ ଆଉ କେବେ ଲେଖି ନାହିଁ ଏବଂ ସେଦିନ ଗୀତଟି ଯେପରି ସୁନ୍ଦର ଭାବେ ଗାଇଲୁ ଆଉ କେବେ ଗାଇ ପାରିବୁ ନାହିଁ । ଏହା ମୋର ଏକ ଶେଷ ଓ ଚରମ ଚେଷ୍ଟା । ସତେ ଯେପରି ଆଲୋକର ଶେଷ ରଶ୍ମି ଅନ୍ଧକାର ମଧ୍ୟରେ ଲୀନ ହୋଇ ଯିବାପାଇଁ ଅସ୍ୱୀକାର କରୁଛି । ସତେ ଯେପରି ସୀମାହୀନ ଶ୍ରମର ଘର୍ମ ବିନ୍ଦୁ ଗାନ ପରବାଣୀରେ ପରିବର୍ତ୍ତିତ ହୋଇ ଦୁନିର୍ବାର ଓ ପ୍ରଚଣ୍ଡ ହୋଇ ଉଠୁଛି ।

 

କେହି କାମକୁ ଗଲେ ନାହିଁ । ଯେ ବା ଆସିଛି ସେ ଗୀତରେ ମଜ୍ଜି ଯାଇଛି । ମିଲର ଫାଟକଟା ପୁରାପୂରି ଉନ୍ମୁକ୍ତ; କିନ୍ତୁ ଭିତରେ ଗୋଟିଏ ହେଲେ ଲୋକ ନାହିଁ । ସ୍ରୋତର ଗତି ଘୂରି ଯିବାର ଦେଖି ଚରଣ ଚଟିଆ ଦଳ ଆମକୁ ମାଡ଼ି ଆସିଲେ । ଆମେ ମଧ୍ୟ ଜବାବ ଦେଲୁ । ଗୁଳି ଚାଲିଲା । ଅନ୍ଧ ପିଲାଟି ପଡ଼ିଗଲା ଓ କେତେଜଣ ତା’ ହାତରୁ ପତାକାଟା ଛଡ଼ାଇ ନେବାର ଦେଖିଲୁ-। ଧାଇଁ ଯାଇ ପିଲାଟିକୁ କୋଳକୁ ଟାଣି ଆଣିଲି । ଭିଡ଼ ମଧ୍ୟରେ ଠେଲିପଶି ଡାକ୍ତରଖାନା ଅଭିମୁଖରେ ଧାଇଁବାକୁ ଚେଷ୍ଟାକଲି ।

 

ଡାକ୍ତରଖାନାରେ ଡାକ୍ତର ମୁହାଁମୁହିଁ ଶୁଣାଇ ଦେଲେ ଯେ, ପିଲାଟି ଆଉ ଅଧିକ ସମୟ ବଞ୍ଚିବ ନାହିଁ । ଦଳେ ଶ୍ରମିକ ଏହାର ଖଟିଆ ଚାରିପାଖରେ ଘେରିଗଲେ । ସେ ପ୍ରଶ୍ନକଲା କେଉଁ କାମରେ ଯାଉଛ ?

 

ମୁଁ କିଛି ଉତ୍ତର ଦେଲି ନାହିଁ ।

 

ଆଶ୍ୱସ୍ତିର ନିଃଶ୍ୱାସ ଛାଡ଼ି ସେ କ୍ଷୀଣ କଣ୍ଠରେ କହିଲା—ଏ ମୋର ହାତରେ ପତାକା ଧରାଇ ଦେଇଥିଲେ । ପ୍ରବଳ ଏକ ଲୁହର ଢେଉ ମୋ’ ଆଖିରେ ତରଙ୍ଗାୟିତ ହୋଇ ଉଠିଲା । ନର୍ସ ପିଲାଟିର ଶିରରେ କରଚାରଣ କରୁଥାଏ । ଅନ୍ଧ ପିଲାଟିର ନାସାରନ୍ଧ୍ର ସ୍ପନ୍ଦିତ ହେଉଥାଏ । କି ଚମତ୍କାର ଗନ୍ଧ । ଏଠାକୁ କିଏ ଫୁଲ ଆଣିଛି କି ? ଏହା ଫୁଲର ବାସନା ନୁହେଁ । ନର୍ସ କ’ଣ ଗୋଟାଏ ସେଣ୍ଟ ବ୍ୟବହାର କରୁଥିଲା । ନର୍ସ କ’ଣ ଗୋଟାଏ କହିବା ପାଇଁ ଯାଉଥିଲା । ମୁଁ ମନା କଲି । ତା’ ପରେ ଚୁପ୍‌ଚୁପ୍‌ ଜଣେ ବନ୍ଧୁଙ୍କୁ କହିଲି ସେ ଛୁଟି ପଳାଇଗଲେ ।

 

ସେ ପୁନଶ୍ଚ ପ୍ରଶ୍ନ କଲା ଏଠିକୁ କେହି ଫୁଲ ଆଣିଛି କି ?

 

ମୁଁ କହିଲି—ଫୁଲ ଏଠି ନ ଥାଏ । ଥାଏ ବଗିଚାରେ । ତମ ପାଇଁ ଫୁଲ ଆଣିବା ଲାଗି ଜଣକୁ ପଠାଇଛି ।

 

ସେ ଚୁପ୍ ରହିଲା । ବନ୍ଧୁଟି ଜୁଈଫୁଲର ଗୋଟିଏ ତୋଡ଼ା ଆଣି ମୋ’ ହାତରେ ଦେଲା । ମୁଁ ମୋର ଅନ୍ଧ ବନ୍ଧୁଟିର ସ୍ପନ୍ଦିତ ହାତରେ ସେ ଫୁଲ ଧରାଇ ଦେଲି ।

 

ତାର ସେଇ ଦୁର୍ବଳ ବାଦାମି ରଙ୍ଗର ହାତରେ ସଜା ହୋଇଥିବା ଜୁଈଫୁଲଗୁଡ଼ିକ ଉଦ୍‌ଭାସିତ ହୋଇ ଉଠିଲା ।

 

କି ଚମତ୍କାର ଫୁଲ, କି ଚମତ୍କାର ଗନ୍ଧ, କି ଚମତ୍କାର ରଙ୍ଗ କହି ସେ ଫୁଲ ଗୁଡ଼ିକ ଚାପି ଧରିଲା । ସତେ ଯେପରି ଏହାର ମୁଖ ମଣ୍ଡଳ ଉପରେ ସୁଖର ଏକ ଝଲକ ବହିଗଲା ।

 

ସେ ପଚାରିଲା—ଏହି ଫୁଲଗୁଡ଼ା ଲାଲ ନୁହେଁ କି ? ଲାଲଫୁଲ ! ନର୍ସ କଣ ଗୋଟାଏ କହିବାକୁ ଯିବା ପୂର୍ବରୁ କିଛି ନ କହିବା ପାଇଁ ଚକ୍ଷୁରେ ତାଙ୍କୁ ସଙ୍କେତ ଦେଲି ।

 

ମୁଁ କହିଲି—ହଁ ଠିକ୍‌ କହିଛ ଭାଇ, ଫୁଲଗୁଡ଼ା ଲାଲ ! ଟକ୍‌ଟକିଆ ଲାଲ !

 

ସେ ପୁନଶ୍ଚ ପଚାରିଲା—କଣ ଆମ ପତାକା ରଙ୍ଗପରି ଲାଲ ? ମଣିଷର କଲିଜା ପରି ଲାଲ ?

 

ଚକ୍ଷୁରେ ଲୁହ ଚାପି ମୁଁ ଉତ୍ତର ଦେଲି—ହଁ । ଠିକ୍‌ କହିଛ ଭାଇ । ଏହି ଫୁଲଗୁଡ଼ା ମଣିଷର ରକ୍ତପରି ଲାଲ । ‘କି ଚମତ୍କାର ଫୁଲ !’ ପିଲା ବୁକୁ ମଧ୍ୟରେ ସୁଖର ଏକ ଦୀର୍ଘ ନିଃଶ୍ୱାସ ଛୁଟି ଆସିଲା । ତା’ପରେ ରହି ରହି ସେ କହିବାକୁ ଆରମ୍ଭ କଲା—କି ସୁନ୍ଦର-କି ଚମତ୍କାର ଫୁଲ । ଏହି ଲାଲ ଫୁଲରେ ନିଜକୁ ଢଙ୍କାଇ ରଖିବାକୁ ମନେ ହେଉଛି । ତା ପରେ ଆଉଥରେ ସେ ଲାଲ ଫୁଲଗୁଡ଼ା ଗାଲ ଉପରେ ଚାପି ଧରିଲା ଏବଂ ଶେଷଥର ପାଇଁ ଆଖି ବୁଜିଲା । ଡାକ୍ତରଖାନାର କାମରାରେ କେହି ବ୍ୟସ୍ତ ହୋଇ ଉଠିଲା । କେହି ଲୋତକ ପାତ କଲା । କେହି ବା ଦୁଇହାତରେ ମୁହଁ ଲୁଚାଇ କାନ୍ଦିବସିଲା ।

 

ସେ ଆଜି ମୋର ସାଙ୍ଗରେ ନାହିଁ । ଆଜି ମୁଁ ତାର କବର ନିକଟକୁ ଯାଇଥିଲି । ମଇଳା କବରଟି ଯତ୍ନନେବା ପାଇଁ କେହି ନାହିଁ । ଆଉ ଆଜି ଯେତେବେଳେ ମୁଁ କବର ନିକଟକୁ ଗଲି, ମୋର ମନେହେଲା ସତେ ଯେପରି ମୋତେ କେହି ପ୍ରଶ୍ନ କରୁଛି—‘‘ଦାଦା ମୋର ଏହି କବର ଉପରେ ଲାଲଫୁଲ କେବେ ଫୁଟିବ ?’’

 

ମୁଁ ଜବାବ ଦେଲି—ଶୁଣ ଭାଇ; ତମ କଥା ମୁଁ ଆଜି ସମସ୍ତଙ୍କୁ କହିବି । ତମର ଏହି ପ୍ରଶ୍ନର ଜବାବ ପାଇବା ନିମନ୍ତେ ମୁଁ ସମସ୍ତଙ୍କୁ ପଚାରିବି । ତମକୁ ଏହି ନିର୍ଭର ପ୍ରତିଶ୍ରୁତି ଦେଇଯାଉଛି ?

Image

 

ମୃତ ମାର୍କିନ ସୈନିକ ଉଦ୍ଦେଶ୍ୟରେ

 

ପଶ୍ଚିମ ଭର୍ଜିନିଆ ପ୍ରଦେଶରେ ସାଧାରଣ ସୈନିକ କେନ୍‌ଥ ସାଦାରିକ ପାଖକୁ ଏ ଚିଠି ଦିଆଯାଇଛି । କୋରିଆ ଯୁଦ୍ଧରେ ପ୍ରାଣ ହରାଇଥିବା ସର୍ବ ପ୍ରଥମ ମାର୍କିନ ପଦାତିକ ସୈନିକ ସେ, ବୟସ ମୋଟେ କୋଡ଼ିଏ । ଏହି ଯୁଦ୍ଧକୁ ସଭାପତି ଟୁମ୍ୟାନ ତାକୁ ପଠାଇଥିଲେ ।

 

ତା’ର ମୃତ୍ୟୁ ସମ୍ବାଦ ‘ଫ୍ରି ପ୍ରେସ୍‌ ବୁଲେଟିନ’ ପତ୍ରିକାରୁ ଗତକାଲି ମୁଁ ଜାଣିଲି । ଜାପାନରେ ଥିବା ମାର୍କିନ ସେନାପତି ମାର୍କଅର୍ଥରଙ୍କ କେନ୍ଦ୍ରୀୟ ଅଫିସରୁ ସମ୍ୱାଦଟି ପରିବେଷଣ କରାଯାଇଛି । ସମ୍ୱାଦଟି ପଢ଼ି ସେ ସୈନିକ ଉଦ୍ଦେଶ୍ୟରେ ସଙ୍ଗେ ସଙ୍ଗେ ଗୋଟିଏ ପତ୍ର ଲେଖିବି ବୋଲି ସ୍ଥିର କଲି । ଲେଖିଲି—ମୃତ ସୈନିକ ସାଦାରିକ.....ତମେ ମୋର ଚିଠିଟି ପଢ଼ି ପାରିବ ନାହିଁ ମୁଁ ଜାଣେ । ତଥାପି ତମକୁ ମୁଁ ମୋର ଏ ଚିଠିଟି ଲେଖୁଛି । କାରଣ ଯଦି କେହି ଏ ଚିଠିଟି ପାଏ ସେ ହୁଏ ତ ଚିଠିଟି ନେଇ ତମ କୋଟର ଦକ୍ଷିଣ ପକେଟରେ ରଖିଦେବ । ଯେଉଁଠି ଅତି ଯତ୍ନରେ ତମେ ତମର ସୁନାର ଘଡ଼ିଟି, ପ୍ରେମିକାର ଫଟୋ ଓ ମା’ଙ୍କର ଶେଷ ଚିଠିଟି ସାଇତି ରଖିଥିଲ । ମୃତ ସୈନିକର ଜିନିଷଗୁଡ଼ିକ ମାର୍କଅର୍ଥର ଯେତେବେଳେ ତମ ଆତ୍ମୀୟମାନଙ୍କ ପାଖକୁ ପଠାଇ ଦେବେ ଏ ଚିଠିଟି ହୁଏ ତ ସେମାନଙ୍କ ହାତରେ ପଡ଼ିବ । ଫଳରେ ଏ ଚିଠିଟି ତମର ବନ୍ଧୁଗଣ, ପଶ୍ଚିମ ଭର୍ଜିନିଆର ବହୁ ବିଂଶତି ବର୍ଷୀୟ ଯୁବକ ଯେଉଁମାନେ ତମପରି ଦୁର୍ଭାଗ୍ୟର ଶିକାର ହେବାକୁ ଯାଉଛନ୍ତି, ସେମାନେ ପଢ଼ିବେ । ଏ ଚିଠିଟି ମୋର ଅତି ଜରୁରୀ । ଏହା ଦ୍ୱାରା ମୃତ ସୈନିକର କିଛି ଲାଭ ହେବ ନାହିଁ; ମୁଁ ଜାଣେ । କିନ୍ତୁ ଆମେରିକାର ଯେଉଁ ସାଧାରଣ ନାଗରିକମାନେ ବଞ୍ଚିଛନ୍ତି ସେମାନେ ସାବଧାନ ହେଲେ ଏହି ବିପତ୍ତିରୁ ହୁଏ ତ ରକ୍ଷା ପାଇଯିବେ ।

 

ପତ୍ରିକାରେ ସୈନିକ ସାଦାରିକ ମୃତ୍ୟୁର ବିଶେଷ ବିବରଣୀ ଦିଆଯାଇଛି । .......ସେ ସାହାସର ସହିତ କିପରି କୋରିଆ ସୈନ୍ୟମାନଙ୍କର ସମ୍ମୁଖୀନ ହୋଇଥିଲା ! ସେ ଯାହାହେଉ ସୈନିକ ସାଦାରିକ........ତମେ ବର୍ତ୍ତମାନ କୋରିଆର ଉଚ୍ଚଭୂମି ଓ ମୁକ୍ତ ଆକାଶ ତଳେ ମୃତ ଅବସ୍ଥାରେ ପଡ଼ିଅଛି । ତମ ଛାତିରେ ବୁଲେଟ୍‌ର କ୍ଷତ ଚିହ୍ନ । ତମ ଚକ୍ଷୁରେ ଶୀତଳ ଚାହାଣି, ପବନରେ ଉଡ଼ୁଥିବା ତମ ସ୍ୱର୍ଣ୍ଣ ରଙ୍ଗର କେଶଗୁଡ଼ିକ ମୋ ଆଖି ଆଗରେ ନାଚି ଯାଉଛି । ମୁଁ ବେଶ୍‌ ଦେଖି ପାରୁଛି । ମୋର ବେଦନାସିକ୍ତ ପ୍ରାଣରେ ଅତି କ୍ରୋଧରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି–‘‘କୋରିଆର ଏଇ ଶ୍ମଶାନ ଭୂଇଁକୁ ତମକୁ କିଏ ଟାଣି ଆଣିଲା ?’’ ତମର ପ୍ରିୟ ଗାଁ ମାଟି ପଶ୍ଚିମ ଭର୍ଜିନିଆ ତ୍ୟାଗ କରି ଆସିବାକୁ ତମକୁ କିଏ ନିର୍ଦ୍ଦେଶ ଦେଇଥିଲା ? ତମର ମା ଭାଇ, ଭଉଣୀ, ପ୍ରେମିକା ପ୍ରଭୃତିଙ୍କୁ ତ୍ୟାଗକରି ଏଇ ପାଗଳାମି ନିମନ୍ତେ ତମକୁ ଏ ବିଦେଶକୁ କିଏ ପ୍ରେରଣ କରିଥିଲା ? ତମକୁ ମୋଟେ କୋଡ଼ିଏ ବର୍ଷ...ଦୀର୍ଘ ଜୀବନ ତମ ଆଗରେ ପଡ଼ିଛି...କିଏ ତମ ହାତରେ ବନ୍ଧୁକ ଧରାଇ ଦେଇ ପ୍ରେରଣ କରିଥିଲା କୋରିଆର ଏଇ ଅପରିଚିତ ପାହାଡ଼ ଉପତ୍ୟକାପୂର୍ଣ୍ଣ ରଣଭୂମିକୁ ? ଏ ସବୁର ଉତ୍ତର ଆଜି ମୋତେ ଖୋଜି ବାହାର କରିବାକୁ ହେବ-। କାରଣ ଏହାରି ଉପରେ ବିଶ୍ୱର ଶାନ୍ତି ନିର୍ଭର କରୁଛି ।

 

ସାଦାରିକ, ତମେ ମୋତେ ଜାଣ ନାହିଁ । ତମକୁ ମୁଁ ମୋର ପରିଚୟ ଦେବି । ମୋ ନାଁ କୃଷ୍ଣନ୍‍ଚନ୍ଦର୍‍ । ସେଦିନ ପର୍ଯ୍ୟନ୍ତ ପଞ୍ଜାବର ଲାହୋର ସହରରେ ଗୋଟିଏ ଛୋଟ ଗଳିରେ ମୋର ଘର । ସେ ଗଳି ନା ଚକମତୀ ଗଳି । ବର୍ତ୍ତମାନ ସେ ଗଳିର ନୂତନ ନାମ କରଣ କଣ ହୋଇଛି ମୋତେ ଜଣା ନାହିଁ । ଏ କଥା ଶୁଣି ତମେ ହୁଏ ତ ବିଶ୍ୱାସ କରି ପାରିବ ନାହିଁ, ଆଶ୍ଚର୍ଯ୍ୟ ହେବ । ତମ ଜୀବନ ନେବାପାଇଁ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ସେହିମାନେ ହିଁ ମୋ ଦେଶର ସହର ଓ ମୋର ଛୋଟ ଗଳିଟିକୁ ନେଇ ଯାଇଛନ୍ତି । ସବୁ ଦିନ ପାଇଁ...ସେ ଗଳି ରାସ୍ତା ମୋତେ ବନ୍ଦ ହୋଇଛି । ସାଦାରିକ....ତମେ ଚାହିଁଲେ ସୁଦ୍ଧା ଯେମିତି ତମେ ଆଜି ତମ ଗାଁ ମାଟିକୁ ଫେରି ଯାଇ ପାରିବ ନାହିଁ; ଠିକ୍‍ ସେହିପରି ମୁଁ ଚାହିଁଲେ ମଧ୍ୟ ମୋର ସେହି ପରିଚିତ ଗଳିକୁ ଯାଇ ପାରିବି ନାହିଁ-। ଏହାର ପଶ୍ଚାତ୍‌ରେ ହୃଦୟହୀନ, ମଣିଷ ସମାଜର ଶତ୍ରୁ, ହିଂସୁକ ରାଜନୈତିକମାନଙ୍କର କାରସାଦି ଅଛି । ଟିକିଏ ଅନୁସନ୍ଧାନ କଲେ ବେଶ୍‌ ବୁଝି ପାରିବ । ସେହି ଗୋଟିଏ କାରଣ ପାଇଁ ତମେ ଆଜି ମୃତ ଓ ମୁଁ ମୋର ପ୍ରିୟ ଗାଁ ମାଟିରୁ ବହିଷ୍କୃତ । ତମେ ଆଉ ମୁଁ...ଜଣେ ମୃତ ଓ ଅନ୍ୟ ଜଣେ ଜୀବନ୍ତ । ଏ ସବୁର କାରଣ ମୋତେ ସନ୍ଧାନ କରିବାକୁ ହେବ । ଅତୀତ ଓ ବର୍ତ୍ତମାନ...ଏ ଦୁଇଟିକୁ ଲକ୍ଷ୍ୟ କରି ଭବିଷ୍ୟତ ପାଇଁ ପଥ ସ୍ଥିର କରିବାକୁ ହେବ । ମୁଁ କେବେ ଆମେରିକା ଯାଇନି-। କିନ୍ତୁ ମୁଁ ମୋର କଳ୍ପନାର ଆମେରିକାକୁ ବେଶ୍‌ ଭଲରୂପେ ଜାଣେ । ତାର ଅବୟବର ସମସ୍ତ ଲୀଳାୟିତ ସୌନ୍ଦର୍ଯ୍ୟର ସଙ୍ଗେ ଜଡ଼ୀଭୂତ ତାର କୁତ୍ସିତ ରେଖାଗୁଡ଼ିକ ମଧ୍ୟ ଉଜ୍ଜ୍ୱଳ ।

 

ମୁଁ ଯେତେବେଳେ ପ୍ରଥମେ ଇଂରେଜ ପଢ଼ିଲି । ବହିରେ ଥିବା ଗୋଟିଏ ଛୋଟ ଗଳ୍ପରୁ ମୋର ଆମେରିକା ସଙ୍ଗେ ପରିଚୟ ହୁଏ । ଚିର ସତ୍ୟର ସେବକ, ଦେଶ ପ୍ରେମୀ ଆମେରିକାର ଜର୍ଜ ଓ୍ୱାସିଂଟନ୍‌ଙ୍କ ସମ୍ୱନ୍ଧରେ ସେ ଗଳ୍ପଟି ଲେଖା । ପିଲାଦିନର ସେ ଗଳ୍ପଟି ମୋ ଉପରେ ବହୁତ ପ୍ରଭାବ ପକାଇଛି । ସେତେବେଳେ ମୁଁ ଭାବୁଥିଲି ତାଙ୍କରି ପରି ସବୁ ଆମେରିକାନ ଭାରି ସଚୋଟ ଓ ସରଳ ହୋଇଥିବେ ।

 

ଏ ମଧ୍ୟରେ ବହୁତ ଦିନ ବିତି ଯାଇଛି । ମୁଁ ବଡ଼ ହୋଇ ଉଚ୍ଚଶିକ୍ଷା ନିମନ୍ତେ ଲାହୋରରେ ଥିବା ଆମେରିକା ଶିକ୍ଷାକେନ୍ଦ୍ର ଫୋର୍‌ମ୍ୟାନ ଖ୍ରୀଷ୍ଟିୟାନ କଲେଜରେ ଯୋଗ ଦେଇଛି-। ଏହିଠି ମୁଁ ମୋର କଳ୍ପନାର ଆମେରିକାର ବିଶେଷ ପରିଚୟ ପାଇଛି । ଏହିଠି ମୁଁ ଆମେରିକାର ମୁକ୍ତି ଆନ୍ଦୋଳନ ଓ ଦକ୍ଷିଣାଞ୍ଚଳ ଆମେରିକାରେ ଦାସତ୍ୱପ୍ରଥା ଲୋପ ପାଇଁ ହୋଇଥିବା ଅନ୍ତର୍ବିପ୍ଳବର ଇତିହାସ ପଢ଼ିଅଛି । ଯେଉଁ ଜନନାୟକ ଗଣ ଏହି ମୁକ୍ତି ଆନ୍ଦୋଳନର କର୍ଣ୍ଣଧାର ଥିଲେ, ସବୁ ଦେଶର ଜନ ସାଧାରଣଙ୍କ ପରି ସେମାନଙ୍କୁ ମୁଁ ବହୁତ ସମ୍ମାନ କରିଛି । ଭଲ ପାଇଛି-। ଭଲ ମଣିଷ ହେବାକୁ, ସତ୍ୟବାଦୀ ହେବାକୁ, ନ୍ୟାୟ ପରାୟଣ ଓ ଚିନ୍ତାଶୀଳ ହେବାକୁ ଓ ସାଧାରଣ ମଣିଷ ଉପରେ ସର୍ବଦା ବିଶ୍ୱାସ ରଖିବାକୁ ଆମେରିକାନ ଶିକ୍ଷକମାନେ ଆମକୁ ଶିକ୍ଷା ଦେଉଥିଲେ । ମୁକ୍ତି ସଂଗ୍ରାମର ନାୟକ ଲିନ୍‌କନଙ୍କ କଥା ସେ ଆମକୁ କହୁଥିଲେ-। ମୁଁ ମାର୍କଟୁଇଏନ୍‌, ଡ୍ଲେଇସାର, ହୁଇଟ୍‌ମ୍ୟାନ ସମସ୍ତଙ୍କୁ ପଢ଼ିଛି....ଗଭୀର ବନ୍ଧୁତ୍ୱର ପରିଚୟ ହୁଇଟ୍‌ମ୍ୟାନଙ୍କ କବିତାର ଛତ୍ରେ ଛତ୍ରେ ଯେପରି ଫୁଟି ଉଠିଛି ତାର ପରିଚୟ ମୁଁ ଅନ୍ୟ କେଉଁଠାରେ ପାଇନାହିଁ । ଏ ସବୁ ବ୍ୟତୀତ ଦିନେ ଇତିହାସ ଅଧ୍ୟାପକ ମୋତେ ପଲ୍‌ରୋବସ୍‌ନଙ୍କ ଗୀତର ଖଣ୍ଡିଏ ରେକର୍ଡ଼ ଉପହାର ଦେଲେ....କି ଚମତ୍କାର ରେକର୍ଡ଼ । ସେ ସଙ୍ଗୀତର ଛତ୍ରେ ଛତ୍ରେ ସୃଷ୍ଟିର ଆନନ୍ଦ ଓ ବେଦାନାଶ୍ରୁ ଝଂକୃତ ହୋଇ ଉଠିଛି । ସେ ସଙ୍ଗୀତ ମୋତେ ସୃଷ୍ଟି କରିଛି । ସେ ସଂଗୀତ ଶୁଣି ମୋ ସମ୍ମୁଖରେ ନାଚି ଉଠିଛି ଆମେରିକାର ସେ ମାଟି ଉପରେ ସ୍ୱର୍ଣ୍ଣରଙ୍ଗର ସ୍ଥଳପଦ୍ମ....ସତେ ଯେପରି ଆଖି ମିଟିମିଟି କରି ଚାରିଦିଗକୁ ଚାହିଁ ରହିଛନ୍ତି । .....ସେ ବିସ୍ତୀର୍ଣ୍ଣ ମାଟିଉପରେ ଲକ୍ଷ ଜନତାର କର୍ମରତ କରଗୁଡ଼ିକ ଚଞ୍ଚଳ ହୋଇ ଉଠିଛି । ମୁଁ ଦେଖି ପାରିଛି ଓ ଶୁଣି ପାରିଛି ସ୍କୁଲର ଛୋଟ ଛୋଟ ପିଲାମାନେ ହସ ଖୁସିରେ କିପରି ପାଟି କରି ଚାଲିଛନ୍ତି । ମୁଁ ଶୁଣି ପାରିଛି ସୁବିସ୍ତୀର୍ଣ୍ଣବନାନୀ ମଧ୍ୟରେ ନଦନଦୀ କିପରି କଳତାନ ସୃଷ୍ଟି କରି ଚାଲିଛି । ଗୋଟିଏ ମାତ୍ର ସଂଗୀତ-। ଏଇ ଗୋଟିଏ ସଙ୍ଗୀତ ପଲ୍‌ରୋବସନ୍‌ ଆମେରିକାର ଯାହା କିଛି ସୁନ୍ଦର, ସରସ ତାହାକୁ ଦେଖାଇ ଦେଇଛନ୍ତି । ରୋବ୍‌ସନ ଏହି ସଙ୍ଗୀତ ମାଧ୍ୟମରେ ମୋତେ ଆମେରିକାକୁ ଯେପରି ପରିଚିତ କରାଇ ଦେଲେ ସେଥିପାଇଁ ମୁଁ ରୋବସନ୍‌ଓ ମୋର ଅନ୍ୟାନ୍ୟ ବନ୍ଧୁମାନଙ୍କ ନିକଟରେ ଋଣୀ । ମୁଁ ବୁଝିପାରିଛି ମୋ ଦେଶ ପରି ସେ ଦେଶର ସାଧାରଣ ଜନତା ଅତି ସରଳ, ସାଧୁ, ସଚୋଟ ।

 

କିନ୍ତୁ ଅନ୍ୟ ଏକ ଆମେରିକା ଅଛି । ସେ ଜନ ସାଧାରଣର ଆମେରିକା ନୁହେଁ । ତାହା ଶାସକ, ସେନାପତି ଓ ବ୍ୟବସାୟୀର ଆମେରିକା, ଏହାର ଭାଗ୍ୟ ବିଧାତା ହେଲେ ଫୋର୍ଡ଼ଡଲେସ୍‌, ଦ୍ୟୁଁ ପୋ ରକ୍‌ଫେଲାରୁ ଓ ଅନ୍ୟ କେତେ ଜଣ । ବର୍ତ୍ତମାନ ମୋର ସେମାନଙ୍କ ନା ମନେ ପଡ଼ୁନାହିଁ-। ତମକୁ ମୁଁ ଏଇମାନଙ୍କ ଆମେରିକା ବିଷୟରେ ଲେଖିବି । କାରଣ ଏଇମାନେ ତମକୁ କୋରିଆ ରଣାଙ୍ଗନକୁ ପଠାଇଥିଲେ । ଏମାନେ ସମସ୍ତେ ହେଲେ ବିରାଟ କୋଟିପତି । ବିରାଟ ସାମ୍ରାଜ୍ୟର ଅଧିପତି ହେଲେ ଏଇମାନେ । ସୁନା, କୋଇଲା, ଲୁହା, ତୁଳା, ଆଳୁ, ବିଷାକ୍ତ ଯୁଦ୍ଧାସ୍ତ୍ର ଓ ଆହୁରି ଅନେକ ପ୍ରକାର ଜୀବନ୍ତ ଓ ମୃତ ପଣ୍ୟ ଦ୍ରବ୍ୟର ଏମାନେ ବ୍ୟବସାୟ କରି ଲାଭ ଉଠାନ୍ତି-। ସେଇ ଲାଭ ଉଦ୍ଦେଶ୍ୟରେ ତମକୁ ସେମାନେ ଏଇ ଯୁଦ୍ଧକୁ ପଠାଇଥିଲେ-। ତମକୁ ପଠାଇଲାବେଳେ ସେମାନେ କହି ନ ଥିଲେ ଯେ ମାର୍କିନ ସ୍ୱାର୍ଥରକ୍ଷା ପାଇଁ କୋରିଆରେ ତମକୁ କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ ।

 

କୋରିଆରେ ମାର୍କିନ ସ୍ୱାର୍ଥଟା କଣ ଓ ତାହାକୁ ଆଣି ଏଠି ଭର୍ଜିନିଆରେ ଆମକୁ ଦେଖାଇ ଦିଅ, ତାହା କିପରି ରକ୍ଷା କରାଯାଇ ପାରିବ । ତମେ ଯଦି ତାଙ୍କୁ ଏହି ପ୍ରଶ୍ନଟା ପଚାରି ପାରି ଥାଆନ୍ତ ! କିନ୍ତୁ ସାଦାରିକ...ତମେ ସାମାନ୍ୟ ସୈନିକ, ତମ ଦେଶର ଶାସକକୁ ଏ ପ୍ରଶ୍ନ ପଚାରିବାର ଅଧିକାର ତମର ନାହିଁ । ତମେ ଯେ ତାଙ୍କୁ ଏସବୁ ପଚାରି ପାରୁନାହଁ, ଏହା ତମର ବିରାଟ ଭୁଲ୍‍ । ଏହି ଭୁଲ୍‍ ପାଇଁ ପ୍ରାୟଶ୍ଚିତ ସ୍ୱରୂପ ଆଜି ତମେ ମୃତ୍ୟୁ ବରଣ କରିଛ । ଏଥିପାଇଁ ମୁଁ ତମକୁ ଦୋଷ ଦେଉନାହିଁ ।

 

ଆପଣାର ସ୍ୱାର୍ଥପାଇଁ ଏଇ ସଇତାନମାନେ ଜନସାଧାରଣଙ୍କୁ କିପରି ଠକୁଛନ୍ତି ମୁଁ ସେଇକଥା ଭାବୁଛି । ଗତ ଯୁଦ୍ଧରେ ପାର୍ଲହାର୍ବାରର ପତନର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ଏଇ ମାର୍କିନ ବ୍ୟବସାୟୀମାନେ ପୁରୁଣା ଲୁହା ବିକ୍ରୀ କରୁଥିଲେ । ଦି’ଟା ପଇସାପାଇଁ ଏମାନେ ଆପଣାର ଦେଶକୁ ବିକି ଦେଇ ପାରନ୍ତି । ସେପରି ଅବସ୍ଥାରେ ତମ କଥା ପଚାରୁଛି କିଏ ? ସାଦାରିକ...ତମ ଦାମତ ଦୁଇ ପଇସା ବି ନୁହେଁ । ହଜାର ହଜାର ମାର୍କିନ ଯୁବକ ଯେତେଦିନ ପର୍ଯ୍ୟନ୍ତ ନ ବୁଝିଛନ୍ତ ଯେ ଏମାନେ ଗଣତନ୍ତ୍ରର ରକ୍ଷା ନିମନ୍ତେ ନ ଲଢ଼ି, ଲଢ଼ୁଛନ୍ତି କୋରିଆର କୋଇଲା ପାଇଁ, ଆରବର ତେଲ ପାଇଁ ପୁଞ୍ଜିପତିର ସ୍ୱାର୍ଥରକ୍ଷା ପାଇଁ ସେତେଦିନ ପର୍ଯ୍ୟନ୍ତ ମୁକ୍ତି ନାହିଁ ଶାନ୍ତି ନାହିଁ ।

 

ହେ ସୈନିକ, ସେ ଗୋଟିଏ ହୃଦୟ ବିଦାରକ କାହାଣୀ....ସୁଦୂର ଅତୀତର ୧୮୫୪ ମସିହାର କଥା । ସେଦିନ ମାର୍କିନ ସୈନ୍ୟ ବାହିନୀର ସେନାପତି ପେରି ଜାପାନ ଉପକୂଳରେ ଯୁଦ୍ଧ ଜାହାଜ ଧରି ପହଞ୍ଚି ବ୍ୟବସାୟର ସୁବିଧା ନ ଦେଲେ ଆକ୍ରମଣର ଧମକ ଦେଇଥିଲେ । ସେହି ୧୮୫୪.....ଜାପାନ ସମୁଦ୍ର ଉପକୂଳରେ ପେରି ଓ ଦିଲ୍ଲୀର ଫାଟକ ନିକଟରେ ବ୍ୟବସାୟୀ ଇଂରେଜ । ସେହି ସମୟରୁ ସମସ୍ତ ଏସିଆ ବୁକୁରେ ଦୁର୍ଦ୍ଦିନର ସୂତ୍ରପାତ ହେଲା ।

 

ବ୍ୟାଙ୍କକ ଓ ବ୍ୟାଙ୍କକ ନିକଟରେ ଥିବା ଅନ୍ୟ ରାଜ୍ୟଗୁଡ଼ିକ ଗୋଟିଏ ପରେ ଗୋଟିଏ ଫରାସୀ, ଓଲନ୍ଦାଜ, ପର୍ତ୍ତୁଗିଜ, ବ୍ରିଟିଶ୍‌ ପ୍ରଭୃତି ସାମ୍ରାଜ୍ୟବାଦୀ ଦେଶଗୁଡ଼ିକ ଲୁଟିକରି ନେବାପାଇଁ ଆସିଛନ୍ତି ନ କହି ପିତୁଳା ପୂଜାରେ ବିଶ୍ୱାସ କରୁଥିବା ଦେଶଗୁଡ଼ିକରେ ଖ୍ରୀଷ୍ଟଧର୍ମ ପ୍ରଚାର କରି ଆସିଛନ୍ତି ବୋଲି କହି ବୁଲିଲେ । ଏସିଆର ଦେଶ ସମୂହ ଆଜି ସ୍ୱୀଧୀନତା ପାଇଁ ମୁହାଁମୁହିଁ ଲଢ଼ିବା ଫଳରେ ସେମାନଙ୍କର ଧର୍ମ ପ୍ରଚାର କରିବାର ଚିତ୍କାର ଆଜି ବନ୍ଦ ହୋଇଛି ଓ ଏକ ନୂତନ ସ୍ଲୋଗାନ ଆରମ୍ଭ ହୋଇଛି—ଗଣତନ୍ତ୍ର ପାଇଁ କମ୍ୟୁନିଜିମର ପ୍ରତିରୋଧ କର । ଏମାନେ ଯେତେ ଯାହା କହିଲେ ମଧ୍ୟ ଏମାନଙ୍କର ନଗ୍ନ ରୂପ ମୁଁ ବେଶ ଦେଖି ପାରୁଛି । ରକ୍ତପିପାସୁ ଆଦି ମାନବର ଏମାନେ ହେଲେ ବଂଶଧର । ଏମାନେ ଚିର ସଂଗ୍ରାମ ପିପାସୁ । ମୋରି ପରି ଲକ୍ଷ ସାହସିକ ଯୁବକ ଆଜି ଏମାନଙ୍କୁ ଚିହ୍ନି ରଖନ୍ତୁ । ମାର୍କିନ ଶାସକର ବିଶ୍ୱପ୍ରେମର ନୈପଥ୍ୟର ଉଦ୍ଦେଶ୍ୟ କଣ ଜାଣନ୍ତୁ ।

 

ସୈନିକ ! ପ୍ରାଚୀନ ଇତିହାସ ପାଠକଲେ ସବୁ ଜାଣିବ ।

 

୧୯୦୦ ଖ୍ରୀଷ୍ଟାବ୍ଦ ! ଚୀନ ଦେଶର ବାକ୍ଟାର ବିଦ୍ରୋହ....ସାମ୍ରାଜ୍ୟବାଦର ଶକ୍ତି ବିରୁଦ୍ଧରେ ସେ ବିଦ୍ରୋହ । ସେପରି ବିଦ୍ରୋହ ଆଜି ସଂଭବ ନୁହେଁ । ଅତ୍ୟନ୍ତ ହିଂସ୍ରଭାବେ ସେ ବିଦ୍ରୋହ ଦମନ କରାଯାଇଥିଲା । ସେହିଦିନୁ ସୁପ୍ରାଚୀନ ଚୀନ ଦେଶର ଭଗ୍ନ ପ୍ରବେଶ ଦ୍ୱାରରେ ପ୍ରବେଶ କଲେ ଅନାହୂତ ସାମ୍ରାଜ୍ୟବାଦୀଗଣ । ସେହିଦିନୁ ଚୀନପରି ଗୋଟିଏ ପ୍ରାଚୀନ ଜାତିର ଜାତୀୟତା ଓ ସମ୍ମାନବୋଧକୁ ପଦଦଳିତ କରି ଦେଶକୁ ଲୁଣ୍ଠନ କରୁଅଛନ୍ତି । ସେ ଦେଶର ବନ୍ଦର, ନଦ ନଦୀ ନିଜ ଦଖଲରେ ରଖିଛନ୍ତି ଓ ଦେଶର ଅର୍ଥନୀତିକୁ ଆପଣାର ଇଚ୍ଛାନୁଯାୟୀ ନିୟନ୍ତ୍ରଣ କରୁଛନ୍ତି । ତା’ ପରେ ଆସିଲା ପ୍ରଥମ ମହାଯୁଦ୍ଧ.....ପ୍ରାଚ୍ୟର ପୂର୍ବ ସୀମାନ୍ତରେ ଆମେରିକା ତାର ଯୁଦ୍ଧ ଘାଟି ଗୁଡ଼ିକ ଦୃଢ଼ ଓ ସଂଗଠିତ କରିନେଲା ଏବଂ ଦ୍ୱିତୀୟ ଯୁଦ୍ଧରେ ପୂର୍ବ ସୀମାନ୍ତରେ ଥିବା ଚୀନ ମହାଦେଶକୁ ଆମେରିକା ସମ୍ପୂର୍ଣ୍ଣ ଅଧିକାର କରି ଏକ ବୃହତ୍‌ ଏକଛତ୍ର ସାମ୍ରାଜ୍ୟବାଦ ଦେଶରୂପେ ମୁଣ୍ଡଟେକି ଉଠିଲା । ୩୮ ଅକ୍ଷାଂଶ ରେଖାକୁ ମଝିରେ ରଖି କୋରିଆକୁ ଦୁଇଭାଗ କରି ସେଥିରୁ ଗୋଟିଏ ଅଂଶ ଆତ୍ମସାତ କରିନେଲା । ....ଦୀର୍ଘ ଚାରି ହଜାର ବର୍ଷର ସଭ୍ୟତା, ପରମ୍ପରା, ଐତିହ୍ୟ ଓ ଗୋଟାଏ ପୂର୍ଣ୍ଣାଙ୍ଗ ଇତିହାସକୁ ଫାଳ ଫାଳ କରାଗଲା । ଏହି କୃତ୍ରିମ ବିଭାଗଟା ମାନବିକତା ପ୍ରତି ଏକ ଚରମ ଅଭିଶାପ । ଗୋଟାଏ ଜାତିର ସମଗ୍ର ସତାକୁ ଅକ୍ଷାଂଶ ଓ ଦ୍ରାଘିମା ରେଖା ଟାଣି ଏପରି ଭାଗ ଭାଗ କରାଯାଇ ପାରେ ନା । ବହୁ ପୁରା କାଳରୁ ଅବିଭକ୍ତ କୋରିଆ ତାର ଐକ୍ୟ ରକ୍ଷାକରି ଆସିଛି ଓ ଭବିଷ୍ୟତରେ ପୁଣି କୋରିଆବାସୀମାନେ ଆପଣାର ଇଚ୍ଛାନୁସାରେ ତାଙ୍କ ଦେଶରେ ପୂର୍ଣ୍ଣ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ୱାଧୀନତା ଉପଭୋଗ କରିବେ । କୌଣସି ବିଦେଶୀ ଶକ୍ତି ଆପଣାର ଶକ୍ତି ବଳରେ ଏସିଆର କୌଣସି ଦେଶକୁ ଭାଗ ଭାଗ କରି କେବେ ରଖିପାରିବେ ନାହିଁ । ଯଦି ଏହିପରି କିଏ କରିବାକୁ ଇଚ୍ଛାକରେ ତେବେ ସେ ଗଣତନ୍ତ୍ରର ବିରୋଧୀ ଓ ଆକ୍ରମଣକାରୀ ବୋଲି ବୁଝିବାକୁ ହେବ ।

 

କୋରିଆବାସୀ ନିଜେ ନିଜର ଭବିଷ୍ୟତ ଠିକ୍‌ କରିବେ । ସେମାନେ ସ୍ଥିର କରିବେ ତାଙ୍କର ସରକାର କିପରି ହେବ, ପ୍ରତିନିଧିମାନେ କିପରି ନିର୍ବାଚିତ ହେବେ । ତାଙ୍କର ଅର୍ଥନୀତି କେଉଁ ଆଦର୍ଶରେ ପରିଚାଳିତ ହେବ । ତାଙ୍କର ବୈଦେଶିକ ନୀତି କଣ ହେବ । ତାଙ୍କର ଜାତୀୟ ପତାକା କେଉଁ ରଙ୍ଗର ହେବ ଓ ତାହାର ଅର୍ଥ କଣ ହେବ ? ଏସବୁ ବିଷୟରେ ସେମାନେ ଅନ୍ୟ କାହାର ନିର୍ଦ୍ଦେଶ ଗ୍ରହଣ କରି ପାରିବେ ନାହିଁ । କୋରିଆବାସୀ ମିଳିମିଶି ଏ ସମସ୍ୟାର ଯଦି ସମାଧାନ କରି ପାରନ୍ତି ତେବେ ସେମାନେ ଆନ୍ତର୍ବିପ୍ଲବ କରନ୍ତୁ । ତମେ ତମ ଦେଶ—ଇତିହାସ ପଢ଼ିଲେ ଜାଣିବ ସେଠି ମଧ୍ୟ ଉତ୍ତର ଦକ୍ଷିଣର ସମସ୍ତ ରାଜ୍ୟଗୁଡ଼ିକର ମିଶ୍ରଣ ନିମନ୍ତେ ତମେ ଆନ୍ତର୍ବିପ୍ଲବର ପ୍ରୟୋଜନ ଅନୁଭବ କରିଥିଲ । କୋରିଆବାସୀ ତ ସେଦିନ ଯାଇ ତମ କର୍ମ ଯୋଜନାର ପ୍ରତିବାଦ କରି ନ ଥିଲେ । ଇଂଲଣ୍ଡରେ ମଧ୍ୟ ଆନ୍ତର୍ବିପ୍ଳବ ହୋଇଥିଲା । ଏପରିକି ସେମାନେ ସେମାନଙ୍କ ରାଜାର ମୁଣ୍ଡ ବି କାଟିଥିଲେ । ସେଦିନ ସେ ରାଜବଂଶର ରକ୍ଷାପାଇଁ କାହିଁ କୌଣସି କୋରିଆ ରାଜାତ ସୈନ୍ୟମାନଙ୍କୁ ପଠାଇ ନ ଥିଲା । କିନ୍ତୁ ଆଜି ଇଂରେଜର ନୌବାହିନୀ କାହିଁକି କୋରିଆ ଉପକୂଳରେ ଜଗି ରହିଛି । ହଁ ସେମାନେ କହୁଛନ୍ତି ଯେ ସେମାନେ ୩୮ ଅକ୍ଷାଂଶ ରେଖାର ରକ୍ଷା ନିମନ୍ତେ ଏଠାକୁ ଆସିଛନ୍ତି । ବାସ୍ତବରେ ଇଂରେଜ ସାମ୍ରାଜ୍ୟବାଦୀଗଣ ବଡ଼ ବିଚିତ୍ର ଜୀବ ।

 

ସେ ଯାହାହେଉ ଏସିଆବାସୀମାନେ ମନଗଢ଼ା ଏହି ୩୮ ଅକ୍ଷାଂଶ ରେଖାର କଥା ଉପରେ ଆଉ ବିଶ୍ୱାସ କରୁ ନାହାଁନ୍ତି । ଏସିଆ ଲୋକେ ଜାଣନ୍ତି ଯେ କୋରିଆର ଯେଉଁ ଅକ୍ଷରେଖା ପାଇଁ ଯୁଦ୍ଧ କରୁଛନ୍ତି ତାହା ନ୍ୟାୟ ଓ ଶାନ୍ତିର ପ୍ରଚେଷ୍ଟା ପାଇଁ ନୁହେଁ । ତାହା ସାମ୍ରାଜ୍ୟବାଦ ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା । ଏହି ନୃଶଂସ ରେଖାଟି ଏସିଆର ଯେଉଁ ଯେଉଁ ଦେଶ ଉପର ଦେଇ ଗତି କରୁଅଛି ସେଠି ଧ୍ୱଂସ ଓ ସମର ସଙ୍ଗୀତ ଝଂକୃତ ହୋଇ ଉଠୁଛି । ଏହି ରେଖାଟି ପାଲେଷ୍ଟାଇନ୍‌ ମଧ୍ୟ ଦେଇ ଯାଇଛି ଓ ସୃଷ୍ଟି କରିଛି ଇସ୍ରାଏଲ ଓ ଜୋର୍ଡ଼ାନ । ଭାରତର ବୁକୁ ଚିରି ଏ ରେଖାଟି ମଧ୍ୟ ଗତି କରିଛି ଓ ଫଳରେ ସୃଷ୍ଟି ହୋଇଛି ଭାରତ ଓ ପାକିସ୍ତାନ । ବ୍ରହ୍ମଦେଶକୁ ଏହି ରେଖାଟି ବର୍ମା ଓ କାରେନ୍‌ ରାଜ୍ୟ ଏହିପରି ଦୁଇ ଅଂଶରେ ବିଭକ୍ତ କରିଛି । ଇଣ୍ଡୋନେସିଆ ପୂର୍ବ ବର୍ଣ୍ଣିତ ଓ ନିଉଗିନି ଏହିପରି ଦୁଇ ଭାଗରେ ବିଭକ୍ତ ହୋଇଛି । ଏହି ରେଖାଟି ବିଭାଗୀ କରଣର ପ୍ରତୀକ—ଐକ୍ୟର ଚିହ୍ନ ନୁହେଁ । ପୂର୍ବପରି ଆଜି ମଧ୍ୟ-ଏସିଆର ବିଭିନ୍ନ ଦେଶରେ ସାମ୍ରାଜ୍ୟବାଦୀମାନେ ସେମାନଙ୍କର ଗୁପ୍ତଚର ଓ ସାହାଯ୍ୟକାରୀ ରୂପେ କେତେକଙ୍କୁ ବାଛି ନେଉଛନ୍ତି ଓ ସେମାନଙ୍କର ସାହାଯ୍ୟରେ ସେମାନେ ତାଙ୍କର ଲକ୍ଷ ହାସଲ କରୁଛନ୍ତି । ସେମାନଙ୍କ ସାହାଯ୍ୟକାରୀମାନଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ କମ୍ୟୁନିଷ୍ଟ ଆଖ୍ୟା ଦେଉଛନ୍ତି ।

 

ଆଜି ଏସିଆର ସମସ୍ତ ଔପନିବେଶିକ ଦେଶଗୁଡ଼ିକରେ ଏହି କାର୍ଯ୍ୟକଳାପ ଚାଲିଛି । ଗତ ମହାଯୁଦ୍ଧର ସମ୍ମୁଖୀନ ହୋଇ ନ ପାରି ଯେଉଁମାନେ ସାମ୍ରାଜ୍ୟବାଦ ଗ୍ରହଣ କରି ନେଇଥିଲେ ଆଜି ସେମାନେ ତାର କୁପରିଣାମ ଭୋଗୁଛନ୍ତି । କିନ୍ତୁ ଏସିଆର ଏଇ ଜନଜାଗରଣ ଅତି ଧୀରେ ଧୀରେ ଆଗେଇ ଚାଲିଥିଲେ ମଧ୍ୟ ଦିନେ ଏ ବିପ୍ଲବ ବିଦେଶୀ ସରକାର ଗୁଡ଼ିକୁ ପ୍ରକୃତ ଶିକ୍ଷା ଦେବ–ଏଥିରେ ସନ୍ଦେହ ନାହିଁ । ବିଭିନ୍ନ ଆଳ କରି ସାମ୍ରାଜ୍ୟବାଦୀମାନେ ଏଠିକୁ ଆସିଛନ୍ତି । ହାତରେ ବନ୍ଧୁକ ଧରି ସେହିପରି ଏକ କୁତ୍ସିତ ଲକ୍ଷ ନେଇ ସାମ୍ରାଜ୍ୟବାଦୀମାନେ ଆଜି କୋରିଆ ରଣକ୍ଷେତ୍ରରେ ଅବତରଣ କରିଛନ୍ତି । ସାଦାରିକ....ସେଥିପାଇଁ ଆଜି ତୁମକୁ ଏଇ ସମର ପ୍ରାଙ୍ଗଣରେ ପ୍ରାଣ ଦେବାକୁ ପଡ଼ିଛି !

 

ସୈନିକ ! ଆଜି ତମକୁ ଏହି କଥା ମୁଁ ଭଲରୂପେ ବୁଝାଇବାକୁ ଚାହୁଛି । କାରଣ ମୋର ଏହି ପ୍ରତିବାଦକୁ ତୁମେ କିପରି ବୁଝିଛ....ମୁଁ ଜାଣିବାକୁ ଚାହେ । କାରଣ ତୁମରି ବୁଝିବା ଉପରେ ହିଁ ଆଜି ବିଶ୍ୱର ଶାନ୍ତି ନିର୍ଭର କରେ । ଆମେରିକାର ଜନସାଧାରଣଙ୍କ ଉପରେ ଆଜି ବିରାଟ ଦାୟିତ୍ୱ ପଡ଼ିଛି । କାରଣ କୋଟି ସାଦାରିକଙ୍କ ସେହିମାନେ ହିଁ ହେଉଛନ୍ତି ପ୍ରତିନିଧି । ମୁଁ ଜାଣେ ସାଧାରଣ ଆମେରିକା ନାଗରିକ ଏସିଆ ଦେଶରେ ସେମାନଙ୍କର ଶାସକମାନଙ୍କର ମନୋବୃତ୍ତିକୁ ପସନ୍ଦ କରନ୍ତି ନାହଁ । କମ୍ୟୁନିଷ୍ଟ ପ୍ରତିରୋଧ ନାମରେ ଆଜି ଯେଉଁ, ଦସ୍ୟୁବୃତ୍ତି ଆରମ୍ଭ ହୋଇଛି ତାର ତୀବ୍ର ପ୍ରତିବାଦ କର । କମ୍ୟୁନିଜିମ୍ ହେଉ ବା ବୁଦ୍ଧି ଜିମ୍ ହେଉ ଯେ କୌଣସି ମତବାଦ ବିରୁଦ୍ଧରେ ଲଢ଼ିବାକୁ ତୁମେ ଚାହ ନାହିଁ ବୋଲି ଆଜି ସାହସର ସହିତ ଜଣାଇ ଦିଅ । ଏସିଆର ଉନ୍ନତି ନିମନ୍ତେ ସେମାନେ କୌଣସି ବିଶେଷ ମତବାଦକୁ ଗ୍ରହଣ କରିବାକୁ କିମ୍ବା ବିରୋଧ କରିବାକୁ ସେମାନଙ୍କର ପୂର୍ଣ୍ଣ ସ୍ୱାଧୀନତା ଅଛି ବୋଲି ଶୁଣାଇ ଦିଅ । ଏସିଆ, ଇଉରୋପ, ଆଫ୍ରିକାର ଯେ କୌଣସି ଦେଶର ଆକ୍ରମଣ ହେଉଥିବା ଲଢ଼େଇରେ ତୁମେ ସହଯୋଗ ନ କରିବା ପାଇଁ ଶପଥ କର । ଭିନ୍ନ ଭିନ୍ନ ଦେଶ ଲୋକେ ନିଜ ନିଜର ଭାଗ୍ୟ ନିର୍ଣ୍ଣୟ ଶପଥ କରନ୍ତୁ ।

 

ସାଦାରିକ....ମୋର ଏ ଚିଠି ଲେଖା ଢଙ୍ଗ ଦେଖି ତୁମେ ହୁଏତ ଭାବୁଥିବ ତୁମ ମୃତ୍ୟୁରେ ମୁଁ ଆଦୌ ଦୁଃଖିତ ନୁହେଁ । ତୁମେ ମୋତେ ଅନ୍ୟଥା ବୁଝିବ ନାହିଁ ଆଶା । ସତରେ ତମପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ତମପାଇଁ ଅବଶ୍ୟ ମୋ ଆଖିରୁ ଟୋପାଏ ଲୁହ ଝରେନି । କାରଣ ମୋ ଦେଶର ସାମାଜିକ ଅବିଚାର ଓ ଅନ୍ୟାୟ ଦେଖି ବହୁଦିନୁ ମୋ ଆଖିରୁ ସବୁ ଲୁହ ଝରି ଯାଇଛି । ତମେ ହୁଏତ ବିଶ୍ୱାସ କରି ନ ପାର କିନ୍ତୁ ସତରେ କ୍ରୋଧର ଅଗ୍ନିଶିଖା ମୋର ଅନ୍ତରରେ ଆଜି ପ୍ରଜ୍ଜଳିତ ହୋଇ ଉଠୁଛି । ତୁମେ ଯେ ନିଶ୍ଚୟ ମୃତ୍ୟୁର ଶିକାର ହେବ, ଜାଣି ଜାଣି ତମକୁ ଯେଉଁମାନେ କୋରିଆ ଯୁଦ୍ଧକୁ ପ୍ରେରଣ କରିଥିଲେ ସେମାନଙ୍କୁ ଆଜି ମୁଁ ଅତି ଘୃଣା କରୁଛି.....ଏପରି ମୃତ୍ୟୁର କ୍ରୀଡ଼ା ଆଜି କିଛି ନୂଆ ନୁହେଁ । ବହୁଦିନ ଧରି ଏ କ୍ରୀଡ଼ା ଚାଲି ଆସି ଅଛି । କିନ୍ତୁ ଏହି ପ୍ରତ୍ୟେକର କ୍ରୀଡ଼ାର ପଶ୍ଚାତରେ ଯେ ଅନ୍ୟ ଏକ ଉଦ୍ଦେଶ୍ୟ ନିହିତ ରହିଥିଲା ଏଥିରେ ଅଣୁମାତ୍ର ସଂନ୍ଦେହ ନାହିଁ-

 

୧୯୦୫....ରୁଷ ଜାପାନ ଯୁଦ୍ଧ.....ଚୀନ ମହାଦେଶରେ ଜାପାନ ବଳପୂର୍ବକ ପ୍ରବେଶ କଲା । ଜାପାନ ସୈନ୍ୟବାହିନୀ ସହିତ ଆମେରିକାର ଜଣେ ନିରପେକ୍ଷ ଦର୍ଶକ ଥିଲେ-। ଏହି ଦର୍ଶକ ଜଣେ ଲେଫ୍‌ଟନେଣ୍ଟ । ଘର ଆମେରିକାର ୱେଷ୍ଟ ପଏଣ୍ଟରେ । ତାଙ୍କର ନା ମାର୍କ ଆର୍ଥର-। ......ଆଜି ସେ ବିଷୟରେ ଚିନ୍ତାକଲେ କେବେ ହୃଦବୋଧ ହୁଏ ନାହିଁ ଯେ ସେଦିନ ସେ ନିରପେକ୍ଷ ଦର୍ଶକ ରୂପେ ଆସିଥିଲେ । ସେତିକିବେଳୁ ମାର୍କିନ ସାମାଜ୍ୟବାଦୀମାନେ ପ୍ରାଚ୍ୟର ପୂର୍ବସୀମାନ୍ତର ଐଶ୍ୱର୍ଯ୍ୟ ନଷ୍ଟ କରି ନେବାପାଇଁ ଲୋଲୁପ ଦୃଷ୍ଟି ପକାଇ ଥିଲେ ।

 

ମୋର ମନେ ହୁଏ ମାର୍କଆର୍ଥର ୧୯୦୫ ଖ୍ରୀଷ୍ଟାଦ୍ଦରେ ଯେଉଁ ଉଦ୍ଦେଶ୍ୟରେ ଚୀନ ଆସିଥିଲେ ସେ ଉଦ୍ଦେଶ୍ୟ ୧୯୪୬ରେ ସଫଳ ହେଲା । ୧୯୦୫ ମସିହାରେ ଯେଉଁଦିନ ମାର୍କଆର୍ଥର କୋରିଆର ଉପକୂଳ ଲଙ୍ଘନ କରିଥିଲେ, ସେହିଦିନୁ ସାଦାରିକ.......ତୁମ ମୃତ୍ୟୁ ପରୁଆନା ସେ ତାଙ୍କ ପକେଟରେ ରଖିଥିଲେ । ଯୁବକ ତମେ, କିଶୋର ତମେ, ସ୍କୁଲହତାରେ ଖେଳିବୁଲି ସମୟ କାଟିବାର ବୟସରେ ସେ ତମମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇଥିଲେ । ଏହିପରି ପୂର୍ବ ପ୍ରସ୍ତୁତ କର୍ମାନୁସୂଚୀ ଅନୁସାରେ ସେ ମୃତ୍ୟୁ ମୁଖରେ ପତିତ ହୁଏ ତାପାଇଁ ଆଖିରେ ଲୁହ ଆସେନି, ବରଂ ମନରେ ଆଘାତ ଲାଗେ । ବୁକୁତଳେ ଅକୁହା ବେଦନା ଫୁଟି ଉଠେ । ହତ୍ୟାକାରୀଙ୍କୁ ହତ୍ୟା କରିବାକୁ ପ୍ରବଳ ବାସନା ମନରେ ଜାଗିଉଠେ । ଯୁଦ୍ଧ ବିରୁଦ୍ଧରେ ଘୃଣା ଓ କ୍ରୋଧ ଜନ୍ମେ । ସାଦାରିକ ସେଥିପାଇଁ ତମଲାଗି ମୋ’ ଆଖିରୁ ଲୁହ ଝରେନି । ଯୁଦ୍ଧରେ ସାମାନ୍ୟ ଜଣେ ସୈନିକ ନିହତ ହେଲେ କି ବିରାଟ କ୍ଷତି ହୁଏ, ତୁମର ସେନାପତି ମାର୍କଆର୍ଥର ହୁଏତ ବୁଝି ପାରିବେ ନାହିଁ । ତାଙ୍କ ଆଖିରେ ତମେ ତାର ମାନଚିତ୍ରରେ ଗୋଟିଏ ପିନ୍ କଣ୍ଟା ମାତ୍ର । କିନ୍ତୁ ଯୁଦ୍ଧରେ ଗୋଟିଏ କୋଡ଼ିଏ ବର୍ଷ ଯୁବକର ଅର୍ଥ କଣ ମୁଁ ବେଶ୍ ଭଲରୂପେ ବୁଝିପାରେ ।

 

ଉଏଷ୍ଟ ଭର୍ଜିନିଆର କୋଡ଼ିଏ ବର୍ଷ ବୟସ୍କ ଯୁବକ ସୈନିକ କୋରିଆ ରଣକ୍ଷେତ୍ରରେ ପ୍ରାଣ ହରାଇଲା । ସେ କେବଳ ମରିନାହିଁ ତାହା ସଙ୍ଗେ ଆହୁରି ବହୁତ କିଛି ନଷ୍ଟ ହୋଇଗଲା । ଖଣ୍ଡିଏ ପୁସ୍ତକ, ଗୋଟିଏ ସୁମଧୁର ସଂଗୀତ ଏବଂ ବହୁ ବୈଜ୍ଞାନିକ ସୃଷ୍ଟି । ଫଳରେ ଦୁନିଆର ବହୁତ କ୍ଷତି ହେଲା । ତୁମର ମୃତ୍ୟୁରେ ମାର୍କଆର୍ଥର ମାନଚିତ୍ରରୁ ଗୋଟିଏ ମାତ୍ର ପିନ୍‌ନଷ୍ଟ ହୋଇଗଲା । ତାଙ୍କ ପାଇଁ ଏହା କିଛି ନୁହେଁ । କିନ୍ତୁ ଦୁନିଆର ସବୁ ହୃଦୟବାନ୍ ବ୍ୟକ୍ତିଙ୍କ ପାଇଁ ଏହା ଏକ ବିରାଟ କ୍ଷତି । ସୈନିକ ସାଦାରିକ.....ତମର ଏଇ ଅପମୃତ୍ୟୁରେ ଯେ କୌଣସି ହୃଦୟବାନ ବ୍ୟକ୍ତି ମ୍ରିୟମାଣ ହୋଇ ପଡ଼ନ୍ତି, କାରଣ ସେ ତମର ଅପମୃତ୍ୟୁର କାରଣ କଣ ବୁଝି ପାରନ୍ତି । ବିଶ୍ୱର ଶାନ୍ତି ଉପରେ ବାରମ୍ୱାର କାହିଁକି ଏ ଆକ୍ରମଣ ବୁଝିହୁଏ ନାହିଁ । ଏହି କାନ୍ତକୋମଳ ଧରଣୀ ଉପରେ ଆମେ ତ ସମସ୍ତେ ଅତି ଆନନ୍ଦରେ ବଂଚି ରହି ପାରିବା । ଏଠି ନାହିଁ କଣ ? ଏଇ ମାଟିରେ ଫୁଟି ଉଠେ ପ୍ରଚୁର ଗହମ, ଯବ, ତୁଳା.....ଲହରାୟିତ ସୁସଜ୍ଜିତ ପାହାଡ଼ର ମାଳା, ବନ୍ୟଜନ୍ତୁ, ଖଣିଜ ପଦାର୍ଥ...ତରଙ୍ଗାୟିତ ବୃହତ୍ ନଦନଦୀ, ହ୍ରଦ । ଏଠି ଆମେ ଅତି ସୁଖ ସ୍ୱାଚ୍ଛ୍ୟନ୍ଦ୍ୟରେ ରହି ପାରନ୍ତେ । ଏ ସମସ୍ତ ବିଭବ ଯଦି ଜଣେ ଏକ ସମୟରେ ଦେଖି ପାରନ୍ତା ତେବେ ବହୁତ ସୁଖୀ ହୁଅନ୍ତା ।

 

ମହାଶୂନ୍ୟରେ ପୃଥିବୀ ପରି ବହୁ ଗ୍ରହ ଉପଗ୍ରହ ଘୂରୁଛନ୍ତି । ବିଜ୍ଞାନ ଦ୍ୱାରା ହାଇଡ଼୍ରୋଜେନ ପ୍ରଭୃତି ସୃଷ୍ଟି କରି, ଯୁଦ୍ଧରେ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ନ କରି, ଏହି ମହାଶୂନ୍ୟକୁ ଆୟତ କରିବା ପାଇଁ ଚେଷ୍ଟା କରି ଯଦି ତାହା ଅଧିକାର କରାଯାଇ ପାରେ, ତେବେ ଏ ପୃଥିବୀ ବସବାସ ପାଇଁ ଆହୁରି ଅଧିକ ଉପଭୋଗ୍ୟ ହୋଇ ପାରନ୍ତା ।

 

ଚିଠିର କେତେ ଧାଡ଼ି ଲେଖି ସାରିଲା ପରେ ହଠାତ୍ ଝରକା ସେପାଖ ଦୃଶ୍ୟରାଜି ମୋର ସମ୍ମୁଖରେ ନାଚି ଉଠୁଛି । କେତେ ସୁନ୍ଦର ସେ ଦୃଶ୍ୟ । ......ତାଳ ଗଛର ଲମ୍ବ ଲମ୍ବ ପତ୍ରର ମର୍ମର ଧ୍ୱନି ଟେଲିଗ୍ରାଫ୍ ତାର ଛୁଇଁ ସଜଳ ମାଟିରେ ଘନ ଗୁଳ୍ମରାଜିର କୂଳ ସ୍ପର୍ଶ କରୁଅଛି । ଜଳ ଉପରେ ଢେଉଗୁଡ଼ିକ ଲୋଟି ଲୋଟି ତରଙ୍ଗ ସୃଷ୍ଟି କରୁଛନ୍ତି ଓ ସେ ତରଙ୍ଗ ରାଜି ଯାଇ ବନାନୀର ପାଦଦେଶରେ ପିଟି ହେଉଛନ୍ତି । ସେ ପିଟି ହେବାର ଶବ୍ଦ ଯାଇ ଗ୍ରୀଷ୍ମ ଆକାଶର ମୌସୁମୀ ସଙ୍ଗେ ମିଶି ଯାଉଛି । ଏହିପରି ଏକ ବିସ୍ତୀର୍ଣ୍ଣ ଭୂମି ଓ ମୁକ୍ତ ଆକାଶ ତଳେ ପଡ଼ିଛ.....ତୁମେ ମୃତ....ନିଶ୍ଚଳ....ନିଥର.... । କେବଳ ତମରି କଥା ନୁହେଁ ପଶ୍ଚିମ ଭର୍ଜିନିଆ, କାନସାସ, ଓହିଓ, ସିନସିନାଟିରେ ଥିବା ବହୁ ସାଦାରିକଙ୍କ କଥା ମୁଁ ଭାବୁଛି । ଏହିମାନଙ୍କ କଥା ଭାବୁ ଭାବୁ ହଠାତ୍ ମୋର ଆଉ ଜଣେ ସାଦାରିକ କଥା ମନେ ପଡ଼ିଗଲା । ଏ ସାଦାରିକର ବୟସ ମୋଟେ ତିନି । ଏଇଟି ମୋର ପୁଅ । ତମରି ବୟସରେ ହୋଇଗଲେ ସେମାନେ କଣ ୟାକୁ ମଧ୍ୟ ଯୁଦ୍ଧକୁ ପଠାଇ ଦେବେ ? ନା.....ନା......ସେ କଥା କେବେ ହେଇ ପାରିବ ନାହିଁ । ଉନ୍ନୁକ୍ତ ଯୁଦ୍ଧ କ୍ଷେତ୍ରରେ ତୁମର ମୃତ୍ୟୁ ଦୃଶ୍ୟ ମୋ ସମ୍ମୁଖରେ ବାରମ୍ୱାର ନାଚି ଉଠୁଛି । ଶାନ୍ତିର ସ୍ୱପ୍ନ ମୋର ବଦ୍ଧମୂଳ ହେଉଛି । ମୁଁ ଶାନ୍ତି ଚାହେଁ । ଠିକ୍ ଏଇ ମୁହୂର୍ତ୍ତରୁ ମୋର ଶେଷ ଜୀବନ ପର୍ଯ୍ୟନ୍ତ । କେବଳ ମୋରି ପାଇଁ ନୁହେଁ, କେତେଜଣ ପାଇଁ ନୁହେଁ, ସମୂହ ମାନବଜାତି ପାଇଁ ଚିରଦିନ ଲାଗି ମୁଁ ଶାନ୍ତି କାମନା କରେ ।

Image

 

*ବିବି*

 

ନିଆଁ ଜଳୁଛି ସହରଟି ପୋଡ଼ି ଚାଲିଛି ।

 

ଦିଆସିଲି ମାରି ଲିୟାମ ସିଗାରେଟ ଲଗାଇ ଚାରିଆଡ଼କୁ ଥରେ ଚାହିଁଲା । ଦେଖିଲା ସହର ଉପରେ ଖାଲି ଧୂଆଁ । ବୋମା ବିଧ୍ୱସ୍ତ ଏଇ ସହରଟି ତାକୁ ଭାରି ଭଲ ଲାଗେ । ସବୁ ଛାରଖାର । କେଉଁଠି କାଚ ଭାଙ୍ଗି ପଡ଼ିଛି ତ କେଉଁଠି ତାର ଖୁଣ୍ଟଗୁଡ଼ିକ ଉପୁଡ଼ି ପଡ଼ିଛି ଓ ତା’ଉପରେ କୋରିଆବାସୀଙ୍କ ଶବ ଝୁଲୁଛି । ଏଠି ସେଠି ଛାତ ଭାଙ୍ଗି କ୍ରଂକ୍ରିଟ୍ ଘରସବୁ ଖୋଲା ପଡ଼ିଛି । କବାଟ ଝରକା କିଛି ନାହିଁ । ଲିୟାମ ମନେ ମନେ ଟିକିଏ ହସିଲା, ମାର୍କିନ ବିମାନ ବାହିନୀ କେଡ଼େ ଦକ୍ଷ ସତେ ! ବର୍ବରମାନଙ୍କର ଅତି ପ୍ରିୟ ସହରଟି ଆଜି ଧ୍ୱଂସରେ ପରିଣତ ହୋଇଛି । ଏହା କିଛି ସହଜ କାମ ନୁହେଁ । ଏହି ସହରକୁ ରକ୍ଷା କରିବା ପାଇଁ କୋରିଆ ଯୁବକ ପ୍ରାଣପଣେ ଚେଷ୍ଟାକରିଥିଲେ । ଆଉଥରେ ଜୋରରେ ସିଗାରେଟ ଲଗାଇ ଲିୟାମ ସବୁ ଆଡ଼କୁ ଚାହିଁଲା । ଦେଖିଲା ପାଇପ୍ ଓ ଲୁହା ଖୁଣ୍ଟ ସବୁ ଆକାଶକୁ ଅନାଇ ଛିଡ଼ା ହୋଇଛନ୍ତି । ଏହି ଖୁଣ୍ଟ ଉପରେ ଶହ ଶହ ସୁନ୍ଦର କୋଠା ମୁଣ୍ଡଟେକି ଠିଆ ହୋଇଥିଲା । ....ଶତ ସୁନ୍ଦର ନୀଡ଼ ଏହିଠି ରଚିତ ହୋଇଥିଲା । ଏହିଠି ଥିଲା ଅତି ଆଧୁନିକ ଧରଣର ଫାଟ, ଅଫିସ, କାର୍ଯ୍ୟଳୟ.... । ଶିଶୁମାନଙ୍କର କଳରବରେ ଏହି ସବୁ ସ୍ଥାନ ମୁଖରୀତ ହୋଇ ଉଠୁଥିଲା । ନାରୀ କଣ୍ଠରେ ମଧୁର ସଂଗୀତରେ ଏହି ସବୁ ସ୍ଥାନ ମର୍ମରୀତ ହୋଇ ଉଠୁଥିଲା । ପୁରୁଷମାନଙ୍କ କର୍ମକୁଶଳର ଏ ଥିଲା କ୍ରୀଡ଼ାଭୂମି । ପ୍ରଶସ୍ତ ରାଜପଥ ଉପରେ ମାର୍କିନ ସୈନ୍ୟମାନେ ବିରାଟ ଟାଙ୍କମାନ ଖୋଲିଛନ୍ତି । ଉତ୍ତର ଦକ୍ଷିଣ, ପୂର୍ବ ପଶ୍ଚିମ ଚାରିଦିଗରୁ ସେମାନେ ପ୍ରଥମେ ଆକ୍ରମଣ ଚଳାଇଲେ, ତା ପରେ ସହରଟି ସାନ ସାନ ଖଣ୍ଡରେ ବିଭକ୍ତ କରି ବୋମା ବର୍ଷଣ କଲେ । ଏତିକିରେ କାମ ଶେଷ ହେଲା ନାହିଁ । ବୋମା ବର୍ଷଣ ପରେ ବିଛିନ୍ନ ଅଞ୍ଚଳରେ ବୁଲି ବୁଲି ସେମାନେ ନିଆଁ ଲଗାଇଲେ । ଏହି ସବୁ ଦେଖି ପରିତୃପ୍ତିର ନିଃଶ୍ୱାସ ତ୍ୟାଗ କରି ଲିୟାମ ତାର ବନ୍ଧୁ ଜୁସକୁ ଡାକି କହିଲା ବେଶ୍ ବଢ଼ିଆ ହୋଇଛି । ଏହି ବନ୍ଧୁଟିର ପ୍ରକୃତ ନାମ ଜୋନ୍‌ସ କିନ୍ତୁ ତାର ବଢ଼ିଆ ଚେହେରା ପାଇଁ ତାକୁ ଜୁସ୍ ବୋଲି ଡାକନ୍ତି । ଅବଶ୍ୟ ଏହି ଜୁସ୍ ବା ରସ କୋକାକୋଲା, କମଳା କିମ୍ୱା ଲେମ୍ବୁରସ ପରି ନୁହେଁ-। ଏହି ଯୁବକ ଜୋନସ୍ ସରଳତାର ପ୍ରତୀକ । ତାର କେଶଗୁଡ଼ିକ ପ୍ଳାଟିନସ୍ ପରି ଧଳା-। ସବୁଜ ରଙ୍ଗର ଚକ୍ଷୁ ଗଡ଼ିକ ମୃଗ ଆଖିପରି ଉଜ୍ଜଳ । ହାତ ମଳି ମଳି ସେ କହିଲା କାମ ବେଶ୍ ହୋଇଛି ସତ କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଏହି ପରିଂ କାମ ଚାଲିଥିବ....ଉଃ.....

 

ଲିୟାମ କିନ୍ତୁ କୌଣସି ଉତ୍ତର ଦେଲା ନାହିଁ । ବରଂ ଗୋଟିଏ ତିନିତାଲା କୋଠା ଉପରକୁ ଚାହିଁ ଦେଖିଲା—ଗୋଟାଏ ଲମ୍ୱା ବାଉଁଶରେ ଡ଼ୋରିଆ ରଙ୍ଗର ମାର୍କିନ ପତାକା ଉଡ଼ୁଛି । ମନରେ ତାର ବିଜୟ ଗୌରବ ଭରିଗଲା । ବାରମ୍ୱାର ସେ ସିଗାରେଟ ଟାଣିବାକୁ ଲାଗିଲା । ସିଗାରେଟ ପୋଡ଼ି ଯାଇ ପାଉଁଶ ତାର ମୁହଁ ଓ ଦେହ ଉପରେ ପଡ଼ୁଥାଏ । ଦୁଇ ହାତରେ ଆଖି ମଳି ମଳି ‘ଖ’ ‘ଖ’ କରି ଆସି ସେ ଅସଭ୍ୟ ଏସିଆବାସୀଙ୍କୁ ଗାଳି ଦେବାକୁ ଆରମ୍ଭ କରିଦେଲା । ବଦମାସି ଏସିଆବାସୀ ଗୁଡ଼ା......ଏ ସମସ୍ତଙ୍କୁ ଖତମ କରିଦେବା ଉଚିତ । ଏଠି ବି ସିନସିଟ୍‌ରେ ଇନସୁରେନ୍‌ସ ଅଫିସ । ସବୁଆଡ଼ୁ ଟଙ୍କା କଉଡ଼ି ଆଣି ଜମା କରିଥିଲେ ।

 

ତମେ ବି ତ କାହାର ନା କାହାର ଇନସୁରେନ୍‌ସ ଏଜେଣ୍ଟ ରୂପେ ଆସିଛ । ମୃଦୁହସି ଜୁସ୍ କହିଲା ।

 

‘ମାନେ ?’

 

ଜୋନସ୍ ଗୋଟାଏ ଅଧାପୋଡ଼ା ଅଞ୍ଚଳକୁ ହାତ ବଢ଼ାଇ କହିଲା......ଏଇ ଦେଖ ଆମେରିକର ବଡ଼ ବଡ଼ ବ୍ୟବସାୟୀଙ୍କ ସାଇନବୋର୍ଡ଼ ଝଲୁଛି, ନାଁ ଦେଖାଯାଉଛି । ‘ଗ୍ରେଟ୍ ଆମେରିକାନ୍, ଫେଡ଼େରାଲ ଇନସୁରେନ୍‌ସ କରପୋରେସନ’ ଲାଇଫ୍ ଏବଂ ଟାଇମ ମାଗାଜିନ–ଫିଲ୍‌ପସ୍ କମ୍ପାନୀ ନିଉୟର୍କ, କୋଲ୍‍କାରିଙ୍ଗ କରପୋରେସନ, କୋକାକୋଲା କମ୍ପାନୀ....ସିକାଗୋ.... ।

 

ମୁହଁରେ ଆଙ୍ଗୁଠି ଦେଇ ଲିୟାମ ଆନନ୍ଦରେ ହୁଇସିଲ୍ ମାରିଲା, କହିଲା ଆରେ ଏଗୁଡ଼ା ସବୁ ଏପର୍ଯ୍ୟନ୍ତ ମୋ ଆଖିରେ ପଡ଼ିନି । ଏ ସବୁ ତ ଆମ ନିଜ ଅନୁଷ୍ଠାନ । ଆମେ ସବୁ ଆସିବା ଆଗରୁ ତାହାହେଲେ ଏଠି ଏ ଅନୁଷ୍ଠାନ ସବୁ ଖୋଲିଛି । ଜୁସ୍ ଅତି ତୁନି ତୁନି କହିଲା—କମ୍ୟୁନିଷ୍ଟ କିମ୍ବା ଅନ୍ୟମାନେ ଯିଏ ଯାହା କହନ୍ତୁ ନା କାହିଁକି—ଆମକୁ ଏଠି କୌଣସି ମତେ ରହିବାକୁ ହେବ-

 

ପକେଟରେ ହାତ ପୁରାଇ ଲିୟାମ ଜୋରରେ କହିଲା—ମୁଁ ବି ସେଇୟା ଚାହେଁ । ଲିୟାମ ଦେଖିବାକୁ ଡ଼େଙ୍ଗା । ତାର ମା ଆଇରିଶ୍ ଓ ଅଧା ଜର୍ମାନ୍ । ଟ୍ରୁମ୍ୟାନଙ୍କୁ ସେ ବହୁତ ବିଶ୍ୱାସ କରେ । ସେନାପତି ମ୍ୟାକଆର୍ଥରଙ୍କ ଆଟମ୍ ବୋମ ଓ ନିଗ୍ରୋଅଞ୍ଚଳକୁ ହାତମୁଠାରେ ରଖିଲା ପରି ଏସିଆକୁ ସେ ହାତ ମୁଠାରେ ରଖିବାକୁ ଚାହେଁ । ବାହାରକୁ ସେ ବେଶ୍ ସୁସ୍ଥ ସବଳ ଦେଖାଯାଉଥିଲେ ମଧ୍ୟ ଭିତରେ ଭାରି ଭୟାଳୁ । ତାର ବନ୍ଧୁ ପରି ତାର ମନ ସହଜରେ ସନ୍ତୁଷ୍ଟ ହୁଏ ନାହିଁ । ଲିୟାମ ଜୁସ୍ ଏତେ ସାଥି ଯେ ସେମାନଙ୍କ କଥା ପଡ଼ିଲେ ସୈନ୍ୟମାନେ ଦୁହିଁଙ୍କ ନାମ ଯୋଡ଼ି ‘ଲିୟାମ’ ଜୁସ୍-ବୋଲି କହନ୍ତି ।

 

ହଠାତ୍ କେତେ ଜଣ ମାର୍କିନ ସୈନିକ ଗୋଟିଏ ଭଙ୍ଗା ଦୋମହଲା ଘରେ ପହଞ୍ଚି ଗୋଟାଏ ଲୁଗା ଟାଣି ଦେଲେ । ତା ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିଲା—ନିଲାମ....ନିଲାମ....ଏ ସୁବର୍ଣ୍ଣ ସୁଯୋଗ ହରାନ୍ତୁ ନାହିଁ । ସୈନ୍ୟମାନେ ବରଣ୍ଡାରେ ଲୁଗା ଟାଣି ଦେଇ ଘର ଭିତରକୁ ଚାଲିଗଲେ । ସେଠି ପଡ଼ିଥିବା ନିସୁଣିରେ ଚଢ଼ି ସେ ଦୁହେଁ ଦେଖିଲେ ଯେ ଗୋଟାଏ ବିରାଟ ହଲରେ ବହୁତ ମାର୍କିନ ଯୁବକ ଭର୍ତ୍ତି ହୋଇଛନ୍ତି । ଘର ଭିତରକୁ ପଶିବାକୁ ହେଲେ ୫୦ ସେଣ୍ଟର ଟିକଟ ଦରକାର ।

 

ଘର ମଧ୍ୟରେ ପଶି ଲିୟାମ ଦେଖିଲା ଯେ ସୈନ୍ୟମାନେ ଆନନ୍ଦରେ ନାଚ କରୁଛନ୍ତି, ଗୀତ ଗାଉଛନ୍ତି । ହଲର ଗୋଟାଏ କୋଣରେ ଗୋଟାଏ ମଞ୍ଚ ତିଆର ହୋଇଛି । ମଞ୍ଚଟି ବେଶ୍ ଉଚ୍ଚ ହୋଇଛି । ଏତେ ଉଚ୍ଚା ହୋଇଛି ଯେ ଡିଆଁ ମାରି ଚଢ଼ିବା ସହଜ ନୁହେଁ । ମଞ୍ଚର ଚାରିପଟେ କାଠର ବାଡ଼ ଦିଆଯାଇଛି । ଏକମାତ୍ର ପଶ୍ଚିମ ପାର୍ଶ୍ୱ ପ୍ରବେଶ ଦ୍ୱାର ଉପରେ ଗୋଟିଏ ପର୍ଦା ଝୁଲୁଛି-। ମଞ୍ଚ ଉପରେ କେହି ନାହିଁ । ପାଖରେ ଥିବା ଜଣେ ସୈନିକକୁ ଲିୟାମ ପଚାରିଲା ଏଠି କଣ ବକସିଂ ହେବ ନା ଅନ୍ୟ କୌଣସି ଖେଳ ହେବ ?

 

‘ଖେଳ ନୁହେଁ ।’

 

‘ତେବେ ? ...କଣ ସର୍କସ ହେବ ?’

 

‘ତା ବି ନୁହେଁ ।’

 

ତାହା ହେଲା କଣ ହେବ ? ସାମାନ୍ୟ ବିରକ୍ତ ହୋଇ ସେ ଜୁସ୍‍କୁ କହିଲା, ଚାଲ ଏଠୁ ଚାଲିଯିବା । ଯେତେ ସବୁ...ପାଖରେ ଥିବା ସୈନ୍ୟ ଦାନ୍ତ ଚିପି ଚିପି କହିଲା—ଏଠି ନିଲାମ ହେଲା–ପରିତ ମନେ ହେଉ ନାହିଁ ।

 

ତାହା ହେଲେ ଏଠି କଣ ହେବ ? —ପ୍ରଶ୍ନ କଲା ଲିୟାମ ।

 

ବଡ଼ ଆଶ୍ଚର୍ଯ୍ୟ କଥା....ଜିନିଷ ପତ୍ର ନାହିଁ...ଅଥଚ ନିଲାମ ହେବ ବୋଲି ବିଜ୍ଞାପନ ଦିଆଯାଇଛି ।

 

‘ହଁ, ଏଇ ଆଶ୍ଚର୍ଯ୍ୟ ଯୁଦ୍ଧରେ ସବୁକିଛି ଆଶ୍ଚର୍ଯ୍ୟ ପରି ମନେ ହେଉଛି । ବିଚିତ୍ର ପ୍ରକାରର ମଂଚସଜ୍ଜା, ତାଠୁ ବିଚିତ୍ର ହେଲା ପ୍ରଚାର....ବିଚିତ୍ର ବି ଯୁଦ୍ଧ ଜୟର କୌଶଳ....କିଛିତ ବୁଝି ହୁଏ ନାହିଁ-। ଭଗବାନ ତମେ ଏକା ବଡ଼ । ଏସବୁ ଦେଖି ମୁଁ ନିଜକୁ ବି ବିଶ୍ୱାସ କରି ପାରୁନାହିଁ ।

 

ଠିକ୍ ସେତିକିବେଳେ ହଲ ଭିତରେ ଗୋଟାଏ ବଡ଼ ଚିତ୍‌କାର ଶୁଣାଗଲା । ପଶ୍ଚିମ ପାର୍ଶ୍ୱରେ ଝୁଲୁଥିବା ପଦାର୍ଥଟି ଧୀରେ ଧୀରେ ଉଠିଗଲା ଓ ଠିକ୍ ସେଇବାଟେ ପଞ୍ଚଦଶ ଶତାବ୍ଦୀର କ୍ରୀତଦାସ ବିକ୍ରେତା ପରି ଜଣେ ବ୍ୟକ୍ତି ମଂଚ ଉପରକୁ ଉଠି ଆସିଲେ । ଗୋଟାଏ ହାତରେ ଗୋଟାଏ ଲମ୍ୱା ବେତ ଓ ଅନ୍ୟ ହାତରେ ଗୋଟାଏ ସାନ ଘଣ୍ଟି । ମଂଚ ଉପରେ ଠିଆ ହୋଇ ଘଣ୍ଟି ବଜାଇ ବଜାଇ ସେ ଦର୍ଶକମାନଙ୍କୁ ଲକ୍ଷ୍ୟ କରି କହିଲେ...ହେ ଆଟମ୍ ପୁତ୍ରଗଣ...ଆପଣମାନେ ସମସ୍ତେ ଶୁଣନ୍ତୁ । ଏହି ବର୍ବର ଏସିଆବାସୀମାନଙ୍କୁ ଆମେ ଯୁଦ୍ଧରେ ପରାସ୍ତ କରିଛେ । ଆଜି ଆମେ ସମସ୍ତେ ବିଜୟୀ....ସୁଖୀ....ପରମ ଭାଗ୍ୟବାନ । ଦେଖନ୍ତୁ....ଦେଖନ୍ତୁ ଆଜି ଏଠି କେମିତି ନିଲାମ ପାଇଁ ବନ୍ଦୋବସ୍ତ ହୋଇଛି । ମୁଁ ଶପଥ କରି କହିପାରେ ପୃଥିବୀରେ ଏପରି ନିଲାମ ଘର ଓ ନିଲାମ ଜିନିଷ ଆପଣମାନେ କେଉଁଠି ଦେଖି ନ ଥିବେ । ପଇସା ପତ୍ର ଠିକ୍‌ କରି ଜିନିଷ କିଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ହେ ଆଟମ୍ ପୁତ୍ର ଗଣ ! ଥରକ ପାଇଁ ଏ ଘରକୁ ଆସନ୍ତୁ ଓ ମନ ମୃତାବକ ଜିନିଷ ବାଛି ନିଅନ୍ତୁ । ଜୋର୍‌ରେ ଘଣ୍ଟି ବଜାଇ ସେ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ବଡ଼ ପର୍ଦାଟି ଘୁଞ୍ଚିଗଲା ଓ କେତେଗୁଡ଼ିଏ କୋରିଆ ଯୁବତୀଙ୍କୁ ମଂଚ ଉପରକୁ ଅଣାଗଲା । ମୁହୂର୍ତ୍ତକ ମଧ୍ୟରେ ସମସ୍ତେ ମଂଚ ନିକଟରେ ଜମା ହୋଇଗଲେ । କ୍ଷଣକ ମଧ୍ୟରେ ସମସ୍ତ ପ୍ରକାର ନାଚ ଗୀତ ବନ୍ଦ ହୋଇଗଲା ଓ ହଲର ଚତୁର୍ଦ୍ଦିଗରେ ନିସ୍ତବ୍‌ଧତା ଖେଳିଗଲା ।

 

ବିବସ୍ତ୍ରା, ଉଲଗ୍ନା କୋରିଆ ଯୁବତୀ ଗୁଡ଼ିକ ମୁହଁ ପୋତି ମଞ୍ଚ ଉପରେ ଠିଆ ହୋଇଥାନ୍ତି-। ସେମାନଙ୍କ ହାତ ପଛରେ ବଂଧା ହୋଇଥାଏ । ଲଜ୍ଜା ନିବାରଣ ନିମନ୍ତେ ସେମାନେ ଯେପରି ସାମାନ୍ୟ ଚେଷ୍ଟା ସୁଦ୍ଧା କରି ନ ପାରନ୍ତି । ସେମାନଙ୍କର ମଥାର କେଶ ଏଣେ ତେଣେ ଅଲରା ହୋଇ ପଡ଼ିଥାଏ । ଦର୍ଶକମାନଙ୍କ ସମ୍ମୁଖରେ ଅର୍ଦ୍ଧବୃତ୍ତ ଆକାରରେ ସେମାନଙ୍କୁ ଠିଆ କରାଇ ଦିଆଯାଇ ଥାଏ ।

 

ସୈନ୍ୟମାନଙ୍କର କାମନା ଲୋଲୁପଦୃଷ୍ଟିର ଶର-ଆଘାତରେ ସେମାନେ ମ୍ରିୟମାଣ ହୋଇ ଉଠୁଥାନ୍ତି । ବହୁ ଦୃଷ୍ଟିର ସମ୍ମୁଖରେ କୋରିଆ ରମଣୀର ଗ୍ରୀବାଦେଶ କମ୍ପି ଉଠୁଥାଏ । କେତେ ଚୁମ୍ବନ, କେତେ ପ୍ରଣୟ ପୁଷ୍ପ ଦିନେ ହୁଏତ ଏହି ଗ୍ରୀବାଦେଶକୁ ଘେରି ରହିଥିବ । ସେହି କୋରିଆ ତରୁଣୀମାନଙ୍କର ସୁଦୀର୍ଘ ବକ୍ଷ ଉନ୍ମୁକ୍ତ ଅବସ୍ଥାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥାଏ । ଏହି ବକ୍ଷ ଉପରୁ ନିଷ୍ପାପ ଶିଶୁ ଓଠ ସ୍ପର୍ଶ କରି ଦିନେ ଜୀବନ ମଧୁ ଝରି ପଡ଼ିଛି । କେବଳ ସେତିକି ନୁହେଁ କୋରିଆ ରମଣୀଙ୍କ ଦେହର ନିମ୍ନଅଂଶ ମଧ୍ୟ ସେହି ପିଶାଚମାନଙ୍କ ସମ୍ମୁଖରେ ଉଲଗ୍ନ ଅବସ୍ଥାରେ ରଖା ଯାଇଥାଏ । ଆଜି ଶୃଙ୍ଖଳବଦ୍ଧ ହୋଇ ନଗ୍ନ ଦେହରେ ସାରା ଏସିଆର ନାରୀ ବିଦେଶୀ ବିଜେତା ସମ୍ମୁଖରେ ଠିଆ ହୋଇ ରହିଛନ୍ତି ।

 

ଶତାବ୍ଦୀର ଇତିହାସ ପାଠକଲେ ଦେଖାଯାଏ ଯେଉଁଠି ଜନସାଧାରଣଙ୍କ ସମ୍ମାନ ଭୂଲୁଣ୍ଠିତ ହୋଇଛି, ପଦଦଳିତ ହୋଇଛି ସେଇଠି ହୋଇଛି ନାରୀର ଚରମ ଅପମାନ । ଚେଙ୍ଗିଜ୍ ଖାଁର ତମ୍ବୁ ତଳେ ଡମସ୍‌କାସର ବଜାରରେ, ଗ୍ରୀସର ନାରୀ ବିକ୍ରୀ ହେଉଥିବା ହାଟରେ, ରୋମର ଥିଏଟରରେ, ଦକ୍ଷିଣ ଆମେରିକାର ନିଲାମ ହାଟରେ, ହିଟ୍‌ଲରର ନାଜିବାହିନୀ ଅଧିକୃତ ଅଞ୍ଚଳରେ, ନାରୀକୁ ବିବସ୍ତ୍ରା କରି ଯେ ଚରମ ଅପମାନ ଦିଆଯାଇଥିଲା ସେ କଥା ସମସ୍ତଙ୍କୁ ଜଣା । ଏହି ଅପମାନ ମୂଳରେ ସାଧାରଣତଃ ନୃଶଂସ ଅତ୍ୟାଚାରୀମାନଙ୍କର ହାତ ଥାଏ । ନୃଶଂସତା ଓ ନାରୀର ଅପମାନ ଏହିମାନଙ୍କର ସଭ୍ୟତା ଓ ଦୃଷ୍ଟିର ପ୍ରତୀକ । ବିବସ୍ତ୍ରା ନାରୀ ମାତୃହୃଦୟର ବ୍ୟଥା ନେଇ ଆଜି ସେମାନଙ୍କୁ ପ୍ରଶ୍ନ କରୁଛି—‘ମୋର ଗର୍ଭରୁ କ’ଣ ତୁମ୍ଭେମାନେ ଜନ୍ମ ହୋଇ ନ ଥିଲା ?’ ଆଜି ତୁମେ ସେହି ମା’ କୁ ବିବସ୍ତ୍ରା କରୁଛ, ଅପମାନିତା କରୁଛ । ଛୋଟ ଛୋଟ ଶିଶୁଗୁଡ଼ିକୁ ଜାଳି ପୋଡ଼ି ମାରୁଛ । ବୃଦ୍ଧର ବୁକୁରେ ନର୍ମମ ଭାବେ ବାଏନଟ୍ ବସାଉଛ । ଏହି ଅପକର୍ମ ପାଇଁ, ଏହି କୁକର୍ମ ପାଇଁ ତୁମେ କଣ ଏଇ ସୁନ୍ଦର ଧରଣୀ ଉପରେ ଜନ୍ମ ନେଇଥିଲ ? ନିଷ୍କଳଙ୍କ ପ୍ରେମର ପରଶ ପାଇବା ନିମନ୍ତେ ସଂଗୀତର ମଧୁ ମୂର୍ଚ୍ଛନାରେ ନିଜକୁ ଭୁଲାଇ ଦେବା ପାଇଁ ତୁମେ କଣ କେବେ ଇଚ୍ଛା କର ନାହିଁ ? ତମର କିଛି ନୂତନ ସୃଷ୍ଟି କରିବା ପାଇଁ, ଏହି ଦୁର୍ବାର ପାରାବାରରୁ ପାରିହେବା ପାଇଁ, ସେତୁ ନିର୍ମାଣ କରିବା ନିମନ୍ତେ ଅବା ଗୋଟିଏ ସୁନ୍ଦର ଫୁଲ ତୋଳି ନିଷ୍ପାପ ହୃଦୟରେ କାହାକୁ ଉପହାର ଦେବାପାଇଁ କଣ ତମର ଇଚ୍ଛା ହୁଏ ନାହିଁ ?

 

ଅପମାନିତା ନାରୀର ଏ ପ୍ରଶ୍ନର ଉତ୍ତର ସେମାନେ ନିଅନ୍ତି ନାହିଁ କି ସେହି ନିର୍ମମ ଅତ୍ୟାଚାରୀମାନେ ଏହାର ଉତ୍ତର କେବେ ଦେଇ ପାରିବେ ନାହିଁ ।

 

ଘରର ସେହି ସ୍ଥିର ନିସ୍ତବ୍‌ଧତା ମଧ୍ୟରେ କେହି ଜଣେ ହଠାତ ସିଟି ମାରିଦେଲା ଓ ସଙ୍ଗେ ସଙ୍ଗେ ନାଚ, ଗୀତ ଓ ଅଶ୍ଳୀଳ ଚିତ୍‌କାର ଶୁଣାଗଲା । ଜଣେ ସୈନ୍ୟ ପାଟିକରି ଉଠିଲେ—ନିଲାମ ଆରମ୍ଭ କର...ନିଲାମ... । ଏହି କୋରିଆ ରମଣୀଟି ପାଇଁ ଏକ ଡୋଲାର । ନିଅନ୍ତୁ.....ନିଅନ୍ତୁ....ଆଉ ବିଳମ୍ବ କରନ୍ତୁ ନାହିଁ ।

 

‘‘ଦୁଇ ଡୋଲାର....’’

 

‘‘ତିନି ଡୋଲାର ପଚାଶ ସେଣ୍ଟ’’ ।

 

ଧୀରେ ଧୀରେ ଦାମ ବଢ଼ିଲା । କୋଡ଼ିଏ ଡୋଲାର ଉପରେ ଆଉ କେହି ନିଲାମ ଡାକିଲେ ନାହିଁ ।

 

ଶୁଣାଇ ଦିଆଗଲା ଟଙ୍କା ଯଦି ନାହିଁ ଟାଇପିନ୍, ହାତଘଡ଼ି, ଫାଉଣ୍ଟେନ ପେନ୍‌ରେ ମଧ୍ୟ ନିଲାମ ଧରା ଯାଇପାରେ । ନିଲାମ ଧରିବା ସଙ୍ଗେ ସଙ୍ଗେ ଯୁବତୀକୁ ଦର୍ଶକମାନଙ୍କ ମଧ୍ୟକୁ ଛାଡ଼ି ଦିଆଯାଏ । ଯୁବତୀକୁ କିଣିଥିବା ବ୍ୟକ୍ତି ଦୌଡ଼ିଆସି ତାର ହାତ ଧରି ନାଚ ଆରମ୍ଭ କରି ଦିଏ । ନଚେତ୍ ଟାଣି ଟାଣି ହଲ୍‍ର ବାହାରକୁ ନେଇଯାଏ ।

 

ପ୍ୟାଣ୍ଟ ପକେଟରେ ହାତ ପୂରାଇ ଲିୟାମ ଅତି ଗମ୍ଭୀର ଭାବେ ଠିଆ ହୋଇଥାଏ । ଜୁସ୍ ତାକୁ ଲକ୍ଷ୍ୟକରି କହିଲା....ବଂଧୁ ଯାହା କରିବ ଟିକିଏ ସାବଧାନ ହୋଇ କରିବ । ଉତାଲା ହେଲେ ଚଳିବ ନାହିଁ ।

 

‘‘ଟିକିଏ ଅପେକ୍ଷା କର । ଯିଏ ସବୁଠୁ ସୁନ୍ଦର ମୁଁ ତାକୁ ନିଲାମରେ ଧରିବି ।’’

 

ଜୁସ୍ ପଚାରିଲା—ତାହାହେଲେ ତମେ ହ୍ୟାଜେଲ ପରି ସୁନ୍ଦରୀଟିଏ ଖୋଜୁଛ ! ନୁହେଁ-?

 

ଲିୟାମ ବିରକ୍ତ ହୋଇ କହିଲା ସାବଧାନ, ହ୍ୟାଜେଲ ହେଲା ମାର୍କିନ ମାଟିର କନ୍ୟା—ମୋର ପ୍ରେମିକା । ତା ଉପରେ ଟିପ୍‌ପଣୀ କଲାବେଳେ ଟିକେ ବୁଝି ସୁଝି କରିବ ।

 

ହଠାତ୍ ଜଣେ ମାର୍କିନ ସୈନ୍ୟ ଦୌଡ଼ି ଆସି କହିଲେ—ଆମେରିକାନ ଝିଅ ହ୍ୟାଜେଲ୍, ରୋଜ, ରାସେଲ, ଇସାବେଲଙ୍କ ପରି ତ ଏମାନଙ୍କର ଚେହେରା । ଚେହେରାରେ ତ ଏମାନେ ସେମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନୁହନ୍ତି ।

 

ଲିୟାମ ବିରକ୍ତ ହୋଇ କହିଲା....ସାବଧାନ ଏଠି ତମେ ଏମିତିଆ କଥା କହି ପାରିବ ନାହିଁ ।

 

‘ମୋତେ ଏସବୁ ଭଲ ଲାଗେ ନାହିଁ । ମୁଁ ଭୀଷଣ କ୍ଳାନ୍ତି ବୋଧ କରୁଛି । ମୁଁ ଆଉ ଯୁଦ୍ଧକରିବାକୁ ଚାହେଁ ନାହିଁ । ମୁଁ ଘରକୁ ଫେରି ଯିବାକୁ ଚାହେଁ ।’

 

ଖୁବ୍ ବିରକ୍ତ ହୋଇ ଲିୟାମ ଜୁସ୍‌କୁ କହିଲା—ଠିକ୍ କଥା କହିଛ । ତମେ ଯଦି ଏସବୁ ପସନ୍ଦ କର ନାହିଁ ତେବେ ଏଠୁ ଶୀଘ୍ର ଚାଲିଯାଅ । କେଉଁଠି ଗୀର୍ଜା ଦେଖି ଉପାସନା କର । ଆଉ କିଛି ଛେଳି ଦୁଧ କିଣି ପିଅ....ଯେତେ ସବୁ.... ।

 

ହଠାତ୍ ମଂଚ ଉପରେ ଗୋଟିଏ ଚିତ୍‌କାର ଶୁଣାଗଲା । ନାରୀ ବିକ୍ରେତା ଗୋଟିଏ ବିବସ୍ତ୍ରା ନାରୀ ପୃଷ୍ଠରେ ଜୋରରେ ବେକ୍ରାଘାତ କଲେ । ହାତବଂଧା ହୋଇଥିବା ଝିଅଟି ପିଠି ମୋଡ଼ି ଏହି ଅପମାନରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରୁଥିଲା । ତାମ୍ରବର୍ଣ୍ଣ ଝିଅଟିର ମୁହଁ କ୍ରୋଧରେ ଅଗ୍ନି ଶିଖାପରି ଲାଲ ହୋଇ ଉଠିଲା । ମସ୍ତକର ଲମ୍ବା ଗମ୍ଭୀର କୃଷ୍ଣ ରଂଗର ଚିକ୍‌ଣ କେଶରାଜି କାନ୍ଧ ଉପରେ ଝୁଲି ପଡ଼ିଥାଏ । ଯୁବତୀଟି ଦେଖିବାକୁ ଭାରି ସୁନ୍ଦରୀ । ଯୁବତୀକୁ ଆଉ ଥରେ ବେତରେ ପିଟୁଥିବା ଦେଖି ଲିୟାମ ଅସ୍ଥିର ହୋଇ ଉଠିଲା । ସେହି ସୁନ୍ଦରୀ ରୂପକୁ ସତେ ଯେମିତି ସିଏ ପଳେ ପଳେ ପିଇଯିବ । କେତେ ସମୟପରେ ପାଟି ଶୁଭିଲା—

 

‘‘ଏ ଝିଅଟି ପାଇଁ କୋଡ଼ିଏ ଡୋଲାର....’’

 

ଏକ ସମୟରେ ସମସ୍ତେ ଲିୟାମ ଆଡ଼କୁ ଚାହିଁଲେ । ଗର୍ବୋଦ୍ଧତ ଲିୟାମ ପୂର୍ବପରି ଠିଆ ହୋଇଥାଏ । ହଲ୍‌ରେ ଅନ୍ୟ କୋଣରୁ ସର୍ଜେଣ୍ଟ କାଟ ନ ଡାକିଲା... ।

 

‘କୋଡ଼ିଏ ଡୋଲାର ଓ ମୋର ହାତ ଘଡ଼ି’

 

‘କୋଡ଼ିଏ ଡୋଲାର, ହାତଘଡ଼ି ଓ ଫାଉଣ୍ଟେନ୍ ପେନ...ଲିୟାମ ଆସ୍ତେ ଡାକିଲା ନିଲାମ-। ଘର ଭିତରେ ଉତ୍ତେଜନାର ଢେଉ ଖେଳିଗଲା । ଦର୍ଶକମଣ୍ଡଳୀ ଏହି କିଣାଳିମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟ କରିଥାନ୍ତି । ସର୍ଜେଣ୍ଟ ଜଣକ ଅତି ନିର୍ଦ୍ଦୟ, ଦାମ୍ଭିକ ତଥା ଗୁଣ୍ଡା ପ୍ରକୃତିର ପରି ଜଣା ପଡ଼ୁଥାନ୍ତି । ବକ୍‌ସିଂ ଖେଳାଳିପରି ହୃଷ୍ଟପୁଷ୍ଟ ଦେଖା ଯାଉଥିଲେ ମଧ୍ୟ ଭିତରେ ସେ ଭାରି ଭୟାଳୁ-। ଲିୟାମ ଡାକ ଶୁଣି କାର୍ଟୁନ ଚିତ୍‌କାର କରି ଉଠିଲା ।

 

‘‘ତା ସଂଗକୁ ମୋର ଏଇ ଚେନ୍....’’

 

ଦାସ ବିକ୍ରେତା ଖୁବ୍ ଯୋର୍‌ରେ ଚିତ୍‌କାର କରି ଉଠିଲା...ଏଇ ଦେଖନ୍ତୁ ବିକ୍ରୀ ହୋଇଗଲା । ଖୁବ୍ ଶସ୍ତାରେ ଗଲା....କୋରିଆ ସୁନ୍ଦରୀ....ଗଲା...ଗଲା...ଆଉ ମିଳିବ ନାହିଁ । କୋଡ଼ିଏ ଡୋଲାର....ହାତଘଡ଼ି....ଫାଉଣ୍ଟେନ ପେନ୍....ଗୋଟିଏ ସୁନାଚେନ୍....ଗଲା ....ବିକ୍ରୀ ହୋଇଗଲା...ଖୁବ୍ ଶସ୍ତାରେ ଗଲା....ବଢ଼ିଆ ମାଲ.....କିଣନ୍ତୁ ।

 

ପ୍ୟାଣ୍ଟରୁ ବେଲ୍‌ଟ ଖୋଲୁ ଖୋଲୁ ଲିୟାମ ପାଟିକରି କହିଲା ଟିକେ ସତାର କର । ‘ଏଇ ନିଅ...ମୋର ଚମଡ଼ା ବେଲ୍‌ଟ, ଏଥିରେ ରୂପାର ବକ୍ଳସ ଲାଗିଛି...ଏହାବାଦ ମୋ ପାଖରେ ମୋ କିଟ୍‌ବ୍ୟାଗ୍‌ ଅଛି । ଯଦି ଚାହିବ ତେବେ.... । ସର୍ଜେଣ୍ଟ କାର୍ଟୁନକୁ ଚାହିଁ ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ଦାସ ବିକ୍ରେତା ମଂଚ ଉପରୁ ଯୁବତୀଟିକୁ ଲିୟାମ ନିକଟକୁ ପଠାଇ ଦେଲେ । ଯୁବତୀଟି ରାଗରେ ଚିତ୍‌କାର କରି ଲିୟାମ ମୁହଁ ଓ ଦେହରେ ବିଧା ଓ ଚାପୁଡ଼ା ବସାଇ ଦେଇଗଲା-। ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲିୟାମ ମଧ୍ୟ ଯୁବତୀକୁ ଉତ୍ତମ ମଧ୍ୟମ କରି ବେଶ ଦୁଇଟା କସି ଦେଲା ।

 

ହଠାତ୍ ଦରଜା ଖୋଲିବା ଶବ୍ଦ ଶୁଣି ଲିୟାମ ଚାହିଁ ଦେଖିଲା ପଶ୍ଚିମପଟୁ ଜଣେ ନିଗ୍ରୋ ମଂଚ ଆଡ଼କୁ ଆସୁଛି । ଆଜାନୁ ଲମ୍ବିତ ବାହୁ ଦୁଇଟି ବିସ୍ତୃତ କରି ନିଗ୍ରୋଟି ଦରଦ ଗଳାରେ କହିଲା–ଏସବୁ କଣ କରୁଛ ? ଏଗୁଡ଼ା ସବୁ ବନ୍ଦ କର । ଏହା ମୁଁ ବରଦାସ୍ତ କରି ପାରିବି ନାହିଁ-

 

ଏତିକିବେଳେ ବହୁତ ଲୋକ ପାଟିକରି ଉଠିଲେ—ଏହି କଳା ନିଗ୍ରୋକୁ ଏଠୁ ହଟାଅ...ହଟାଅ ।

 

ନା ମୁଁ ଯିବି ନାହିଁ । ମୋତେ ଏଠୁ କେହି ବାହାର କରି ଦେଇ ପାରିବେ ନାହିଁ । ତଥାପି ଭାଇମାନେ ମୋ କଥା ତମକୁ ଶୁଣିବାକୁ ହେବ । ଏହି ନିଲାମ ଘର ବନ୍ଦ କରିବାକୁ ହେବ । ଜଣେ ଥଟାକରି କହିଲା—ଏଇ ନିଗ୍ରୋଟାର ମୁଣ୍ଡ ବୋଧହୁଏ ବିଗିଡ଼ି ଯାଇଛି ।

 

ଦୀର୍ଘ ନିଶ୍ୱାସ ଛାଡ଼ି ନିଗ୍ରୋ ସୈନିକଟି ଠିଆ ହୋଇ ରହିଲା । ସତେ ଯେପରି ମୁଣ୍ଡ ତାର ଗୋଳମାଳ ହୋଇ ଯାଇଛି । ସାମାନ୍ୟ ଆଗକୁ ଚାଲି ଆସି ମଞ୍ଚ ଧଡ଼ା ଉପରେ ଭରା ଦେଇ ଝୁଙ୍କି ପଡ଼ି କହିଲା—

 

‘‘ମୋର ମନର ସମସ୍ତ କଥା ହୁଏତ ମୁଁ ଠିକ୍ ଭାବେ କହି ପାରୁ ନାହିଁ । ତଥାପି ମୁଁ ଯାହା କହିବାକୁ ଯାଉଛି ତାର ସାର କଥା ହେଉଛି—ଆମ ଦେଶର ପୁରୁଣା ଇତିହାସର କଥା—ଆର୍ନ୍ତଃବିପ୍ଳବ ସମୟରେ ଓ ତାର ପୂର୍ବେ ଆମ ଦେଶରେ ଏହିପରି ମଣିଷ ନିଲାମ ହେବା ପାଇଁ ବଜାରମାନ ଥିଲା । ଏଥିପାଇଁ ଆମକୁ ବହୁତ ସହିବାକୁ ପଡ଼ିଛି । ଆବ୍ରହମ୍‌ ଲିନ୍‌କନ....’’

 

‘‘ସଇତାନ ନିଗ୍ରୋ ମୁହଁରେ ପୁଣି କମ୍ୟୁନିଷ୍ଟ କଥା । ତାକୁ ଏଠୁ ଧକ୍‌କାଦେଇ ବାହାର କରି ଦିଅ । ତା’ ମୁହଁ ବନ୍ଦକରି ଦିଅ । ବହୁତ କହିଲାଣି ।’’

 

‘‘ଭାଇମାନେ ମୋ’ କଥା ଶୁଣିବାକୁ ହେବ । ମୋତେ ବିଶ୍ୱାସ କରନ୍ତୁ । ମୁଁ କମ୍ୟୁନିଷ୍ଟ ନୁହେଁ । ମୋର ନାଁ ସ୍ପିଥ୍ । ନ୍ୟୁୟାର୍କ ହାର୍ଲାମ୍ ଷ୍ଟ୍ରିଟ୍ ହେଲା ମୋର ଠିକଣା । ମୋ’ ମା’ ଗୋଟିଏ ଲଣ୍ଡ୍ରିରେ କାମକରେ । ମୋର ସାନ ଭାଇ ଖବର କାଗଜ ବିକେ । ମୁଁ ଯେଉଁ ଟିଅଟିକୁ ଭଲପାଏଁ ତାର ନାମ ଜେନ୍ । ତା’ ବାପା ମା’ଙ୍କ ସାଙ୍ଗରେ ସେ ହାର୍ଲାମ ଷ୍ଟ୍ରିଟ୍‌ରେ ଥାଏ । ମୋ’ ଦୃଷ୍ଟିରେ ଜେନ୍ ଯାହା, ଏଇ ଯୁବତୀମାନେ ବି ସେଇୟା । ସେମାନଙ୍କୁ ଏପରି ଖରାପ ବ୍ୟବହାର ଦେଖେଇବା ଅନୁଚିତ । ସେମାନେ ଭାରି ଭଦ୍ର, ଶାନ୍ତ ।’’

 

ସାର୍ଜଣ୍ଟ କାର୍ଟୁନ ବିରକ୍ତ ହୋଇ କହିଲା—‘‘କ’ଣ କମ୍ୟୁନିଷ୍ଟଙ୍କ ପରି ଭାରି ବାହାପିଆ କଥା କହୁଛୁ ତ ?’’

 

‘‘ନା ନା, ମୁଁ ମୋଟେ କମ୍ୟୁନିଷ୍ଟ ନୁହେଁ । ମାର୍କସ୍‌ଙ୍କ ଲେଖା ମୁଁ କେବେ ପଢ଼ିନାହିଁ । ମୁଁ ଆମର ପବିତ୍ର ବାଇବେଲଟି କେବଳ ଯାହା ପଢ଼ିଛି । ତମେ ହୁଏତ କେବେ ବିଶ୍ୱାସ କରି ପାରିବ ନାହିଁ । ଜୀବନରେ ବହୁବାର ମୁଁ ବୁଭୁକ୍ଷାର ସମ୍ମୁଖୀନ ହୋଇ ମଧ୍ୟ କମ୍ୟୁନିଷ୍ଟମାନଙ୍କ ସଙ୍ଗେ କେବେ ହାତ ମିଳାଇ ନାହିଁ । ଆଜି ମୁଁ ତମକୁ ଯାହା ସବୁ କହୁଛି ନ୍ୟୁୟାର୍କର ଜଣେ ପାଦ୍ରିଙ୍କ ମୁହଁରୁ ଠିକ୍ ସେଇକଥା ମୁଁ ଶୁଣିଥିଲି । ସେ କହିଥିଲେ ଦୁନିଆର ସାଧୁ ପୁରୁଷମାନେ ସର୍ବଦା ନାରୀମାନଙ୍କୁ ସମ୍ମାନ କରନ୍ତି । ଏଇ ନାରୀମାନେ ହିଁ ଆମର ମା’–ଭଉଣୀ, ସ୍ତ୍ରୀ....ପ୍ରିୟା....ସବୁକିଛି । ନାରୀମାନଙ୍କୁ ସମ୍ମାନ ଦେଖାଇବା ଅର୍ଥ ନିଜପ୍ରତି ସମ୍ମାନ ଦେଖାଇବା । ଏହା ବ୍ୟତୀତ ନାରୀମାନେ ହେଲେ.....ଏ ସୃଷ୍ଟିର ଗୌରବ.....ସଭ୍ୟତାର ଧାତ୍ରୀ ।’’

 

ଲିୟାମ ଖୁବ୍ ଯୋରରେ ଚିତ୍‌କାର କରି କହିଲା, ଏ ସଇତାନ ନିଗ୍ରୋ ନିଶ୍ଚୟ ଗୋଟାଏ କମ୍ୟୁନିଷ୍ଟ....ନହେଲେ ଏପରି କଥା କହି ପାରନ୍ତା ନାହିଁ । ଧକ୍‌କାଦେଇ ତାକୁ ଏ ଘରୁ ନିକାଲି ଦିଅ-। ଆଉ ବେଶି ବକ ବକ କଲେ ପୁଣି ଦେଖିବୁ । ଯଦି ଭଲଗତି ଅଛି ଏଠୁ ଶୀଘ୍ର ଚାଲି ଯା ବୋଲି ଲିୟାମ ସ୍ପିଥ୍‌କୁ ଧମକ ଦେଲା ।

 

‘ନା ମୁଁ ଏଠୁ କେବେ ଯିବିନାହିଁ । ତମକୁ କିଛି କହିବା ପାଇଁ ମୁଁ ଏଠିକୁ ଆସିଛି । ମୋତେ ଅଳ୍ପ ଅଳ୍ପ ଇତିହାସ ଜଣା । ମୁଁ ବେଶ ବୁଝି ପାରିଛି......ତମେ ସବୁ ମୋ’ ଦେଶର ନାଗରିକ । ମୁଁ ଜାଣେ ଆମେ ସମସ୍ତେ କେମିତି ବିପତ୍ତିର ସମ୍ମୁଖୀନ ହୋଇଥିଲେ । ପ୍ରାୟ ଦୁଇଶହ ବର୍ଷ ପୂର୍ବେ ତୁମର ପୂର୍ବ ପୁରୁଷମାନେ ଆଫ୍ରିକା ଉପକୂଳ ଅଭିମୁଖରେ ସେମାନଙ୍କ ଜାହାଜ ଛାଡ଼ିଥିଲେ । ସେ ଆଫ୍ରିକା ମୋ ପୂର୍ବପୁରୁଷଙ୍କ ବାସସ୍ଥାନ । ସେ ଦେଶ ଖାଲି ବଣ ଜଙ୍ଗଲ ଥିଲା । ତମ ପୂର୍ବପୂରୁଷମାନେ ସେଠି ପହଞ୍ଚି ହାତୀ ଧରିଲା ପରି ଆଫ୍ରିକାର ସରଳ ବାସିନ୍ଦାମାନଙ୍କୁ ଧରି ସେମାନଙ୍କୁ ନିଲାମ କରିବା ପାଇଁ ଜାହାଜରେ ବିଭିନ୍ନ ଦେଶକୁ ପଠାଇ ଦେଲେ । ପୁରୁଷ, ସ୍ତ୍ରୀ, ଶିଶୁ, ହଜାର ହଜାର ସଂଖ୍ୟାରେ ବିକ୍ରୀ ହୋଇ କିଣା ଚାକର ପରି ରହିଲେ । ଠିକ ସେଦିନ ପରି ଆଜି ଏଠି ମଣିଷ ନିଲାମ ଚାଲିଛି । ଦର୍ଶକମାନେ ଚାହିଁ ରହିଛନ୍ତି । ଚାବୁକ୍ ହଲୁଛି । ଭାଇମାନେ ସେଦିନର ଚାବୁକ ଆଘାତ ଆଜିସୁଦ୍ଧା ମୋ’ ମନରେ ଲାଗି ରହିଛି । ସେଥିପାଇଁ ମୁଁ ତମକୁ ଆଜି ଏତେ କଥା ସବୁ କହୁଛି । ଏହି ପାପା ପାଇଁ ଏ ମାଟି ଉପରେ ବହୁ ରକ୍ତର ସ୍ରୋତ ଛୁଟିଥିଲା । ଆଜି ପୁଣି ସେହି ପାପ କରିବା ପାଇଁ ଏ ହୀନ ଚେଷ୍ଟା କାହିଁକି ? ମୋତେ ବିଶ୍ୱାସ କର । ମୁଁ ଠିକ୍ କହୁଛି ଏ ଗୋଲାମ ବେଶିଦିନ ଚାଲିବ ନାହିଁ । ତମକୁ ମୁଁ ସତର୍କ କରି ଦେଉଛି । ତମେ ଏଠି ଏସିଆରେ ମଣିଷ ବେପାର କରି ପାରିବ ନାହିଁ ।

 

ସଟ୍ ସଟ୍ ଶବ୍ଦକରି ହଠାତ୍ ତିନୋଟି ଗୁଳି ଫୁଟି ଉଠିଲା...... ।

 

ସେହି ଗୁଳିଗୁଡ଼ିକ ସ୍ପିଥ୍ ଛାତିରେ ଫୁଟିଗଲା । ବଡ଼ଗଛ ଝଡ଼ରେ ଦୋହଲିଲା ପରି ସ୍ପିଥ୍ ଦେହଟି ଗୁଳି ଆଘାତରେ କ୍ଷଣକ ପାଇଁ ଥରିବାକୁ ଲାଗିଲା । ମଞ୍ଚର ଧଡ଼ାକୁ ହାତରେ ସେ ଖୁବ୍ ଜୋରରେ ଜାବୁଡ଼ି ଧରିଲା । ଦୁଇ ହଜାର ବର୍ଷ ପୂର୍ବେ ଯିଶୁଖ୍ରୀଷ୍ଟଙ୍କ ମୁଣ୍ଡ ଯେପରି ନଇଁ ପଡ଼ିଥିଲା ସ୍ପିଥ୍‌ର ମୁଣ୍ଡ ସେମିତି ଆଗକୁ ଝୁଙ୍କି ପଡ଼ିଥିଲା । ସ୍ପିଥର ଓଜନ ସହି ନପାରି ମଞ୍ଚର ଧଡ଼ାଟି ଛିଡ଼ିଯିବା ଫଳରେ ସେ ମଞ୍ଚ ଉପରୁ ଖସି ପଡ଼ିଲା । ତା’ ଛାତିରୁ ରକ୍ତ ଝରି ମଞ୍ଚ ଓ ଚଟାଣ ଚାରିଆଡ଼ ଯାକ ହୋଇଗଲା । ସ୍ପିଥ୍‌ରେ ଶବଟିକୁ ସୈନ୍ୟମାନେ ହଲ ଭିତରୁ ଟାଣି ଟାଣି ନେଇ ପଦାରେ ପକାଇ ଦେଇ—ଆସିଲେ । ନିଲାମ ପୁଣି ଆରମ୍ଭ ହେଲା ।

 

ଗୋଟିଏ ଝିଅକୁ ଗୋଟିଏ ଡୋଲାର.....

 

ଗୋଟିଏ ଝିଅକୁ ଗୋଟିଏ ଘଣ୍ଟା......

 

ଗୋଟିଏ ଝିଅକୁ ଗୋଟିଏ ଫାଉଣ୍ଟେନ୍‌....କିଏ ନେବ ନିଅନ୍ତୁ ।

 

ନିଲାମ ସରିଗଲା । ହଲ୍‌ଖାଲି ହୋଇଗଲା ନିଲାମ ମଞ୍ଚ ପଛରେ ତାରକା ଖଚିତ ଡୋରିଆ ରଙ୍ଗର ଗୋଟିଏ ବଡ଼ ଆମେରିକାର ଜାତୀୟ ପତାକା ଝଲୁଥାଏ ।

 

କ୍ରମେ ନିଲାମ ଉତ୍ତେଜନା କମି ଆସିଲା । ହଲ ପାଖରେ ଥିବା ଗୋଟାଏ ଘରେ ପଶି ଲିୟାମ୍‌, ଜୁସ୍‌ଓ କାର୍ଟୁନ ତାସ ଖେଳି ବସିଲେ । ସେ ତିନିହେଁ ତିନୋଟି ଉଲଗ୍ନ ତରୁଣୀଙ୍କୁ କୋଳରେ ବସାଇ ଥାଆନ୍ତି । ଯୁବତୀ ତିନୋଟି ଚୁପ୍‌ଚାପ ବସିଥାନ୍ତି । କିଛି ସମୟ ପରେ ସର୍ଜେଣ୍ଟ କାର୍ଟୁନ ତାସ ଫିଙ୍ଗି ଦେଇ କହିଲା—ଚାଲ.....ଆଉ କିଛି ନୂଆ ଖେଳ ଖେଳିବା । ଏଟା ବିରକ୍ତ ଲାଗିଲାଣି ।

 

ଜୁସ୍‌ ପଚାରିଲା—ଆଉ କି ଖେଳ ଖେଳିବା ତମେ କହ ।

 

‘ଏ ଯେଉଁ ଖେଳ ଖେଳିବା ଏଥିରେ ଗୋଲାମ ବିବି ଅପେକ୍ଷା ବଡ଼ ।’

 

‘‘ଏ କି କଥା—ଗୋଲାମ ତ ସବୁବେଳେ ବିବିଠୁ ଛୋଟ ।’’

 

‘‘ଏ ଗୋଟାଏ ଭାରି ବଢ଼ିଆ ଖେଳ । ଖେଳିଲେ ଜାଣିବ ।’’

 

ଲିୟାମ୍‌ ପଚାରିଲା—ତମେ ଏ ଖେଳ କେଉଁଠୁ ଶିଖିଲ ?

 

‘‘ଗଲା ମହାଯୁଦ୍ଧରେ ଜଣେ ନାଜି—ବନ୍ଦୀଠାରୁ ।’’

 

ଲିୟାମ୍‌ କହିଲା–ହଉ ତେବେ ଚାଲ ଖେଳିବା..... ।

 

କାର୍ଟୁନ କହିଲା—ଚାରିଜଣ ନହେଲେ ଏ ଖେଳ ଖେଳିହେବ ନାହିଁ । ଆମେ ତ ମୋଟେ ତିନିଜଣ ଅଛେ..... ।

 

ଜୁସ୍‌ ପ୍ରତିବାଦ କରି କହିଲା–ନା ନା, ଆମେ ଏଠି ଛଅଜଣ ଅଛେ । ଏହି କୋରିଆ ଯୁବତୀମାନେ ଅବଶ୍ୟ ଆମ ଭାଷା ବୁଝି ପାରିବେ ନାହିଁ ।

 

ସର୍ଜେଣ୍ଟ କାର୍ଟୁନ ଚରିଆଡ଼କୁ ଚାହିଁ ଦେଖିଲା ଜଣେ ମାର୍କିନ ସୈନ୍ୟ ଗୋଟିଏ କୋରିଆ ଯୁବତୀକୁ ସଙ୍ଗରେ ଧରି ଆସୁଛି । ଯୁବତୀଟି ଉଲଗ୍ନ ନ ଥିଲା ସୈନିକଟି ତାର ଲମ୍ୱା କୋଟଟି ତାକୁ ପିନ୍ଧାଇ ଦେଇଥିଲା । ଯୁବତୀକୁ କୋଟ୍‌ ପିନ୍ଧାଇଥିବା ଦେଖି ସର୍ଜେଣ୍ଟ ବିରକ୍ତ ହୋଇ ସୈନିକକୁ ପଚାରିଲା—କିଓ ଇଏ କଣ ? ଏ କୋଟ୍‌ କଣ ତମରି ?

 

‘‘ହଁ ଆଜ୍ଞା–ଏ କୋଟଟି ମୋ’ରି ।’’

 

ସର୍ଜେଣ୍ଟ ଚଢ଼ା ଗଳାରେ ଆଦେଶ ଦେଲା, ଯୁବତୀଠୁ ଏ କୋଟଟି କାଢ଼ ନେଇ ତାକୁ ଉଲଗ୍ନ ଅବସ୍ଥାରେ ବୁଲାଅ । ସେ ନିଜ ଅତି ନମ୍ରଭାବେ କହିଲା—ଆଜ୍ଞା ମୋତେ ଏସବୁ ଭଲଲାଗେ ନାହିଁ ।

 

ତାହା ଶୁଣି ସର୍ଜେଣ୍ଟ ଆଦେଶ ଦେଇ କହିଲା—ଉଠା ଏ କୋଟ୍‌ । ତୁମକୁ ଏ କୋଟ୍‌ ଉଠାଇବାକୁ ପଡ଼ିବ ମୁଁ କହୁଛି—ଡେରି କଲେ....

 

ସୈନିକଟି ସର୍ଜେଣ୍ଟର ହୁକୁମ ଅନୁଯାୟୀ କୋଟ୍‌ଟି ଯୁବତୀ ଦେହରୁ ଉଠାଇ ନେଲା । ପରେ ତାଙ୍କ ସଙ୍ଗେ ତାକୁ ତାସ ଖେଳିବାକୁ ସେମାନେ ଡାକିଲେ । ତା’ ପରେ ତାସଖେଳ ଆରମ୍ଭ ହେଲା । ସେ ସୈନିକ ନା ସିଂପ୍‌ସନ୍‌ ।

 

ସର୍ଜେଣ୍ଟ ସୈନିକକୁ ଡାକି କହିଲେ—ହେ’ ପିଲା, ଏଠି ସେମିତି ଲାଲ (କମ୍ୟୁନିଷ୍ଟ କଥାବାର୍ତ୍ତା ଚଳିବ ନାହିଁ । ସେମିତି ଯଦି କିଛି ବକାବାକ୍‌ କର ତେବେ ଏ କଳା ନିଗ୍ରୋପରି ତମ ଅବସ୍ଥା ହେବ । ଏବେ ପାଟି ତୁଣ୍ଡ ନକରି ଖେଳ । କିପରି ଖେଳିବାକୁ ହେବ ପଥମେ ଶୁଣ ।

 

ମୁଁ ହେଲି ଗୋଲାମ ଓ ମୋ କୋଳରେ ଥିବା ଯୁବତୀଟି ହେଲା ରୁହିତନ ବିବି । ଲିୟାମ୍‌ ହେଲା ହରତାନର ଗୋଲାମ ଓ ତା କୋଳରେ ଥିବା ଯୁବତୀଟି ହେଲା ହରତାନ ବିବି । ଜୁସ୍‌ର ଯୁବତୀଟି ହେଲା ଇସ୍କାପାନର ବିବି ଓ ସେ ତାର ଗୋଲମ । ବେଶ୍‌ ଭାଗ ଛିଡ଼ିଗଲା । ତମର ଏଠି ବାଛିବା ପ୍ରଶ୍ନ ମୋଟେ ଉଠୁନି, ବୁଝିଲ ?

 

ସିଂପ୍‌ସନ୍‌ ମୁଣ୍ଡ ହଲାଇଲା ।

 

ସର୍ଜେଣ୍ଟ ଆଦେଶ ଦେଲା—ନିଅ ତାସ ଫେଣ୍ଟ ।

 

ତାସ ଫେଣ୍ଟି କାଟି ସାରିବା ପରେ ବାଣ୍ଟି ଦିଆଗଲା । ସୈନିକଟି ଭାରୀ ଭାଗ୍ୟବାନ । ସେ ପ୍ରଥମେ ହରତାନର ଗୋଲାମଟି ଦେଖାଇ ଦେଲା । ସୁତରାଂ ଲିୟାମ୍‌ କୋଳରେ ଥିବା ଯୁବତୀଟି ସିଂପ୍‌ସନ୍‌ କୋଳକୁ ଆସିଲା । ସିଂପ୍‌ସନ୍‌ କୋଳରେ ଗୋଟିଏ ଯୁବତୀ ଥିଲା ଆଉ ଇଏ ଗୋଟିଏ, ଏମିତି ଦୁଇଟି ଯୁବତୀ ହେଲେ । ଖେଳ ଚାଲିଲା । କେବେ କେବେ ସର୍ଜେଣ୍ଟ କୋଳରେ ମଧ୍ୟ ଦୁଇଟି ଯୁବତୀ ହୁଅନ୍ତି । ଭାଗ୍ୟବାନ ଜୁସ୍‌ କିନ୍ତୁ ତା’ କୋଳରେ ଏକ ସମୟରେ ତିନୋଟି ଯୁବତୀ ପାଇଗଲା; କିନ୍ତୁ ଅତି ବିଚିତ୍ର କଥା ଯେ ହରତାନ ବିବିକୁ ସର୍ଜେଣ୍ଟ କେତେବେଳେ ପାଇ ପାରିଲା ନାହିଁ । ସେଥିପାଇଁ ଅନ୍ୟ ତିନିଜଣ ତାକୁ ଥଟ୍ଟା କଲେ । ସଜେଣ୍ଟ ମନେ ମନେ ଖୁବ୍‌ ଚିଡ଼ିଗଲା । ବାହାରେ ଚାରିଆଡ଼ ଶୁନଶାନ୍‌ । ମଝିରେ ଯାହା କେବଳ ମେସିନ୍‌ଗନ ଫୁଟିବାର ଶବ୍ଦ ଶୁଭୁଥାଏ; କିନ୍ତୁ ଠିକ୍‌ ତାର ପରେ ପରେ ପର୍ବପରି ସବୁ ଚୁପ୍‌ଚାପ୍‌ । ବିଦେଶୀମାନେ ସହରଟିକୁ ଦଖଲ କରିଥିଲେ; କିନ୍ତୁ ବର୍ତ୍ତମାନ ପ୍ରତିରୋଧର ସଂଗ୍ରାମ ଚାଲିଛି । କାର୍ଟୁନ ଥରକପାଇଁ ବି ହରତାନ ବିବିକୁ ପାଇ ପାରିଲା ନାହିଁ । ଯେ କୌଣସି ଉପାୟରେ ଥରକ ପାଇଁ ବି ତାକୁ ହରତାନର ଗୋଲାମ ତାସ୍‌ ପାଇବାକୁ ହେବ ।

 

ବାହାରେ ବିସ୍ପୋରଣ ଶବ୍ଦ ଶୁଣି କ’ଣ ହେଲାବୋଲି ଦେଖିବା ପାଇଁ ମାର୍ଜିନ ସୈନ୍ୟମାନେ ଘରୁ ପଦାକୁ ବାହାରି ଆସିଲେ । କୋରିଆର ଉଲଗ୍ନ ତରୁଣୀ ଗୁଡ଼ିକ ସେହିପରି ବସିଥାନ୍ତି । ପାଖରେ ଗୋଟାଏ ବଡ଼ କୋଠା ଉପରେ ବ୍ୟୋମଜାନରୁ ବୋମା ପଡ଼ୁଥାଏ । ଗତ ସାତଦିନ ହେଲା ମାର୍ଜିନ ଅଧିକାରରେ ଥିବା ଏହି କୋଠା ଉପରେ କୋରିଆ ସୈନ୍ୟମାନେ ବୋମା ପକାଉଛନ୍ତି । ସେ ଘର ଓ ଘରର ଚତୁଃପାରର୍ଶ୍ୱ ଶହେଗଜ ଭିତରେ ଯାହାକିଛି ଥିଲା ବୋମା ମାଡ଼ିରେ ସବୁ ମାଟି ହୋଇ ଯାଇଛି । ଏ ସବ୍‌ କାମ କିପରି ହୋଇଛି ନିରୀକ୍ଷଣ କରି ଲିୟାମ ତାସ୍‌ ଟେବୁଲ ପାଖକୁ ଫେରି ଆସିଲା ।

 

ଫେରି ଆସିଲା ପରେ ତମ୍ୱା ରଂଗର ଯୁବତୀଟି ଉପରେ ପ୍ରଥମେ ତାର ଦୃଷ୍ଟି ପଡ଼ିଲା । ସେ ଦେଖିଲା ଯୁବତୀଟି ସତେ ଯେମିତି ତାକୁଇ ଚାହିଁ ରହିଛି । ବଡ଼ ଆଶ୍ଚର୍ଯ୍ୟର କଥା, ମୁହୂର୍ତ୍ତକ ପାଇଁ ତାର ଚକ୍ଷ ଦୁଇଟି ଜଳି ଉଠିଲା । ତାପରେ ପୂର୍ବପରି ସେ ମୁହଁ ତଳକୁ କରି ଲିୟାମ କୋଳରେ ବସିଲା । ଏକଥା ଲକ୍ଷ୍ୟ କରି ଲିୟାମ୍‌ମନେ ମନେ ସଂଦେହ କଲା; କିନ୍ତୁ କାହାକୁ କିଛି କହିଲା ନାହିଁ । ସେ ଦେଖିଲା ଯେ ଯୁବତୀଟି ଅତି ଶାନ୍ତ ଭାବେ ବସିଛି । ସଂନ୍ଦେହର କୌଣସି କାରଣ ନାହିଁ ଦେଖି ପୂର୍ବପରି ସେ ଖେଳରେ ମଜିଗଲା । ଖେଳ ଚାଲିଲା । ରାତି ବଢ଼ିବାକୁ ଲାଗିଲା । ହଠାତ୍‌ ସିଂପ୍‌ସନ୍‌ କହିଲା—ନା ଆଉ ଏଥର ବଂଦ କର । ଆଉ ଖେଳିବା ନାହିଁ । ଖେଳି ଖେଳି ବିରକ୍ତ ଲାଗିଲାଣି ।

 

ଆଉ ବାଜିଟାଏ ଖେଳିବା ପାଇଁ କାର୍ଟୁନ ଅନୁରୋଧ କଲା । ହରତାନ ବିବି ଉପରେ ତାର ଦୃଷ୍ଟି ପଡ଼ିଥାଏ । ଲିୟାମ ପଚାରିଲା ଏଟା ତାହାହେଲେ ଶେଷ ବାଜି ।

 

କାର୍ଟୁନ ମୁଣ୍ଡ ହଲାଇଲା ।

 

ସିଂପ୍‌ସନ୍‌ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ସମସ୍ତଙ୍କୁ ଥରେ ଚାହିଁ କହିଲା ହଁ ଏଟା ଶେଷ ବାଜି । ମୋତେ ଏଥର ତାସ୍‌ ଫେଣ୍ଟିବାକୁ ଦିଅ ।

 

ଲିୟାମ ପ୍ରତିବାଦ କରି କହିଲା—କାହିଁକି ଏ ଥର ମୋ ପାଳି ।

 

ତମ ପାଳି ହେଲେ ବି ମୋତେ ଏଥର ଫେଣ୍ଟିବାକୁ ଦିଅ । ହଉତେବେ ନିଅ ।

 

ସିଂପ୍‌ସନ୍‌ ତାସ ଫେଣ୍ଟିଲା । ଲିୟାମ କହିଲା ନା ଆଉଥରେ ଫେଣ୍ଟ ।

 

ଆଉ ଥରେ ଫେଣ୍ଟା ଗଲା ।

 

କାର୍ଟୁନ କହିଲା ମୁଁ ଏଥର କାଟୁଚି ।

 

ଲିୟାମ କହିଲା ହଉ ତମେ କାଟ ।

 

ତାସ୍‌ କାଟିଲାବେଳେ ଲିୟାମ ସେଥିରୁ ପଟେ ଉଠାଇ ନେଲା ଓ ଉଠାଇ ନେଇଥିବା ତାସ୍‌ ପଟଟି ସମସ୍ତଙ୍କୁ ଦେଖାଇଲା । ହାତରେ ତାର ହରତାନ ବିବି । କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ଚୁପ୍‌ଚାପ୍‌ ହୋଇଗଲେ । ଲିୟାମ୍‌ ଉଠି ପ୍ୟାଣ୍ଟ ସଜାଡ଼ୁ ସଜାଡ଼ୁ କହିଲା—ନା ଇୟେ ହୋଇ ପାରିବ ନାହିଁ ।

 

‘ମାନେ ?’

 

ମାନେ....ମୋ ହାତରେ ହରତାନ ବିବି ତାସ୍‌ ଅଛି ।

 

ତମେ ପୁଣି ହରତାନ ବି ବି କେଉଁଠୁ ପାଇଲ ? ତାସ ଫେଣ୍ଟା ହେବା ପୂର୍ବରୁ ମୁଁ ଏ ପଟଟି ଲୁଚାଇ ଦେଇଥିଲି ।

 

ସିଂପ୍‌ସନ କହିଲା କଥାଟା କଣ ମୁଁ ଠିକ ଧରି ପାରିଛି । ସେଥିପାଇଁ ତ ମୁଁ ହାତ ସଫେଇ କରିଥିଲି । ଯୁଦ୍ଧ ପୂର୍ବରୁ ଏଇ ତାସ୍‌ରେ ହାତ ସଫେଇ ଦେଖାଇବା ମୋର ବ୍ୟବସାୟ ଥିଲା ।

 

ଏହି ସମୟରେ ହଠାତ୍‌ ଜଣେ ମାର୍କିନ ସୈନ୍ୟ ପାଟି କରି କହିଲା ପଳା....ପଳା....ଏଠୁ ପଳା...ଯିଏ ଯୁଆଡ଼େ ପାରୁଛ ପଳା । କୋରିଆ ସୈନ୍ୟମାନେ ଏ ଘରକୁ ପଶି ଆସୁଛନ୍ତି ।

 

ଏକଥା ଶୁଣି ସମସ୍ତେ ତରତର ହୋଇ ପଳାଇଗଲେ । ସେମାନଙ୍କ ତାସ ମଦବୋତଲ ଓ କିଣିଥିବା ଯୁବତୀଗୁଡ଼ିକ କେବଳ ଘରେ ପଡ଼ି ରହିଲେ । ସେମାନେ ଅବଶ୍ୟ ପଳାଇ ଯାଇ ପାରିଲେ ନାହିଁ । ଠିଆ ହୋଇ ରହିବା ପାଇଁ ପଛରୁ ଜଣେ କିଏ ତାଙ୍କୁ ନିର୍ଦ୍ଦେଶ ଦେଲା । ପିସ୍ତଲ ଆଗରେ ସେମାନେ ଠିଆ ହୋଇ ରହିଲେ । ମୁକ୍ତକେଶୀ ଉଲଗ୍ନ ତମ୍ୱା ରଙ୍ଗର ଯୁବତୀ ହାତରେ ପିସ୍ତଲ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ଖଣ୍ଡିଆ ଖଣ୍ଡିଆ ଇଂରେଜରେ ସେ ସେମାନଙ୍କୁ ପଚାରିଲା । ତମେମାନେତ ସମସ୍ତେ ଲାଲ ରଙ୍ଗକୁ ଭାରି ଘୃଣା କର । ହରତାନ ବିବି ତମ ଦେଶ ତାସରେ ବି ଲାଲ ରଙ୍ଗରେ ଛପା । ସେ କଥା ବୋଧେ ଭୁଲି ଯାଇ ନାହିଁ । ଏ ଲାଲ ରଙ୍ଗ ତାସଟି ପାଇବା ପାଇଁ ତମର ଏପରି ଆଗ୍ରହ କାହିଁକି ?

 

ପିସ୍ତଲ ଉଠାଇ ସେ ପ୍ରଥମେ ଲିୟାମ୍‌କୁ ଓ ତାପରେ କାର୍ଟୁନକୁ ଗୁଳି କରି ଦେଲା । ତା ଦେଖି ଜୁସ୍‌ ସଙ୍ଗେ ସଙ୍ଗେ ଯୁବତୀକୁ ଲକ୍ଷ୍ୟ କରି ଗୁଳି ଫୁଟାଇଲା । ଘରେ ବାହାରେ ସବୁଠି ଗୁଳି ଫୁଟିବାର ଶବ୍ଦ ଶୁଣାଗଲା । ଧାଁ ଦୌଡ଼, ହୋ....ହା....ଗୋଳମାଳ ଓ ଗୁଳିର ଶବ୍ଦ କିଛି ସମୟ ଚାଲିଲାପରେ ପୁଣି ପୂର୍ବପରି ସବୁ ଶୁନ୍‌ଶାନ୍‌ପଡ଼ିଗଲା ।

 

ଗରିଲାବାହିନୀ ଫେରି ଆସିଛନ୍ତି । ବିଭିନ୍ନ ସ୍ଥାନରେ ମେସିନଗନ୍‌ ଫିଟ୍‌ କରି ଶତ୍ରୁ ଅପେକ୍ଷାରେ ସେମାନେ ବସି ରହିଛନ୍ତି । ଲିୟାମ, ଜୁସ୍‌, କାଟୁନ ଓ ଅନ୍ୟ ତିନି ଜଣ କୋରିଆ ଯୁବତୀଙ୍କ ଶବ ଗୁଡ଼ିକୁ ସେମାନେ ଘର ଭିତରୁ ବାହାର କରିଦେଲେ । ଏହି କୋରିଆ ଯୁବତୀମାନେ ମାର୍କିନ ଗୁଳିରେ ପ୍ରାଣ ହରାଇଛନ୍ତି । ଆହତ ଅବସ୍ଥାରେ ହଲ ମଝିରେ ତାମ୍ର ରଂଗି କୋରିଆ ଯୁବତୀଟି ପଡ଼ିଥାଏ । ହଠାତ୍‌ କୋରିଆର ଜଣେ ଗରିଲା ସୈନିକ ତାକୁ ଚିହ୍ନି ପାରି ଡାକିଲା—ମିଂମିନସ୍‌....ମୁଁ ହାକୁ-କୁ ଡାକୁଛି........ଚାହିଁ ।

 

ମିଂ ଧୀରେ ଧୀରେ ଆଖି ଖୋଲି ଚାହିଁଲା । ଓଠ ତାର ସତେଜ ହୋଇ ଉଠିଲା ଓ ଆଖିରୁ ତାର ଆନନ୍ଦ ଆଶ୍ରୁ ଝରି ପଡ଼ିଲା ।

 

ଅତି କଷ୍ଟରେ ମିଂ ତା ଡାହାଣ ହାତଟି ଉଠାଇ ନେଇ ହାକ୍‌-କୁର କାନ୍ଧରେ ରଖିଲା ଓ ଅତି ଅସ୍ପଷ୍ଟ ଭାବେ କହିଲା ଗରିଲା ବାହିନୀରେ ଯୋଗଦେବା ପାଇଁ ତମେ ମୋତେ କହିଥିଲ । ସେଦିନ ତମ କଥାରେ ମୁଁ ମୋଟେ ଗୁରୁତ୍ୱ ଦେଇ ନଥିଲି । ଗରିଲା ବାହିନୀରେ ଯୋଗ ନଦେଇ ଯେଉଁ ଭୁଲ୍‍ ହେଲା ମୁଁ ଆଜି ବେଶ ବୁଝି ପାରୁଛି । ଏ ଭୁଲ୍‍ ପାଇଁ ମୋତେ କ୍ଷମା କରିବ ହାକ୍‌-କୁ । ଏତିକି କହି ସାରିଲା ପରେ ତାର ଆଖିପତା ଧୀରେ ଧୀରେ ବୁଜି ହୋଇ ଆସିଲା ।

 

‘ମିଂ ଏ ସହରଠୁ ତୁମେ ବହୁତ ଦୂରରେ ଥିଲା । ଏଠିକି କିପରି ଆସିଲ ? ମୁଁ ମୋଟେ ଅନୁମାନ କରି ପାରୁନି ।’

 

‘ଧରି ନିଅ ମୁଁ ଆସିଛି.....ଆଉ ମୋ ସଂଗରେ ଚାରିଶ କୋରିଆ ନାରୀ ଆସିଛନ୍ତି । ମାର୍କିନ ସୈନ୍ୟ ଆମ ଘରେ ପଶି ଆମର ଅନିଚ୍ଛା ସତ୍ୱେ ବଳତ୍‌କାର କରି ଆମକୁ ଟାଣି ଆଣିଲେ ଓ କେତେଟା ଲରିରେ ଭିର୍ତ୍ତିକରି ଏଠାକୁ ବୋହି ଆଣିଲେ । ତା’ପରେ ଜଣେ ଜଣେ କରି ଆମକୁ ଉଲଗ୍ନ କରି ନିଲାମ କରିବାକୁ ନିଲାମ ଘରକୁ ନେଲେ । ତା ପରେ ନିଲାମରେ କିଣି ଆମକୁ ବାଜି ରଖି ଏମାନେ ତାସ୍‌ ଖେଳୁଥିଲେ । ବର୍ତ୍ତମାନ ଜୁଆଖେଳର ବାଜି ମୁଁ—କାନ୍ଦି କାନ୍ଦି ଉତ୍ତର କଲା ମିଂ-

 

ହାକ୍‌-କୁ ଏହାଶୁଣି ପଥର ପରି ଗମ୍ଭୀର ହୋଇଗଲା ।

 

ମୃତ୍ୟୁ ପଥର ଯାତ୍ରୀ ମିଂ—ପ୍ରିୟ ହାତର ପରଶ ପାଇ ସାମାନ୍ୟ ଉତ୍‌ଫୁଲ ହୋଇ ଉଠିଲା । ହାକ୍‌-କୁ ଗଳାରେ ଆର ହାତଟି ରଖି ମିଂକହିଲା–ହାକ୍‌-କୁ ମୋତେ ଯେଉଁ ମାର୍କିନ ସୈନ୍ୟଟି କିଣି ଥିଲା ମୁଁ ତାକୁ ମାରି ଖତମ କରି ଦେଇଛି । ତାରି ପିସ୍ତଲରେ ମୁଁ ତାକୁ ଗୁଳି କରିଛି । ସେ ମୋତେ କୋଳରେ ବସାଇ ଯେତେ ବେଳେ ତାସ ଖେଳୁଥିଲା ମୁଁ ତାର ପିସ୍ତଲଟି ନେଇ ଆସିଥିଲା ସେ ମୋଟେ କିଛି ଜାଣି ପାରି ନ ଥିଲା । ଏକଥା ଶୁଣି ହାକ୍‌-କୁର ଗମ୍ଭୀର ମୁହଁ ଉପରେ ହସ ଫୁଟି ଉଠିଲା । ଦି ହାତରେ ମିଂର ମୁଣ୍ଡକୁ ଧରି ହାକ୍‌-କୁ ଧୀରେ ଧୀରେ କହିଥିଲା—ମୁଁ ଭାବିଥିଲି ଦିନେ ନା ଦିନେ ତୁ ଏଇ ଗରିଲା ବାହିନୀରେ ନାଁ ଲେଖାଇବୁ । ସେଦିନ ଯଦି ତୁ ଗରିଲା ବାହିନୀରେ ଯୋଗଦେଇ ଥାଆନ୍ତୁ ତେବେ ଆଜି.... । ଗଭୀର ଟ୍ରେଞ୍ଚ ଭିତରେ, ମାଟି ତଳେ, ପାହାଡ଼ ଗଁଫାରେ ବସିଥିଲାବେଳେ ତୋ କଥା ମୋର ମନେ ପଡ଼େ । ମୁଁ ତୋ କଥା ନ ଭାବିବା ପାଇଁ ଚେଷ୍ଟା କରେ.....ମନେ ମନେ ତୋତେ ଗାଳି ଦିଏ । ....ମନକୁ ମନ ପଚାରେ ତୋ ପରି ଗୋଟିଏ ଦୁର୍ବଳ ମନା ଝିଅକୁ ଭଲ ପାଇ ଲାଭ କଣ ?

 

କ୍ଷଣକ ମଧ୍ୟରେ ମିଂର ହସ ହସ ମୁହଁ କଳା ପଡ଼ିଗଲା । ଦରଦ ଗଳାରେ ମିଂ କହିଲା–ବାସ୍ତବରେ ଗରିଲା ବାହିନୀରେ ନ ମିଶି ମୁର୍ ମସ୍ତବଡ଼ ଭୁଲ କରିଛି । ସେ ଭୁଲ ପାଇଁ ଆଜି ମୁଁ ମୋ ନିଜ ଜୀବନ ହରାଉଛି । ତମ କଥା ନଶୁଣି ଯେଉଁ ଭୁଲ କରିଛି ସେଥିପାଇଁ ମୋତେ ନିଶ୍ଚୟ କ୍ଷମା କରିବ ।

 

ମିଂ ଆଉ କିଛି କହି ପାରିଲା ନାହିଁ । କାରଣ ତାର ପାଟିରୁ ରକ୍ତ ବୋହିବାକୁ ଲାଗିଲା । ହାକ୍‌-କୁ ନଇଁପଡ଼ି ମିଂ ମୁହଁରୁ ରକ୍ତ ସବୁ ପୋଛି ଆଣିଲା । କିଛି ସମୟରେ ମିଂ ମୁହଁରୁ ପୁଣି ରକ୍ତ ବୋହିଲା ଓ ହାକ୍‌-କୁ ସେସବୁ ପୁଣି ପୋଛି ଦେଲା । ତା’ ପରେ ବହୁତ କଷ୍ଟରେ ମିଂ ପଚାରିଲା ତମ ସଙ୍ଗେ ମୋର ପ୍ରଥମେ ଯେଉଁଦିନ ଦେଖାହେଲା, ସେଦିନ କଥା କଣ ତମର କିଛି ମନେ ଅଛି-? ହାତରେ ତମର ଖଣ୍ଡିଏ କାଗଜ ଥିଲା । ସେ କାଗଜ ଦେଖାଇ ତମେ ମୋତେ କହିଥିଲ ଶାନ୍ତିର ଆବେଦନ ପତ୍ରରେ ଦସ୍ତଖତ ସଂଗ୍ରହ କରିବା ପାଇଁ ମୁଁ ବୁଲୁଛି । ତମେ ଏଥିରେ ଦସ୍ତଖତ କର-। ସେ ଦିନ ମୁଁ କେବେ ଭାବି ନଥିଲି ଯେ ଏତେ ଶୀଘ୍ର ଆମେରିକାନମାନେ ଆସି ଆମ ଏ ଦେଶରେ ସ୍ୱଂସ ଓ ମୃତ୍ୟୁର ତାଣ୍ଡବ ଲୀଳା ଆରମ୍ଭ କରିଦେବେ ।

 

‘ତାହାହେଲେ ସେଦିନ କଥା ତମେ ମନେ ରଖିଛ ? ମୋର ବି ଠିକ୍‌ ମନେ ପଡ଼ୁଛି—ସେତେବେଳେ ବସନ୍ତ ସମୟ । ସବୁଆଡ଼େ ଖାଲି ଫୁଲର ଉତ୍ସବ ।’

 

ଏ କଥା ଶୁଣି ହାକ୍‌-କୁ ମୁରୁକି ହସି ମିଂର ମୁଣ୍ଡ ଆଉଁସୁ ଆଉଁସୁ କହିଥିଲା—ଏଇ ଗଭାରେ ତମେ ଫୁଲ ଖୋସିଥିଲ ।

 

ମିଂର ଆଖି ଧୀରେ ଧୀରେ ବୁଜିହୋଇ ଆସିଲା । ସେ ଖୁବ୍‌ ଆସ୍ତେ ଆସ୍ତେ କହିଲା ତାହାହେଲେ ତମର ସବୁକଥା ମନେ ଅଛି ଦେଖୁଛି । ସପ୍ତମୀ ରାତିରେ ନଈ କୂଳରେ ଆମେ ଦୁହେଁ ବସିଥିଲେ । ଦୂରରୁ ବଂଶୀର ମୂର୍ଚ୍ଛନା ଭାସି ଆସୁଥିଲା । ମୋତେ କଣ କହିବାକୁ ଚାହୁଁ ଥିଲ; କିନ୍ତୁ କହୁ ନଥିଲ....ସତେ ଯେମିତି କହିବାକୁ ତମେ ଭାଷା ପାଉ ନ ଥିଲ । ହଠାତ୍‌ ପାଖ ଘରୁ ସାନପିଲା-। ଦୁଇଟିଙ୍କ ହସ ଶୁଭିଲା । .....ତା ଶୁଣି ତମେ ଚଞ୍ଚଳ ହୋଇ ଉଠିଲା । ସତେ ଯେମିତି ତମେ ତମର କହିପାରୁ ନଥିବା କଥା କହିବାକୁ ଭାଷା ପାଇଗଲ—ମୋର ସବୁ ମନେ ଅଛି ।

 

‘‘ମୋର ବି ସବୁକଥା ମନେଅଛ । ସେ ଦିନ ଅବଶ୍ୟ ମାର୍କିନ ସୈନ୍ୟ ଜାଳି ପୋଡ଼ି ଛରଖାର କରିଦେଇ ନଥିଲେ ।’’

 

ଖୁବ୍‌ କଷ୍ଟରେ ମିଂ ଆଖି ଖୋଲି ହାକ୍‌-କୁ ଚାହିଁ ଅତି କଷ୍ଟରେ କହିଲା—ସେଦିନ ମୁଁ ତମକୁ ସ୍ୱପ୍ନ ଦେଖିଥିଲି । .....ଆମେ ଦୁହେଁ ବିଭା ହୋଇ ଯାଇଛେ.....ଆମର ଗୋଟିଏ ଛୋଟିଆ ଘର ହୋଇଛି.....ଘର ଭିତରେ ଥିବା ମେଜକୁ ଆଉଜି ଛୋଟ ପିଲାଟି ଆମର ଖେଳୁଛି । ଦୁଆର ବହୁତ ବଢ଼ିଆ ଫୁଲ ଫୁଟିଛି । .....ପାଖ ମନ୍ଦିରରେ ବୁଦ୍ଧଙ୍କ ଗମ୍ଭୀର ମୂର୍ତ୍ତିଟି ଶୋଭା ପାଉଛି.....ମୁଁ ନୂଆ ଧାନ ଚାଉଳରେ ଭାତ ରାନ୍ଧିଛି..... । ସେ ଭାତ ଖୁବ୍‌ ବାସୁଛି..... ।

 

ସେ ସବୁ ସୁଖସୃତି ବେଳେ ବେଳେ ମନରେ ପଡ଼ିଯାଏ । ସମସ୍ତ ଅନ୍ଧକାର ଭେଦକରି ଯୌବନର ପ୍ରଦୀପ ଜଳିଉଠେ ଓ ଠିକ୍‍ ତାର ପର ମୁହୂର୍ତ୍ତରେ ସେ ପ୍ରଦୀପ ମୃତ୍ୟୁର ହିମ ଶୀତଳ ସ୍ପର୍ଶ ପାଇ ନିର୍ବାପିତ ହୋଇଯାଏ । ମିଂର ଯନ୍ତ୍ରଣା ହାକ୍‌କୁ ସତେ ଯେମିତି ଅନୁଭବ କରି ପାରୁଛି । ଅତି କରୁଣ ଭାବେ ମିଂ ହାକ୍‌-କୁ ଚାହିଁ ରହିଛି । ଏ ଚାହାଣିରେ ଅବଶ୍ୟ ପୂର୍ବର ସେ ଚମକ ନାହିଁ । ଏ ଆଖି ଦିନେ ଚାହିଁଥିଲା ପ୍ରିୟର ପ୍ରେମ....ଗୋଟିଏ ଛୋଟ ଘର....ଶିଶୁ....ଫୁଲ ଓ ଧରଣୀ ପୃଷ୍ଠରେ ନବ ବସନ୍ତର ଆଗମନ । ଆଜି କିନ୍ତୁ ସବୁ ବ୍ୟର୍ଥ ହୋଇ ଯାଇଛି । ହାକ୍‌-କୁ ତା ଶୁଖିଲା ହାତରେ ଆପଣାର ସଜଳ ଚକ୍ଷୁ ଦୁଇଟି ପୋଛି ଦେଲା । ମିଂ ହାକ୍‌-କୁ ଶେଷଥର ପାଇଁ ଚାହିଁ ଆଖି ବୁଜି ଦେଲା । ତାପରେ ପାଖରେ ପଡ଼ିଥିବା ମାର୍କିନ ସୈନ୍ୟର କୋଟଟିରେ ସେ ମିଂକୁ ଘୋଡ଼ାଇ ଦେଇ ସାମରିକ କାୟିଦାରେ ଶେଷ ସମ୍ମାନ ଜଣାଇ ଘରୁ ବାହାରି ଆସିଲା !

 

ହିମ ଶୀତଳ ଗଭୀର ରାତି । ସତେ ଯେମିତି ଶୀତରେ ତାରା ଗୁଡ଼ାକୁ କଂପୁଛନ୍ତି । ଚାରିଆଡ଼ ନୀରବ ନିଶ୍ଚଳ, ମଝିରେ ମଝିରେ ମେସିନଗନ୍‌ର ଶବ୍ଦ ଯାହା ଶୁଭୁଥାଏ ।

 

ମିଂ ହାକ୍‌-କୁ ଛାଡ଼ି ଏକା ଚାଲିଗଲା ବୋଲି ସେ ଦୁଃଖ କରୁଥିଲା । ସେ ଭାବୁଥିଲା ତାଙ୍କ ଦେଶକୁ ଆଜି ଦୁର୍ଦ୍ଦିନର ଅନ୍ଧକାର ଘେରି ରହିଛି । ବର୍ତ୍ତମାନ ଅନ୍ୟ ଦେଶରେ ଲୋକେ ନିଆଁ ପାଖେ ବସି କେତେ ଖୁସି ଗପ କରୁଥିବେ ଅଥଚ ସେମାନେ ଯେ ଆଜି ରକ୍ତ ଦେଇ ଶାନ୍ତି ନିମନ୍ତେ ଲଢ଼ୁଛନ୍ତି ତାହା ଅନ୍ୟମାନେ କିପରି ବୁଝିବେ । ହଠାତ୍‌ ଜନୈକ କୋରିଆ ସୈନିକର ମେସିନଗନ ଗଭୀର ରାତ୍ରିରେ ନିସ୍ତବ୍‌ଧତା ଭେଦକରି ଗର୍ଜନ କରି ଉଠିଲା । ସେ ନିଜେ ନିଜର ମେସିନଗନ ଅନ୍ଧକାରରେ ବସାଇ ଶତ୍ରୁକୁ ଛକି ରହିଲା । ମଝିରେ ମଝିରେ ମେସିନଗନ୍‌ ଫୁଟୁଥାଏ । ସେ ଶବ୍ଦ ଶୁଣି ସେ ମନେ ମନେ କହୁଥାଏ—ସଇତାନ ଗୁଡ଼ା ବି ଆମକୁ ଖେଳନା କଣ୍ଡେଇ ବୋଲି ଭାବିଛନ୍ତି-। ସେମାନେ ଜାଣନ୍ତି ନାହିଁ ଯେ—ଆମେ ସମସ୍ତେ ବୀର କୋରିଆ ମାଟିର ସନ୍ତାନ । ପ୍ରାଣଦେଇ ଆମେ ଆମର ଦେଶକୁ ଶତ୍ରୁ ହାତରୁ ରକ୍ଷା କରିବୁ । ମାର୍କିନ ସାମ୍ରାଜ୍ୟବାଦୀ, ଦେଶକୁ କୌଣସି ଉପାୟରେ ଦଖଲ କରି ପାରିବେ ନାହିଁ ।

Image